ସୁନନ୍ଦନ ମିଶ୍ର, ଭୁବନେଶ୍ୱର: ଜନ୍ମ ଆଉ ମୃତ୍ୟୁ । ଏଇ ଦୁଇଟି ହିଁ ଜୀବନର ଧ୍ରୁବ ସତ୍ୟ ଓ ସ୍ଥିର । ଜଣେ ଆମମାନଙ୍କୁ ହସେଇ କନ୍ଦେଇ, ମନୋରଞ୍ଜନ କରି ଶେଷରେ ସଂଗ୍ରାମ କରି ଏ ଦୁନିଆରୁ ଆଖି ବୁଜିଲା । ଆଉ ଜଣେ କଇଁ କଇଁ କାନ୍ଦି ଜନ୍ମ ନେଲା । ଏ କାହାଣୀ ଆପଣଙ୍କୁ ଦୁନିଆର ସେଇ ଦୁଇଟି ନିଆଁର କାହାଣୀ କହିବ, ଯାହାକୁ ନେଇ ଏ ସଂସାରର ଖେଳ । ଜଣେ ଗର୍ଭବତୀ ମହିଳା, ନାଁ ତାଙ୍କର ସସ୍ମିତା ସାହୁ । ଲକଡାଉନ୍ ପାଇଁ ତାମିଲନାଡୁରେ ସେ ଫସି ରହିଥିଲେ । ଆଉ ଗତକାଲି ସେ ଜନ୍ମ ଦେଇଥିଲେ ଗୋଟିଏ ଶିଶୁ କନ୍ୟାକୁ । ସିନେ ଅଭିନେତା ସବ୍ୟସାଚୀ ସେହି ଗର୍ଭବତୀ ମହିଳାଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଆଉ ଶିଶୁଟି ଜନ୍ମ ହେବା ପରେ ଭିଡ଼ିଓ କଲ୍ ଜରିଆରେ ଯେତେବେଳେ ଶିଶୁର ମା' ସବ୍ୟଙ୍କୁ ଶିଶୁଟିର ନାମକରଣ କରିବାକୁ କହିଥିଲେ । ସେତେବେଳେ ଅଭିନେତା ସବ୍ୟସାଚୀ, ଦୀପାଙ୍କ ସ୍ମୃତିରେ ଶିଶୁଟିର ନାଁ ଦୀପା ରଖିବାକୁ ପ୍ରସ୍ତାବ ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ଗତକାଲି ଅଲବମ୍ କୁଇନ୍ ଦୀପା ସାହୁ ଆମକୁ ଛାଡ଼ି ଚିରନିଦ୍ରାରେ ଶୋଇଗଲେ । ଆଉ ସେପଟେ ସୁଦୂର ତାମିଲନାଡ଼ୁରେ ଜନ୍ମ ନେଲେ ଜଣେ ଦୀପା ସାହୁ । ବିଧାତା ଗଢ଼ିଥିବା ଏ ସଂସାରର ଖେଳ ବୋଧ ହୁଏ ଏମିତି ହିଁ କିଛି ।


ଏ ପୂରା କାହାଣୀକୁ ଅଭିନେତା ସବ୍ୟସାଚୀ ନିଜର ଟ୍ୱିଟର ଓ ଇଷ୍ଟାଗ୍ରାମରେ ପୋଷ୍ଟ କରି ଦୀପାଙ୍କୁ ତାଙ୍କ ଅବର୍ତ୍ତମାନରେ ମନେ ପକାଇଛନ୍ତି, ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସତରେ ଏ ନିୟତିର ଖେଳ ବି ଅଜବ ।