ନିର୍ବାଚନ ପୂର୍ବରୁ ହାର ମାନିଲା ସମାଜବାଦ ପାର୍ଟି, ପ୍ରତିଦ୍ୱନ୍ଦିତା ନକରି ଆରଜେଡିକୁ କରିବ ସମର୍ଥନ
ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ-ଆରଜେଡିକୁ ସମର୍ଥନ କରିବାକୁ ଘୋଷଣା କରିଛି ସମାଜବାଦ ପାର୍ଟି-ଏସପି । ଏନେଇ ସୋମବାର ଦଳ ପକ୍ଷରୁ ଟ୍ୱିଟରରେ କରାଯାଇଥିବା ଘୋଷଣାରେ କୁହାଯାଇଛି ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନକରି ଆରଜେଡିକୁ ସମର୍ଥନ କରିବ ।
ପାଟନା: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର (October-November) ମାସରେ ହେବାକୁ ଯାଉଛି ରାଜନୈତିକ ଦୃଷ୍ଟିକୋଣରୁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Poll 2020) । ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ମେଣ୍ଟ ଗଠନ (Alliance Formulation), ଆସନ ଭାଗବଣ୍ଟା (Seat Sharing) କୁ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ କଥାବର୍ତ୍ତା ଜାରି ରହିଛି।
ଏହିକ୍ରମରେ ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rashtriya Janata Dal) ସମର୍ଥନ କରିବାକୁ ଘୋଷଣା କରିଛି ସମାଜବାଦ ପାର୍ଟି-ଏସପି (SP-Samajwadi Party) । ଏନେଇ ସୋମବାର ଦଳ ପକ୍ଷରୁ ଟ୍ୱିଟରରେ କରାଯାଇଥିବା ଘୋଷଣାରେ କୁହାଯାଇଛି ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନକରି ଆରଜେଡିକୁ ସମର୍ଥନ କରିବ । ଏପରିକି ଦଳ ମହାମେଣ୍ଟରେ ସାମିଲ ହେବ ନାହିଁ । ଦଳ ପକ୍ଷରୁ ହୋଇଥିବା ଘୋଷଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଦଳର ବିଧାନ ପରିଷଦ ସଦସ୍ୟ (Member of Legislative Council) ଉଦୟବୀର ସିଂହ ।
ଏନେଇ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନକରିବା ପଛରେ ଦୁଇଟି କାରଣ ରହଛି । ପ୍ରଥମତଃ ରାଜ୍ୟରେ ଦଳର କୌଣସି ଆଖିଦୃଶିଆ ମଜବୁତ ସଙ୍ଗଠନ (Party Organisation) ନାହିଁ । ଦ୍ୱିତୀୟ ସମଭାବାପନ୍ନ ଦଳକୁ କ୍ଷତି ପହଞ୍ଚାଇବାକୁ ଦଳ ଚାହୁଁନାହିଁ । ଏପରିକି ଏହି ନିର୍ବାଚନରେ ଦଳ ନିଜର ଶକ୍ତି କିମ୍ବା ସମ୍ୱଳ ନଷ୍ଟ କରିବାକୁ ଚାହୁଁନାହିଁ ।
୨୦୧୫ ବିଧାନସଭା ନିର୍ବାଚନରେ ଦଳ ଆରଜେଡି, ଜନତା ଦଳ ୟୁନାଇଟେଡ-ଜେଡିୟୁ(JDU-Janata Dal United), କଂଗ୍ରେସକୁ ନେଇ ଗଠିତ ହୋଇଥିବା ମହାମେଣ୍ଟ (Grand Alliance) ରେ ଯୋଗ ଦେଇଥିଲା । ଏପରିକି ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଲାଗି ସମାଜବାଦ ପାର୍ଟିକୁ ୫ଟି ଆସନ ମିଳିଥିଲା । ହେଲେ କୌଣସି ଗୋଟିଏ ଆସନ ମଧ୍ୟ ଜିତି ପାରିନଥିଲା ଦଳ।
ସେହିପରି ୨୦୧୦ ବିଧାନସଭା ନିର୍ବାଚନରେ ସମାଜବାଦ ପାର୍ଟିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଦଳ ବିହାରର ମୋଟ ୨୪୩ଟି ବିଧାନସଭା ଆସନ ମଧ୍ୟରୁ ୧୪୬ ସିଟରେ ପ୍ରତିଦ୍ୱନ୍ଦିତା କରିଥିଲେ କୌଣସି ଗୋଟିଏ ଆସନ ହାତେଇ ପାରିନଥିଲା ।