ସ୍କୁଲ ଫି ନିର୍ଦ୍ଧାରଣ ମାମଲା; ମନ୍ତ୍ରୀ ଜାଣି ନାହାନ୍ତି ବିଭାଗ କଥା
ସେମିତି କୈାଣସି କମିଟି ନାହିଁ ବରଂ ପଲିସି ଅଭାବରୁ କାର୍ଯ୍ୟକାରୀ ହେଇପାରୁନି ବୋଲି ବିଭାଗୀୟ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି ବାଢିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସମୟରେ ଏକତ୍ରୀତ ହୋଇ ଲଢେଇ କରିବାକୁ ଶିକ୍ଷା ଅଧିକାରକର୍ମୀ ଆହ୍ବାନ ଦେଇଛନ୍ତି।
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଘରୋଇ ସ୍କୁଲ ଫିକୁ ନେଇ ବଢୁଛି ଅଡୁଆ। କୋଭିଡ ସ୍ଥିତିରେ ସ୍ବତନ୍ତ୍ର ଫି' ଛାଡ ମାମଲା ନେଇ ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ପରେ ଏବେ ଗୁମର ଖୋଲିଛି। ଆଇନ ଅନୁଯାୟୀ ଘରୋଇ ବିଦ୍ୟାଳୟର ଫି' ନିୟନ୍ତ୍ରଣ ସରକାରଙ୍କ ପରିସରଭୁକ୍ତ ନୁହେଁ ବୋଲି ଯୁକ୍ତି ପରେ ଗୋଲକଧନ୍ଦାରେ ପଡିଯାଇଛନ୍ତି ସରକାର। ଆଇନ ଆଳ ଦେଖାଉଛନ୍ତି ଅଥଚ ୨୦୧୯ ମସିହାରୁ ଦେଢ ବର୍ଷ ହେବ ଫି ରେଗୁଲେଟୋରୀ କମିଟି ବା FRC ଏବେ ଶୀତଳଭଣ୍ଡାରରେ ପଡ଼ି ରହିଛି। ଏଥିପ୍ରତି ତିଳେମାତ୍ର ନଜର ପଡୁନି। ସେପଟେ ସେମିତି କୈାଣସି କମିଟି ନାହିଁ ବରଂ ପଲିସି ଅଭାବରୁ କାର୍ଯ୍ୟକାରୀ ହେଇପାରୁନି ବୋଲି ବିଭାଗୀୟ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି ବାଢିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସମୟରେ ଏକତ୍ରୀତ ହୋଇ ଲଢେଇ କରିବାକୁ ଶିକ୍ଷା ଅଧିକାରକର୍ମୀ ଆହ୍ବାନ ଦେଇଛନ୍ତି। ବିରୋଧୀ ଦଳ ନେତା ବି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି ।
ରାଜ୍ୟରେ ଘରୋଇ ସ୍କୁଲ ଫି’ (Private school fee) କୁ ନେଇ ଅଡୁଆ ବଢୁଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ (Odisha education minister) ସମୀର ରଂଜନ ଦାସ (Sameer Das) ନୀତି ନୈତିକତାର ପାଠ ପଢାଉଛନ୍ତି। କୋଭିଡ ସ୍ଥିତିରେ ଘରୋଇ ବିଦ୍ୟାଳୟ ଫି’ ଛାଡ ମାମଲା ନେଇ ହାଇକୋର୍ଟ (Orissa High Court)ରେ ଦାଖଲ କରିଥିବା ସତ୍ୟପାଠରେ ସରକାର ହାତ ଟେକିଦେଇଛନ୍ତି। ଫି’ ନିୟନ୍ତ୍ରଣ ପାଇଁ କୌଣସି ଆଇନ ନଥିବାରୁ ସରକାର ଏପରି ସତ୍ୟପାଠ ଦାଖଲ କରିଥିବା ବିଭାଗୀୟ ମନ୍ତ୍ରୀ ସଫେଇ ଦେଇଛନ୍ତି। ମନ୍ତ୍ରୀ ଆଇନ ଆଳ ଦେଖାଉଛନ୍ତି ଅଥଚ ଦେଢ ବର୍ଷ ହେବ ଫି ରେଗୁଲେଟୋରୀ କମିଟି ଏବେ ଶୀତଳଭଣ୍ଡାରରେ ପଡିରହିଛି ତାହା ଉପରେ ନଜର ପଡୁନି। ଯାହା ଘରୋଇ ବିଦ୍ୟାଳୟର ଫି’ ନିୟନ୍ତ୍ରଣ ପାଇଁ ଏକ ମାଧ୍ୟମ।
Also Read: ବିଳମ୍ବରେ ହେବ ଅଫଲାଇନ ଦଶମ, ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା
୨୦୧୮ ମସିହାରେ ତତ୍କାଳୀନ ଶିକ୍ଷା ସଚିବଙ୍କ ନେତୃତ୍ବରେ ବିଭାଗୀୟ ଅଧିକାରୀ, ବିଦ୍ୟାଳୟର ଅଧ୍ୟକ୍ଷ ଓ ଅଭିଭାବକଙ୍କ ସମେତ କିଛି ଷ୍ଟେକହୋଲ୍ଡରଙ୍କୁ ନେଇ ଫି ରେଗୁଲେଟୋରୀ କମିଟି ଗଠନ ହୋଇଥିଲା। ୨୦୧୯ ସୁଦ୍ଧା ଚୂଡାନ୍ତ ରୂପ ନେଇ ସ୍ବତନ୍ତ୍ର ଫି’ ନିର୍ଦ୍ଧାରଣ କରାଯାଇ ଖସଡା ମଧ୍ୟ ପ୍ରସ୍ତୁତ ସରିଥିଲା । ହେଲେ ୨୦୧୯ ସାଧାରଣ ନିର୍ବାଚନ ପାଇଁ କୋଡ ଅଫ୍ କଣ୍ଡକ୍ଟ ହେତୁ ତାହା ସ୍ଥଗିତ ରଖାଯାଇଥିଲା। ଆଉ ଏହାପରେ କମିଟିର ଖସଡା ଏବେ ଫାଇଲ ତଳେ ଚାପି ହୋଇରହିଛି। ହେଲେ ବଡ ଦୂର୍ଭାଗ୍ୟର କଥା ବର୍ତ୍ତମାନର ମନ୍ତ୍ରୀଙ୍କୁ ଏହା ଅଗୋଚର। FRC କମିଟି ଖସଡାକୁ କାହିଁକି ଲାଗୁ କରାଯାଉନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଏପରି କୌଣସି କମିଟି ନାହିଁ ବରଂ ପଲିସି ଅଭାବରୁ ଘରୋଇ ସ୍କୁଲ ଫି’ ଉପରେ ନିୟନ୍ତ୍ରଣ ରହୁନଥିବା ମନ୍ତ୍ରୀ ସମୀର ଦାସ କହିଛନ୍ତି।
ପଡୋଶୀ ବାହାର ରାଜ୍ୟ ଗୁଡିକରେ ଘରୋଇ ବିଦ୍ୟାଳୟକୁ ନିୟନ୍ତ୍ରଣ କରିବା ଲାଗି ଦୀର୍ଘ ବର୍ଷରୁ ଆଇନ ରହିଛି। ଯଦ୍ବାରା ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟରୁ ସରକାରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି ଏବଂ ଏହାର ପ୍ରତିଶତ ମଧ୍ୟ ବୃଦ୍ଧି ପାଉଛି। ହେଲେ ଓଡିଶାରେ ତାହା ଓଲଟା, ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟ ଛାଡି ଘରୋଇ ବିଦ୍ୟାଳୟ ମୁହାଁ ହେଉଛନ୍ତି। ସେପଟେ ସରକାର ଓ ଗଣଶିକ୍ଷା ବିଭାଗ ପୁରୁଣା ଆଇନକୁ ଆଳ କରି ଅଭିଭାବକଙ୍କ ଉପରେ ଦୋଷ ଠେଲି ଦେଉଛନ୍ତି। ଯାହାକୁ ନେଇ ଶିକ୍ଷାବିତ ଓ ଶିକ୍ଷା ଅଧିକାରକର୍ମୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିବାରେ ଲାଗିଛି। ସରକାରଙ୍କ ଏପରି ଆଭିମୁଖ୍ୟକୁ ଶିକ୍ଷାବିତ ଭର୍ତ୍ସର୍ନା କରିଥିବା ବେଳେ ବର୍ତ୍ତମାନ ହାଇକୋର୍ଟରେ ମାମଲା ଚାଲିଥିବାରୁ ବିଭିନ୍ନ ଅଭିଭାବକ ସଂଗଠନ ଏକଜୁଟ ହୋଇ ଆନ୍ଦୋଳନ କରିବାକୁ ଶିକ୍ଷା ଅଧିକାରକର୍ମୀ ସଂଯୁକ୍ତା ପାଣିଗ୍ରାହୀ ଆହ୍ବାନ ଦେଇଛନ୍ତି।
Also Read: ଘରୋଇ ସ୍କୁଲ ଫି' ନିର୍ଦ୍ଧାରଣ ମାମଲା: ମୁଣ୍ଡ ନୁଆଁଇ ହାତ ଟେକିଦେଲେ ସରକାର
କେବଳ ଫି ରେଗୁଲେଟୋରୀ କମିଟି ନୁହେଁ, ଏକ ନୂଆ ଆଇନ ଫି ରେଗୁଲେଟୋରୀ ଆକ୍ଟ ଆଣିବା ଲାଗି ଅଭିଭାବକ ମାନେ ଏକ ଖସଡା ପ୍ରସ୍ତୁତ କରି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ସ୍କୁଲ ଫି’, ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଭିତ୍ତିଭୂମୀ, ଅଡିଟ ଆଦି ଆବଶ୍ୟକତାକୁ ବ୍ୟବସ୍ଥିତ କରାଯାଇପାରିବ। ହେଲେ ସେଥିପ୍ରତି ମଧ୍ୟ ସରକାର ଉଦାସୀନତା ମନୋଭାବ ପୋଷଣ କରିଆସୁଛନ୍ତି ।
ସେପଟେ ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ବିଧେୟକ ଆଣିବାକୁ ଦାବି କରି ଶୁକ୍ରବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । କୋରୋନା କାଳରେ ସ୍କୁଲ ଗୁଡିକ ବନ୍ଦ ପଡିଛି, ଲୋକଙ୍କ ରୋଜଗାର ମଧ୍ୟ ଯାଇଛି। କିନ୍ତୁ ଘରୋଇ ସ୍କୁଲ ଟ୍ୟୁସନ ଫି ନେଉଛନ୍ତି। ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ନିଜ ଉପରୁ ସରକାର ଦୋଷ ଖସାଇଦେଇଛନ୍ତି। ସ୍କୁଲ ଫି ନିଜ କ୍ଷମତା ପରିସରଭୁକ୍ତ ନୁହେଁ ବୋଲି କହିବା ଦୂର୍ଭାଗ୍ୟଜନକ। ନିକଟରେ ସରକାର ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ କରି ଅଧ୍ୟାଦେଶ ଆଣିଛନ୍ତି । ସେହିଭଳି ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ଅଧ୍ୟାଦେଶ ଆଣିପାରିଥାନ୍ତେ, ଅଥଚ ଆଇନ ଆଳ ଦେଖାଇ ଘରୋଇ ବିଦ୍ୟାଳୟ ସହ ଭିତିରି ବୁଝାମଣା କରିଥିବା ପ୍ରଦୀପ୍ତ ନାଏକ (Pradipta Nayak) ଅଭିଯୋଗ କରିଛନ୍ତି।
Also Read: ସ୍କୁଲ ଫିକୁ ନେଇ ବଢୁଛି ଦ୍ୱନ୍ଦ୍ୱ
ଅପରପକ୍ଷରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଘରୋଇ ବିଦ୍ୟାଳୟ ନିୟନ୍ତ୍ରଣ ପାଇଁ ଆଇନ ଅଛି କିନ୍ତୁ ଫି’ ନିର୍ଦ୍ଧାରଣ ପାଇଁ ଆଇନ ନାହିଁ। ସରକାର ଏ ବାବଦରେ ଅବଗତ ଅଛନ୍ତି ଏବଂ ବିଚାର ବିମର୍ଷ ଚାଲିଛି।