ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରିଦେଇଛି କୋରୋନା ଭାଇରସ
କେବେ ବାହାରିବ ଫଳାଫଳ ? କେବେ ଆରମ୍ଭ ହେବ ପାଠପଢା ? କେବେ ମିଳିବ ବହି ? ପୁଣି କେବେ କୋଳାହଳମୟ ପରିବେଶରେ ଫାଟି ପଡିବ ବିଦ୍ୟାଳୟ ?
ଶାନ୍ତ ସ୍ୱରୂପ, ଭୁବନେଶ୍ୱର: ବଢୁଛି ଲକ୍ ଡାଉନ ଅବଧି ତା ସାଙ୍ଗକୁ ବଢୁଛି ଟେନସନ୍ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଚଳିତ ଶିକ୍ଷା ବର୍ଷ ଆରମ୍ଭ ଏବଂ ଶେଷ ସମୟରେ କୋରୋନା କଟକଣାରେ ବଦଳିଯାଇଛି ଶିକ୍ଷା ବର୍ଷର ପାଣିପାଗ । ନା କୌଣସି ପାଠପଢା ନା ପରୀକ୍ଷା ନା କୌଣସି ଫଳାଫଳ ନା ପୁସ୍ତକ ବଣ୍ଟନ । ସବୁକିଛି ଠପ୍ ହୋଇଯାଇଛି । ଏପରି ପରିସ୍ଥିତିରେ ଗଣଶିକ୍ଷା ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାକିଥିବା ବେଳେ ଦଶମ ପରୀକ୍ଷା ଶେଷ ହୋଇ ଖାତା ଦେଖା ଗୋଟିଏ ଦିନ ପରେ ବନ୍ଦ ହୋଇଯାଇଛି । ସେହିପରି ନବମ ଶ୍ରେଣୀର କିଛି ପରୀକ୍ଷା ବାକି ଥିବା ବେଳେ ପ୍ରଥମରୁ ଅଷ୍ଟମ ଯାଏ ପିଲାମାନଙ୍କ ପାଖେ ବହି ପହଂଚିପାରିନି । ଯାହାକୁ ଯୁଦ୍ଧକାଳିନି ଭିତ୍ତିରେ ପଦକ୍ଷେପ ନେବାକୁ ଲକ୍ଷ୍ୟ ରଖିଛି ବିଭାଗ । ଏହାସହ ଲକ୍ ଡାଉନ ସମୟରେ ଘରେ ବହି ପହଚାଂଇବାକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
କେବେ ବାହାରିବ ଫଳାଫଳ ? କେବେ ଆରମ୍ଭ ହେବ ପାଠପଢା ? କେବେ ମିଳିବ ବହି ? ପୁଣି କେବେ କୋଳାହଳମୟ ପରିବେଶରେ ଫାଟି ପଡିବ ବିଦ୍ୟାଳୟ ? ଗୋଟିଏ ପଟେ କୋରନା ଟେନସନରେ ଘରୁ ବାହାରିବା ମନା ହୋଇଯାଇଥିବା ବେଳେ ପାଠପଢା ଓ ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । କୋରୋନା କବଜାରେ ଆବଦ୍ଧ ହୋଇଥିବା ସାରା ବିଶ୍ବ ଦିନ ରାତି ଏକ କରିଦେଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଗତ ଶିକ୍ଷା ବର୍ଷ ଶେଷ ଏବଂ ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ହିଁ ଏପରି ପରିସ୍ଥିତିର ସାମ୍ନା କରାଯାଉଥିବା ବେଳେ ପାଠପଢାର ଭବିଷ୍ୟତକୁ ନେଇ ଆଶା ଆଶଙ୍କା ଦେଖାଦେଇଛି । ତେବେ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ଯୁଦ୍ଧକାଳିନ ଭିତ୍ତିରେ ପଦକ୍ଷେପ ନେବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ଗଣଶିକ୍ଷା ବିଭାଗ ।
ଯୁକ୍ତ ଦୁଇ ପରୀକ୍ଷା ଓ ଦଶମ ଶ୍ରେଣୀ ପରୀକ୍ଷା ଖାତା ଦେଖା ସାଙ୍ଗକୁ ଫଳାଫଳ ଲକ୍ ଡାଉନ ପରେ ବିଭାଗ ସହ ବିଚାରବିମର୍ଶ କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହିତ ବାକି ଥିବା ନବମ ଶ୍ରେଣୀ ପରୀକ୍ଷା ବାବଦରେ ମଧ୍ୟ ନଷ୍ପତ୍ତି ନିଆଯିବ । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରଙ୍କ ଦ୍ବାରା ଦିଆଯାଉଥିବା ବହି ଗୁଡିକ ବ୍ଲକ୍ ଓ ବିଦ୍ୟାଳୟ ସ୍ତରରେ ପହଞ୍ଚିଯାଇଥିବାରୁ ଲକ୍ ଡାଉନ ଭିତରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଯିବାକୁ ଲକ୍ଷ୍ୟ ରଖାଯାଇଛି । ବଡ଼ କଥା ହେଲା ଜୁନ ୧୭ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଛୁଟି ଭିତରେ ପିଲାମାନଙ୍କୁ ପାଠପଢା ସହ ଯୋଡି ରଖିବାକୁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଶିକ୍ଷାବିତଙ୍କ ମତରେ ଲକ୍ ଡାଉନ କିମ୍ବା ଛୁଟି ସମୟରେ ସମୟ ଅପଚୟ ନ କରି ସମୟର ସଦଉପଯୋଗ କରିବା ଆବଶ୍ୟକ ବୋଲି କହିଛିନ୍ତି ।