India`s Supreme court rules: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ପତ୍ନୀଙ୍କୁ ମିଳୁ ଭରଣପୋଷଣ
Supreme Court`s Landmark Decision : ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟ ଶୁଣାଇ କହିଛନ୍ତି ଯେ ଛାଡ଼ପତ୍ର ପରେ ମୁସଲିମ ମହିଳା ମଧ୍ୟ ସିଆର୍ପିସିର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବାକୁ ହକ୍ଦାର। ସମ୍ପୂର୍ଣ ପଢନ୍ତୁ.....
Supreme Court : ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟ ଶୁଣାଇ କହିଛନ୍ତି ଯେ ଛାଡ଼ପତ୍ର ପରେ ମୁସଲିମ ମହିଳା ମଧ୍ୟ ସିଆର୍ପିସିର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବାକୁ ହକ୍ଦାର। ସେ ଯେଉଁ ଧର୍ମାଲମ୍ବୀ ହେଲେ ମଧ୍ୟ ଏହି ଆଇନ୍ ସମସ୍ତଙ୍କ ପାଇଁ ସମାନ୍। ଏଥିରୁ କାହାରିକୁ ବଞ୍ଚିତ କରାଯାଇ ପାରିବ ନାହିଁ। ଭରଣପୋଷଣ କୌଣସି ଦାନ ନୁହେଁ, ଏହା ହେଉଛି ମହିଳାଙ୍କର ଅଧିକାର ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।
କ୍ରିମିନାଲ ପୋସିଜିଓର କୋଡ୍ (ସିଆର୍ପିସି)ର ଧାରା ୧୨୫ ଅନୁଯାୟୀ ମୁସଲମାନ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବାକୁ ଆବେଦନ କରିପାରିବେ। ସୁପ୍ରିମକୋର୍ଟ ବୁଧବାର ଏକ ଐତିହାସିକ ରାୟରେ ଏହା କହିଛନ୍ତି। ଧର୍ମ ନିର୍ବିଶେଷରେ ସବୁ ବିବାହିତ ମହିଳାଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇପାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ତଲାକ ଦେଇଥିବା ସ୍ତ୍ରୀଙ୍କୁ ଅନ୍ତରୀଣ ଭରଣପୋଷଣ ଦେବା ପାଇଁ ମହମ୍ମଦ ଅବଦୁଲ ସମଦଙ୍କୁ ତେଲଙ୍ଗାନା ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ସେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତଲାକ ପାଇଥିବା ମୁସଲମାନ ମହିଳା ଭରଣପୋଷଣ ପାଇବାକୁ ହକ୍ଦାର ନୁହନ୍ତି ବୋଲି ମହମ୍ମଦ ଯୁକ୍ତି ଦର୍ଶାଇଥିଲେ। ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଅଗଷ୍ଟାଇନ୍ ଜର୍ଜ ମସିଙ୍କ ଖଣ୍ଡପୀଠ ମହମ୍ମଦଙ୍କ ପିଟିଶନକୁ ଖାରଜ କରିଦେବା ଅବସରରେ ଏହି ଟିପ୍ପଣୀ ଦେଇଛନ୍ତି।
ସବୁ ମହିଳାଙ୍କ କ୍ଷେତ୍ରରେ ସିଆର୍ପିସିର ଧାରା ୧୨୫ ଲାଗୁ ହେବ ବୋଲି ଜଷ୍ଟିସ୍ ନାଗରତ୍ନା ରାୟ କହିଥିଲେ। ମୁସଲମାନ ମହିଳା (ଛାଡ଼ପତ୍ର ଅଧିକାରର ସୁରକ୍ଷା) ଆଇନ ଧର୍ମନିରପେକ୍ଷ ଆଇନ ଉପରେ ଆଧିପତ୍ୟ ଜାହିର କରେନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଭରଣପୋଷଣ ଦାତବ୍ୟ ନୁହେଁ, ବରଂ ବିବାହିତ ମହିଳାଙ୍କ ଅଧିକାର ଏବଂ ଏହା ଧର୍ମ ନିର୍ବିଶେଷରେ ସବୁ ବିବାହିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ।
ଫେବୃଆରୀ ୧୯ରେ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲ ଓ୍ବାସିମ୍ କାଦ୍ରିଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ସିଆର୍ସିସିର ଧାରା ୧୨୫ ତୁଳନାରେ ୧୯୮୬ର ଆଇନ ମହିଳାମାନଙ୍କ ପାଇଁ ଅଧିକ ଲାଭଦାୟକ ବୋଲି କାଦ୍ରି ଯୁକ୍ତି ଦର୍ଶାଇଥିଲେ। କୋର୍ଟଙ୍କୁ ଏହି ମାମଲାରେ ସହାୟତା କରିବା ପାଇଁ ଆଇନଜୀବୀ ଗୌରବ ଅଗ୍ରଓ୍ବାଲଙ୍କୁ ଅମିକସ୍ କ୍ୟୁରି ନିଯୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ଶାହ ବାନୋ ମାମଲାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ସିଆର୍ପିସିର ଧାରା ୧୨୫ ବ୍ୟବସ୍ଥା ମୁସଲମାନ ମହିଳାଙ୍କ ପାଇଁ ପ୍ରଯୁଜ୍ୟ ବୋଲି କହିଥିଲେ।ମୁସଲମାନ ମହିଳା (ଛାଡ଼ପତ୍ର ଅଧିକାର ସୁରକ୍ଷା) ଆଇନ, ୧୯୮୬ ଦ୍ୱାରା ଉକ୍ତ ରାୟକୁ ରଦ୍ଦ କରିଦେଇଥିବାବେଳେ ୨୦୦୧ରେ ଆଇନର ବୈଧତା କାଏମ ରହିଥିଲା।