ଋଷ ପାକିସ୍ତାନ ସହ ମିଶି ଭାରତକୁ ଦେଲା ଏହି ଝଟକା!
ପାକ୍ ସେନା ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ଏହା ହେଉଛି ପାକିସ୍ତାନ ଓ ଋଷ ମଧ୍ୟରେ ପଞ୍ଚମ ମିଳିତ ସାମରିକ ଅଭ୍ୟାସ । ଏହି ମିଳିତ ଅଭ୍ୟାସ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ ।
ନୂଆଦିଲ୍ଲୀ: ରୁଷ ଓ ପାକିସ୍ତାନ ମଧ୍ୟରେ ନିକଟତରତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମିଳିତ ସାମରିକ ଅଭ୍ୟାସ ପାଇଁ ଋଷ ସେନାର ଏକ ଦଳ ଗୁରୁବାର ପାକିସ୍ତାନରେ ପହଞ୍ଚିଛି । ପାକିସ୍ତାନ ଓ ଋଷର ସେନାର ଏହି ମିଳିତ ସାମରିକ ଅଭ୍ୟାସକୁ DRUHZBA-5 (ଦ୍ରଜବା) ନାଁ ଦିଆଯାଇଛି । ପାକିସ୍ତାନ ସେନା ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି ।
ପାକ୍ ସେନା ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ଏହା ହେଉଛି ପାକିସ୍ତାନ ଓ ଋଷ ମଧ୍ୟରେ ପଞ୍ଚମ ମିଳିତ ସାମରିକ ଅଭ୍ୟାସ । ଏହି ମିଳିତ ଅଭ୍ୟାସ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଆତଙ୍କବାଦ ମୁକାବିଲା ପାଇଁ ଉଭୟ ଦେଶର ସୈନ୍ୟବାହିନୀର ଅଭିଜ୍ଞତା ବାଣ୍ଟିବା ଏହି ଅଭ୍ୟାସର ଉଦ୍ଦେଶ୍ୟ ।
ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଅନୁଯାୟୀ ଏହି ସାମରିକ ଅଭ୍ୟାସରେ ସ୍କାଇ ଡାଇଭିଂ ଏବଂ ବନ୍ଧକ ମୁକ୍ତ ହେବା ଭଳି ଗତିବିଧି ରହିବ । ପ୍ରତିବର୍ଷ ପାକିସ୍ତାନ-ଋଷର ମିଳିତ ସାମରିକ ଅଭ୍ୟାସ ଦ୍ରଜବା ଅନୁଷ୍ଠିତ ହୋଇଥାଏ । ୨୦୧୬ ପରଠାରୁ ପାକିସ୍ତାନ ଏବଂ ଋଷର ସେନା ମିଳିତ ଅଭ୍ୟାସ କରୁଛନ୍ତି । ଏଥିରେ ଆତଙ୍କବାଦ ବିରୋଧୀ ଏବଂ ସ୍ୱତନ୍ତ୍ର ସାମରିକ କାର୍ଯ୍ୟ ମଧ୍ୟ ସାମିଲ ରହିଛି ।
ତେବେ ପାକିସ୍ତାନ ସହ ଋଷର ସାମରିକ ଭାଗିଦାରୀକୁ ନେଇ ଭାରତ ବିରୋଧ ପ୍ରଦର୍ଶନ କରିଆସୁଛି । ଆତଙ୍କବାଦକୁ ସୁରକ୍ଷା ଦେଉଥିବା ପାକିସ୍ତାନ ସହ ସହଯୋଗ କରିବା ଭୁଲ ବୋଲି ଋଷ ଆଗରେ ଭାରତ ବାରମ୍ବାର ଆପତ୍ତି କରିଛି ଏବଂ ଏହାଦ୍ୱାରା ସମସ୍ୟା ବୃଦ୍ଧି ପାଇବ ।
ତେବେ ଋଷ ଭାରତର ଆପତ୍ତିକୁ ଅଣଦେଖା କରୁଛି । ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନର ସେନା ମଧ୍ୟ ଋଷର ଅସତରାଖାନରେ 'କାୱକଜ୍ 2020' ସାମରିକ ଅଭ୍ୟାସରେ ଭାଗ ନେଇଥିଲେ । ଗତ ବର୍ଷ ପାକିସ୍ତାନ ଋଷର ସାମରିକ ଅଭ୍ୟାସ କେନ୍ଦ୍ର ୨୦୧୯ରେ ଭାଗ ନେଇଥିଲା । ଏହି ସାମରିକ ଅଭ୍ୟାସରେ କାଜାକିସ୍ତାନ, କିର୍ଗିଜସ୍ଥାନ, ତଜିକିସ୍ତାନ ଏବଂ ଉଜବେକିସ୍ତାନ ମଧ୍ୟ ଅଂଶଗ୍ରହଣ କରିଥିଲେ ।