ନୂଆଦିଲ୍ଲୀ: ସିଙ୍ଘୁ ବର୍ଡର ଠାରେ ଦଳିତ ଯୁବକ ଲଖବୀର ସିଂହ ହତ୍ୟା ଘଟଣାରେ ଜଡିତ ଅଭିଯୁକ୍ତ ନିହଙ୍ଗ ସରବଜିତ ସିଂହଙ୍କୁ ଶୁକ୍ରବାର ଗିରଫ କରିଛି ହରିୟାଣା ପୋଲିସ। ଗିରଫଦାରୀ ପରେ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା କରାଯାଇଛି। ଶନିବାର ତାକୁ କୋର୍ଟରେ ହାଜର କରାଯିବ।  


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ସକାଳେ ସିଙ୍ଘୁ ବର୍ଡରସ୍ଥିତ ଆନ୍ଦୋଳନସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଶିଖ ଧର୍ମର ପବିତ୍ର ଧର୍ମଗ୍ରନ୍ଥ ଶାସ୍ତ୍ରକୁ ଅପମାନିତ କରିବା କାରଣରୁ ନିହଙ୍ଗ ପ୍ରଥମେ ପଞ୍ଜାବର ତରନତାରନ ଜିଲ୍ଲାର ଚୀମା ଖୁର୍ଦ ଗାଁର ଲଖବୀର ସିଂହ ନାମକ ଜଣେ ଦଳିତ ବ୍ୟକ୍ତିଙ୍କ ହାତ କାଟି ହତ୍ୟା କରିବାପରେ ବ୍ୟାରିକେଡରେ ଶବକୁ ଝୁଲାଇ ଦିଆଯାଇଥିଲେ। ଏ ଘଟଣା ବାବଦରେ ଖବର ପାଇ ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଲା ସେତେବେଳକୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପୋଷ୍ଟମର୍ଟମ ସିଭିଲ ହସ୍ପିଟାଲ ଠାରେ କରାଯାଇଥିଲା। ଏହା ପରେ ପୋଲିସ ଆଇପିସି ଧାରା ୩୦୨ ଏବଂ ୩୪ ଅନୁଯାୟୀ ଏକ ମାମଲା ଦାଏର କରିଥିଲା।


ସିଙ୍ଘୁ ବର୍ଡର ଠାରେ ହୋଇଥିବା ଏହି ହତ୍ୟାକାଣ୍ଡ ପରେ କୃଷକ ସଙ୍ଗଠନ ଏବଂ ନିହଙ୍ଗ ଶିଖ୍ ମୁହାଁମୁହିଁ ହୋଇଛନ୍ତି। ପ୍ରଦର୍ଶନରତଃ ସଂଯୁକ୍ତ କିସାନ ମୋର୍ଚ୍ଚା (Samyukt Kisan Morcha) ଏସକେଏମ (SKM) ଏହି ହତ୍ୟାକାଣ୍ଡରୁ ଦୂରେଇ ଯାଇଛି। ଏନେଇ କୃଷକ ନେତା ଜଗଜିତ୍ ସିଂ ଡାଲୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଉଭୟ ମୃତକ ତଥା ନିହଙ୍ଗ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହି ହତ୍ୟାକାଣ୍ଡ ପାଇଁ ନିହଙ୍ଗ ଗୋଷ୍ଠୀର ନିର୍ବର ଖାଲସା-ଉଦନା ଦଳ (Nirvair Khalsa Udna Dal) ନିଜକୁ ଦାୟୀ କରିଥିବା ଏସକେଏମ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ନିହଙ୍ଗ ଗୋଷ୍ଠୀ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ କୁହାଯାଇଛି ଧର୍ମ ଶାସ୍ତ୍ରକୁ ଅପମାନିତ କରିବା ଅଭିଯୋଗରେ ସେମାନେ ହିଁ ଜଣେ ଦଳିତ ଯୁବକଙ୍କୁ ହତ୍ୟା କରିଥିଲେ।


Also Read: ସିଙ୍ଘୁ ବର୍ଡର ହତ୍ୟା ଘଟଣା ପରେ ଚର୍ଚ୍ଚାରେ ନିହଙ୍ଗ ଶିଖ୍; ଜାଣନ୍ତୁ କିଏ ଏମାନେ


ଏହା ପୂର୍ବରୁ ଲକଡାଉନ୍ ସମୟରେ ପଟିଆଲା ଠାରେ ପୋଲିସ ଏଏସଆଇଙ୍କ ହାତ କାଟି ଦେବା ଘଟଣାରେ ନିହଙ୍ଗ ଗୋଷ୍ଠୀର ଭୂମିକା ସାମ୍ନାକୁ ଆସିଥାଲ। ଅନ୍ୟପଟେ ଚଳିତ ଜାନୁଆରୀ ୨୬ ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ନିହଙ୍ଗ ଗୋଷ୍ଠୀ ସହ ଜଡି଼ତ ଶିଖଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା।