ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତାନ୍ତ୍ରିକ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୋ ବାଇଡେନ। ଦେଶର ଶାସନ ଭାର ହାତକୁ ନେବା ପରେ ଭାରତକୁ କେତେ ଫାଇଦା ମିଳିବ ସେ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା।  


COMMERCIAL BREAK
SCROLL TO CONTINUE READING

ଭାରତ ସହ ଆମେରିକାର କୂଟନୈତିକ, ଅର୍ଥନୈତିକ, କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବାକୁ ନେଇ ଉଭୟ ଦେଶ ଆଶାବାଦୀ ଅଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁ ସାଜିଥିବା ୪.୫ ମିଲିୟନ ଭାରତୀୟ ବଂଶୋଦ୍ଭବ ନାଗରିକ ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କ କାର୍ଯ୍ୟକାଳକୁ ନେଇ ଉତ୍ସାହିତ ଅଛନ୍ତି।   


ବାଇଡେନ୍ ଶାସନ କାଳରେ ଆମେରିକା ସହ ଭାରତର କୂଟନୈତିକ ସମ୍ପର୍କ କେମିତି ରହିବ ତାହାକୁ ନେଇ ସତର୍କ ହୋଇଉଠିଛି ଭାରତ। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ତାଙ୍କୁ ଭାରତକୁ ଆଣି ଭବ୍ୟ ସମ୍ବର୍ଦ୍ଧନା ଦେଇଥିବା ଭାରତ ଏବେ ବାଇଡେନଙ୍କ ବିଜୟ ପରେ ହାତେ ମାପି ଚାଖଣ୍ଡେ ଚାଲିବାକୁ ଶ୍ରେୟସ୍କର ମଣୁଛି। ଆମେରିକା ମଧ୍ୟ ୫ ଟ୍ରିଲିୟନ ଡଲାରର ବ୍ୟାବସାୟିକ ସମ୍ପର୍କ ଥିବା ଭାରତ ଭଳି ଦେଶ ସହ କୂଟନୈତିକ ସମ୍ପର୍କ ଖରାପ କରିବାକୁ ଚାହିଁବ ନାହିଁ। 


ଏହା ବ୍ୟତୀତ ରାଷ୍ଟ୍ରପତି ବାଇଡେନ୍ ଅତୀତରେ ମଧ୍ୟ ଭାରତ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଥିବା ନଜିର ରହିଛି। ପୂର୍ବତନ ରାଷ୍ଟ୍ରପତଚି ଜର୍ଜ ବୁଶଙ୍କ ସିନେଟରେ ଜଣେ ସିନେଟର ଥିବା ସମୟରେ ବାଇଡେନ୍ ଥିଲେ ଆମେରିକା ବୈଦେଶିକ ବ୍ୟାପାର କମିଟିର ଜଣେ ସଦସ୍ୟ। ସେତେବେଳେ ସେ ଭାରତ ବିରୋଧରେ ସମସ୍ତ ବାଣିଜ୍ୟିକ କଟକଣା ହଟାଇବାକୁ ତତ୍କାଳୀନଙ୍କୁ ଚିଠି ଲେଖିଥିଲେ। ୨୦୦୮ ମସିହାରେ  ଭାରତ-ଆମେରିକା ପରମାଣୁ ଚୁକ୍ତିକୁ ଯେତେବେଳେ ଆମେରିକା ସିନେଟ ମଞ୍ଜୁରୀ ଦେଇଥିଲା ସେତେବେଳେ ଦେଶର ସଂସଦର ଜଣେ ସକ୍ରିୟ ସଦସ୍ୟ ରହିଥିଲେ।


ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଦୁଇ ଥରର ରାଷ୍ଟ୍ରପତିତ୍ୱ କାର୍ଯ୍ୟକାଳ ସମୟରେ ବାଇଡେନ ଥିଲେ ଦେଶର ଉପ ରାଷ୍ଟ୍ରପତି। ସେହି ସମୟରେ ଭାରତ ସହ ଆମେରିକାର ସମ୍ପର୍କ ମଜବୁତ ହୋଇଥିଲା। ଏହାରି ଆଧାରରେ ଭାରତର ଥିଙ୍କ୍ ଟ୍ୟାଙ୍କ, ରାଜନୈତିକ ବିଶ୍ଳେଷକ, ଶିଳ୍ପ ବିଶେଷଜ୍ଞ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି।


ଭାରତ  ଋଷିଆ ପାଖରୁ S-400 ମିସାଇଲ ଡିଫେନ୍ସ ସିଷ୍ଟମ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର କିଣୁଥିବାରୁ ଏହାକୁ ନେଇ ନାରାଜ ହୋଇପାରନ୍ତି ରାଷ୍ଟ୍ରପତି ବାଇଡେନ୍। ନିକଟରେ ଏହି କାରବାରକୁ ନେଇ ଆମେରିକା ଭାରତକୁ ଚେତାବନୀ ଦେଇଥିଲା। କାରଣ ଆମେରିକାର ସଂଘୀୟ ନିୟମ ଇରାନ, ଉତ୍ତର କୋରିଆ, ଋଷ ସହ ଅସ୍ତ୍ରଶସ୍ତ୍ର ସମ୍ପର୍କର ତୀବ୍ର ବିରୋଧ କରେ। ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି, ଜଳବାୟୁ ସଙ୍କଟ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଏବଂ ଅପ୍ରବାସନ ନୀତି ଆଦି ପ୍ରସଙ୍ଗରେ ଭାରତ-ଆମେରିକା ସମ୍ପର୍କ ମଜବୁତ ହେବ ବୋଲି ଆକଳନ କରାଯାଇଛି। 


ଆମେରିକାରେ ବସବାସ କରୁଥିବା ୪.୫ ମିଲିୟନ ପ୍ରବାସୀ ଭାରତୀୟ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ବାଇଡେନ୍ ପ୍ରଶାସନ ଏହାକୁ ନଜର ଅନ୍ଦାଜ କରିନପାରନ୍ତି।  


ଭାରତକୁ ମିଳିବାକୁ ଥିବା ଫାଇଦା ଏବଂ ହେବାକୁ ଥିବା କ୍ଷତି  


  • ଆଞ୍ଚଳିକତା ଏବଂ ସୀମାନ୍ତ ମାମଲାରେ ଆମେରିକା ଭାରତ ସହ ଛିଡା ହେବ

  • ବେସାମରିକ ପରମାଣୁ ସହଯୋଗ ଚୁକ୍ତି ଉପରେ ସହମତି ଜଣାଇବା ଆମେରିକାର

  • ପ୍ରତିରକ୍ଷା ତଥା ଆତଙ୍କବାଦ ବିରୋଧରେ ଲଢେଇରେ ଯୋଗାଇବ ସହଯୋଗ

  • ବିଡେନ ଯୁଗରେ QUAD ସଙ୍ଗଠନ ହେବ ଅଧିକ ଶକ୍ତିଶାଳୀ 

  • ସୀମାରେ ଚୀନ୍‌ର ବିସ୍ତାରବାଦ ନୀତି ବିରୋଧରେ ଭାରତକୁ ସମର୍ଥନ ଜଣାଇବ ଆମେରିକା

  • ଭାରତ ଲାଗି H-1B ଭିସା ନିୟମ ହେବ ସରଳ 

  • ଭାରତ ସହ ବ୍ୟବସାୟିକ ସମ୍ପର୍କ ବଢାଇବା ସପକ୍ଷରେ ଅଛନ୍ତି ବାଇଡେନ

  • ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ବିଡେନ ଭାରତ ସହିତ ସମ୍ପୂର୍ଣ୍ଣ ଭାବେ ନୁହଁନ୍ତି

  • ଭାରତର ନାଗରିକତ୍ୱ ସଂଶୋଧନ ଆଇନ ସହିତ ସେ ସହମତ ନୁହଁନ୍ତି

  • ବିଡେନ ଚୀନ୍ ସହିତ ନୂତନ ବାଣିଜ୍ୟ ଚୁକ୍ତି କରିପାରନ୍ତି