Tripura Assembly Election 2023: ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଜୋରସୋରରେ ଜାରି ରହିଛି ପ୍ରସ୍ତୁତି। ଏଥର ବିଧାନସଭା ନିର୍ବାଚନରେ ଏକ ବ୍ୟତିକ୍ରମରେ ଦେଖିବାକୁ ମିଳିଛି। ଯାହା 
ପୂର୍ବରୁ କେବେ ତ୍ରିପୁରା ରାଜନୀତିରେ ଦେଖିବାକୁ ମିଳିନଥିଲା। ପ୍ରଥମ ଥର ପାଇଁ ତ୍ରିପୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ହୋଇଛି ମେଣ୍ଟ। ଶାସକ ବିଜେପିକୁ ରୋକିବା ଲାଗି ଏଥର ଏକାଠି ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ତ୍ରିପୁରା ବିଧାନସଭା ନିର୍ବାଚନ (Tripura Assembly Election 2023) ପାଇଁ ଉଭୟ ବାମପନ୍ଥୀ (Left Front) ଏବଂ କଂଗ୍ରେସ (Congress) ଏକାଠି ହୋଇଛନ୍ତି। ପୂର୍ବରୁ ଉଭୟେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election 2021) ବେଳେ ମେଣ୍ଟ କରିଥିଲେ।  ତ୍ରିପୁରା ବିଧାନସଭାର ମୋଟ ୬୦ ଆସନ ମଧ୍ୟରୁ ସିପିଏମ୍ (CPM) କଂଗ୍ରେସ ପାଇଁ ମାତ୍ର ୧୩ ସିଟ୍ ଛାଡିଛି। ହେଲେ କଂଗ୍ରେସ ଅତି କମରେ ୧୯ ଆସନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲା। ଏହି କାରଣରୁ ମେଣ୍ଟରେ ଆସନ ବୁଝମଣାକୁ ନେଇ ପେଞ୍ଚ ଫସି ରହିଥିଲା।


ସିପିଏମ୍ ନେତୃତ୍ୱାଧିନ ବାମ ମେଣ୍ଟରେ (CPM Led Left Front) ସିପିଆଇ (CPI), ଫରୱାର୍ଡ ବ୍ଲକ (Forward Bloc) ଏବଂ ଆରଏସପି (RSP) ଆଦି ଦଳ ସାମିଲ ଅଛନ୍ତି। ରାଜ୍ୟର ମୋଟ ୬୦ ନିର୍ବାଚନମଣ୍ଡଳୀ ମଧ୍ୟରୁ ସିପିଏମ ୪୩, ସିପିଆଇ ୧, ଫରୱାର୍ଡ ବ୍ଲକ ୧ ଏବଂ ଆରଏସପି ଗୋଟିଏ ଆସନରେ ପ୍ରାର୍ଥୀ ଦେବେ। ଅନ୍ୟପଟେ ଅନ୍ୟ ଏକ ଆସନରେ ସ୍ୱାଧିନ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି ବାମମେଣ୍ଟ। କଂଗ୍ରେସ ବାକି ୧୩ ଆସନରେ ପ୍ରାର୍ଥୀ ଦେବ। 


Also Read: Lok Sabha Election 2024: ବିକ୍ରମ-ବେତାଳ ରାଜନୀତି, ପୁଣି ଏକାଠି ହେବେ କଂଗ୍ରେସ-ବାମପନ୍ଥୀ


 


ଗତକାଲି ଅନୁଷ୍ଠିତ ହୋଇଥିଲା କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଯେଉଁଥିରେ ୪୨ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଯଦି ସିପିଏମ୍ ସହିତ ଆସନ ବୁଝାମଣାକୁ ନେଇ କଥାବାର୍ତ୍ତା ସଫଳ ନହୁଏ, ତାହେଲେ ଏଭଳି ପରିସ୍ଥିତିରେ କଂଗ୍ରେସ ଏହାର ପ୍ରସ୍ତୁତି ଜାରି ରଖିବାକୁ ଚାହୁଁଛି।


ଆସନ୍ତା ଫେବୃଆରୀ ମାସରେ ଦେଶର ୩ ପୂର୍ବୋତ୍ତର ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକ ମୁକୁଲ ୱାସନିକ୍ ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସହ ଆସନ ବୁଝାମଣାକୁ ଶେଷ ପର୍ଯ୍ୟାୟ ଆଲୋଚନା କରିବେ। କଂଗ୍ରେସ ମଧ୍ୟ ରାଜ୍ୟର ଆଞ୍ଚଳିକ ଦଳ ଟିଆଇପିଆରଏ ସହ ମେଣ୍ଟ କରି ବିଜେପି ବିରୋଧରେ ଘେରାବନ୍ଦୀ କରିବାକୁ ଚାହୁଁଛି। ଟିଆଇପିଆରଏ ସହ ମେଣ୍ଟ କରିବା ନେଇ କଂଗ୍ରେସ ପକ୍ଷରୁ ଉଦ୍ୟମ ଚାଲିଛି। 


Also Read: ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ


ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୦ ଜାନୁଆରୀ। ଆସନ୍ତା ୧୬ ଫେବୃଆରୀରେ ରାଜ୍ୟର ସମସ୍ତ ୬୦ ଆସନ ପାଇଁ ଅନୁଷ୍ଠିତ ହେବ ମତଦାନ। ଆସନ୍ତା ୨ ମାର୍ଚ୍ଚରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।