କୋଠା ନିର୍ମାଣ କରୁଛନ୍ତି କି ? ଏଣିକି ଏହି ବ୍ୟବସ୍ଥା ନ ଥିଲେ ମିଳିବନି ଘର ତିଆରି ଅନୁମତି
କୋଠା ନିର୍ମାଣ କରୁଥିବା ସଂସ୍ଥା ସାବଧାନ । ଏଣିକି ମୋଟର ବିହିନ ଗାଡି ବ୍ୟବସ୍ଥା ନ ଥିଲେ ମିଳିବନି ଘର ତିଆରି ଅନୁମତି । ବିଡିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଭୁବନେଶ୍ୱରରେ ଆପାର୍ଟମେଣ୍ଟ ତିଆରି ନିମନ୍ତେ ସ୍ୱତନ୍ତ୍ର ଗାଇଡଲାଇନ ଦିଆଯାଇଛି
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କୋଠା ନିର୍ମାଣ କରୁଥିବା ସଂସ୍ଥା ସାବଧାନ । ଏଣିକି ମୋଟର ବିହିନ ଗାଡି ବ୍ୟବସ୍ଥା ନ ଥିଲେ ମିଳିବନି ଘର ତିଆରି ଅନୁମତି । ଏନେଇ ବିଡିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଭୁବନେଶ୍ୱରରେ ଆପାର୍ଟମେଣ୍ଟ ତିଆରି ନିମନ୍ତେ ସ୍ୱତନ୍ତ୍ର ଗାଇଡଲାଇନ ଦିଆଯାଇଛି । ବିଜ୍ଞପ୍ତି ମୁତାବକ କୋଠା ପ୍ରକଳ୍ପରେ ପବ୍ଲିକ ବାଇସାଇକେଲ ସେୟାରିଂ ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ । ଏଥିରେ ଖିଲାପ କଲେ କୋଠା ନିର୍ମାଣ ଲାଗି ଅନୁମତି ଦିଆଯିବ ନାହିଁ ବିଡିଏ ପକ୍ଷରୁ ସଫା ସଫା ମନା କରାଯାଇଛି ।
ଗ୍ରିନ୍ ଓ କ୍ଲିନ୍ ସ୍ମାର୍ଟ ସିଟି ପାଇଁ ଆଉ ପାଦେ ଆଗେଇଲା ଭୁବନେଶ୍ୱର । ସୁସ୍ଥ ଓ ସବୁଜ ପରିବେଶ ଲାଗି ପୁଣି ଏକ ନୂତନ ପ୍ରୟାସ ଜାରି କରିଛି ବିଡିଏ । ବିଡିଏ, ବିଏମସି ଓ ସ୍ମାର୍ଟ ସିଟି କାର୍ଯ୍ୟାଳୟରେ ସପ୍ତାହକୁ ଗୋଟିଏ ଦିନ ଶୁକ୍ରବାର ସାଇକେଲ କିମ୍ବା ଚାଲି ଚାଲି କାର୍ଯ୍ୟାଳୟ ଆସିବା ଘୋଷଣା କରିବା ପରେ ଏଣିକି କୋଠା ନିର୍ମାଣ ପ୍ରକଳ୍ପରେ ମୋଟର ବିହୀନ ଯାନ ତଥା ସାଇକେଲ ଟ୍ରାକ୍ ନ ଥିଲେ ତିଆରି କରିପାରିବେନି ଆପାର୍ଟମେଣ୍ଟ । ସହରରେ ସୁସ୍ଥ ଓ ସବୁଜ ପରିବେଶ ବୃଦ୍ଧି କରିବା ଲକ୍ଷ୍ୟ ନେଇ ସମସ୍ତ କୋଠା ନିର୍ମାଣ ପ୍ରକଳ୍ପରେ ମୋଟର ବିହୀନ ଗାଡି ଚଳାଚଳ ବ୍ୟବସ୍ଥା ଆପଣେଇବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଆଗାମୀ ଭବିଷ୍ୟତରେ ହେବାକୁ ଥିବା ଏବଂ ବର୍ତ୍ତମାନ ନିର୍ମାଣାଧୀନ ଅନୁମତି ଅପେକ୍ଷାରେ ଥିବା କୋଠା ନିର୍ମାଣ ପ୍ରକଳ୍ପ ଗୁଡିକରେ ଏହି ଯୋଜନା ନଥିଲେ କୋଠା ନିର୍ମାଣ ଲାଗି ଅନୁମତି ଦିଆଯିବ ନାହିଁ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମ୍ ଚନ୍ଦ୍ର ଚୌଧରୀ କହିଛନ୍ତି ।
ଏଥିପାଇଁ ସେମାନେ ସାଇକେଲ ଚଳପ୍ରଚଳ ଓ ଯାତାୟତ ଲାଗି ଆବଶ୍ୟକୀୟ ଭିତ୍ତିଭୂମୀ ଓ ସାଇକେଲ୍ ଟ୍ରାକ୍ ତିଆରି କରିବା ସହ ଆପାର୍ଟମେଣ୍ଟରେ ମିଳିତ ଭାବେ ରହୁଥିବା ପିଲାମାନେ ସାଇକେଲ ପାଇଁ ଆଗ୍ରହ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ସହରବାସୀଙ୍କ ମଧ୍ୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ଓ ସୁସ୍ଥ ରଖିବା ସହ ଏହା ସହ ସେମାନଙ୍କୁ ଏ ଦିଗରେ ଆବଶ୍ୟକୀୟ ବ୍ୟବସ୍ଥା ଦେଇ ଉସ୍ତ୍ରାହିତ କରିହେବ ବୋଲି ଅର୍ବାନ ପ୍ଲାନର ପିୟୁଷ ରାଉତ କହିଛନ୍ତି ।
ତେବେ ସହରର ବିଭିନ୍ନ ରାସ୍ତାରେ ଗତ ବର୍ଷ ହକି ବିଶ୍ୱକପ ସମୟରୁ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଟ୍ରାକ୍ କରାଯାଇ ମୋ ସାଇକେଲ ଯୋଜନା ପ୍ରଚଳିତ କରାଯାଇଥିଲା ଏବେ ଆପାର୍ଟମେଣ୍ଟରେ ଏପରି ପଦକ୍ଷେପ କେତେଦୂର ଗ୍ରହଣୀୟ ତାହା ସମୟ କହିବ ।