ନୂଆଦିଲ୍ଲୀ: ସଭ୍ୟ ସମାଜରେ ଆତଙ୍କବାଦୀ ଏବଂ ଆତଙ୍କବାଦୀଙ୍କ ସମର୍ଥକଙ୍କ ବିରୋଧରେ ଆମର ଜିରୋ ଟଲେରାନ୍ସ ନୀତି।'' ଶ୍ରୀନଗର ପୋଲିସର ଏହି ନୂଆ ନିର୍ଦ୍ଦେଶନାମାକୁ ଫାରୁକ୍ ଅବଦୁଲ୍ଲାଙ୍କ ସମେତ ନ୍ୟାସନାଲ କନଫରେନ୍ସର କିଛି ନେତା ବିରୋଧ କରିଛନ୍ତି। ଜମ୍ମୁ-କାଶ୍ମୀର ପୋଲିସ ଆତଙ୍କବାଦୀଙ୍କ ପରେ ସେମାନଙ୍କ ସମର୍ଥକ କିମ୍ବା ଶରଣଦାତାଙ୍କ ଉପରେ ବି ନେବାକୁ ଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ, ଯାହା ପୂର୍ବରୁ ନ ଥିଲା। ଏବେ ଆତଙ୍କବାଦୀମାନଙ୍କୁ ନିଜ ଇଚ୍ଛାରେ ଆଶ୍ରୟ ଦେବା ଏବଂ ନିଜ ଘରକୁ ବ୍ୟବହାର କରିବାକୁ ଦେଉଥିବା ଲୋକଙ୍କ ସମ୍ପତ୍ତିକୁ ଜବତ କରାଯିବ। ପୋଲିସ କହିଛି, ଯଦି କାହା ଘରେ କୌଣସି ଆତଙ୍କବାଦୀ ଜବରଦସ୍ତ ଶରଣ ନିଏ, ତେବେ ଘରର ମୂରବୀଙ୍କୁ ଶୀଘ୍ର ପୋଲିସକୁ ସୂଚନା ଦେବାକୁ ହେବ। ସୂଚନା ଦେଉଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ। ଶ୍ରୀନଗର ପୋଲିସ ଗତ ଶୁକ୍ରବାର ଅର୍ଥାତ୍ ୨୫ ମାର୍ଚ୍ଚରେ ଏହି ଆଦେଶ ଜାରି କରିଛି। ଶ୍ରୀନଗର ପୋଲିସ ଏହି ପଦକ୍ଷେପକୁ ଆତଙ୍କବାଦ ବିରୋଧରେ ନିଜର ଜିରୋ ଟଲେରାନ୍ସ ନୀତି ବୋଲି ଦର୍ଶାଇଛି। ପୋଲିସ କହିଛି, ସଭ୍ୟ ସମାଜରେ ଆତଙ୍କବାଦୀ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଆମର ଜିରୋ ଟଲେରାନ୍ସ ନୀତି ବଳବତ୍ତର ରହିବ। ଏହା UAPA ଆକ୍ଟ ୧୯୬୭ର ସେକ୍ସନ 2 (G) ଏବଂ ସେକ୍ସନ 25 ଅନୁଯାୟୀ ବହୁ ପୂର୍ବରୁ ଲାଗୁ ହୋଇଛି। ତେଣୁ ଆତଙ୍କୀ ସମର୍ଥକଙ୍କ ବିରୋଧରେ ଏହି ନିୟମ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶ୍ରୀନଗରର ବରିଷ୍ଠ ପୋଲିସ ଅଧୀକ୍ଷକ IPS ରାକେଶ ବଲୱାଲ ଏପରି ବହୁ ଘରକୁ ଚିହ୍ନିଥିବା କୁହନ୍ତି, ଯେଉଁ ଘରର ସଦସ୍ୟମାନେ ଆତଙ୍କବାଦୀଙ୍କୁ ଲଗାତାର ଶରଣ ଦେଇ ଆସୁଛନ୍ତି। ଗତ ୨୦୨୦-୨୧ ବର୍ଷ ହୋଇଥିବା ପୋଲିସ-ଆତଙ୍କବାଦୀ ଗୁଳି ବିନିମୟ ସମୟରେ ଏହାର ପର୍ଦ୍ଦାଫାସ ହୋଇଥିଲା। ଡାଉନଟାଉନ, ସୌରା, ପନ୍ଥା ଚୌକ, ବଟମାଲୁ, ନୌଗାମ, ହରବନରେ ଥିବା ୧୨ରୁ ଅଧିକ ଘରେ ଏଭଳି ଆତଙ୍କବାଦୀ କାର୍ଯ୍ୟକଳାପ ପରୋକ୍ଷ ଭାବରେ ଚାଲିଛି।


ଆଗରୁ ବି ଏପରି ସମ୍ପତ୍ତି ଜବତ ହୋଇଛି। ଏକ ରିପୋର୍ଟ କହେ, ଶେରୀନଗର ପୋଲିସ ଦ୍ୱାରା ଜାରି ନିର୍ଦ୍ଦେଶନାମା ପୂର୍ବରୁ ମଧ୍ୟ ଆତଙ୍କବାଦୀ ଏବଂ ତାଙ୍କ ସମର୍ଥକଙ୍କ ସମ୍ପତ୍ତି ଜବତ କରାଯାଇଛି। ୨୫ ଜାନୁଆରୀ ୨୦୨୧ରେ ପୁଲୱାମାର ଅବନ୍ତୀପୋରାଠାରେ ପୋଲିସ ଆତଙ୍କବାଦୀଙ୍କର ଜଣେ ସମର୍ଥକର ଘରକୁ ଜବତ କରିଥିଲା। ତାହା ଜୈସ-ଏ-ମହମ୍ମଦର ଜଣେ ଓଭରଗ୍ରାଉଣ୍ଡ କାର୍ଯ୍ୟକର୍ତ୍ତାଙ୍କର ଥିଲା। ଏହି ଘରେ ବର୍ଷ ୨୦୨୦ରେ ହୋଇଥିବା ସଂଘର୍ଷରେ ଜଣେ ପୋଲିସ କର୍ମୀ ଏବଂ ସେନାର ଜଣେ ଜବାନ ସହିଦ ହୋଇଥିଲେ।


ଆଉ ତା' ପୂର୍ବରୁ ୩୦ ଜୁନ୍ ୨୦୧୨ରେ ପୋଲିସ ହରକତ-ଉଲ-ଜିହାଦୀ-ଇସଲାମୀ ନାମକ ଆତଙ୍କବାଦୀ ଗୋଷ୍ଠୀର ଗୁଲାମ ମହମ୍ମଦ ଖାନ ଘରକୁ ସିଲ୍ କରିଥିଲା। ଏହି ଘର ଛନ୍ନପୋରାଠାରେ ଅବସ୍ଥିତ ଥିଲା। ସେହିଦିନ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଅବଦୁଲ ମଜୀଦ ଲୋନ ଏବଂ ତାର ବାପା ଅବଦୁଲ ରଜାକ ଲୋନର ବାସଗୃହ ସମେତ ଜମିକୁ ମଧ୍ୟ ପୋଲିସ ଜବତ କରିଥିଲା। ଏହା ଉତ୍ତର ସପୋର ଜିଲ୍ଲାର ବାଗୁବଠାରେ ଅବସ୍ଥିତ। ଯାହାର କ୍ଷେତ୍ରଫଳ ହେଉଛି ୧୫ କନାଲ। ଆଉ ସେତେବେଳେ ଆତଙ୍କବାଦୀ ଅବଦୁଲ ମଜୀଦ ଲୋନ ଥିଲା ପାକିସ୍ତାନରେ।


କାଶ୍ମୀରବାସୀ ବାଧ୍ୟହୋଇ ଆତଙ୍କବାଦୀଙ୍କୁ ସମର୍ଥନ ଦିଅନ୍ତି ନା ସ୍ୱେଚ୍ଛାକୃତ ଭାବରେ, ଏହା ତଦନ୍ତ ପରିସରଭୁକ୍ତ। ମାତ୍ର ନେତାମାନେ ବି ଏଥିରେ ସାମିଲ ହୋଇଗଲେ ଦେଶର ଅବସ୍ଥା କ'ଣ ହେବ ? ଏବେ ଶ୍ରୀନଗର ପୋଲିସ ଏହି ନୂତନ ନିର୍ଦ୍ଦେଶନାମା ଜାରି କରିବା ପରେ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲାଙ୍କ ସମେତ ନ୍ୟାସନାଲ କନଫରେନ୍ସର କିଛି ନେତା ଏହାକୁ ବିରୋଧ କରିଛନ୍ତି।


Also Read: ଜାଣନ୍ତୁ ଆମେରିକା କିପରି ଋଷର ବିଶାଳ ସୁନା ଭଣ୍ଡାରକୁ ମାଟିରେ ପରିଣତ କରିବାରେ ଲାଗିଛି, କେତେ ବଡ଼ ହେବ ଏହାର ପ୍ରଭାବ?


Also Read: ନ୍ୟାୟ ପାଇଁ ଟ୍ରଲିରେ ବସି କୋର୍ଟ ଗଲେ ଖୋଦ୍ ମହାଦେବ!