ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୫, ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ
ଉତ୍ତର-ପୂର୍ବ ଦିଲ୍ଲୀ ସ୍ଥିତି ଏବେ ଉତ୍ତେଜନାପୂର୍ଣ୍ଣ...ସ୍ଥିତି ଉପରେ କଡ଼ା ନଜର ରଖିଛି ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଲା । ମୃତକଙ୍କ ମଧ୍ୟରେ ଜଣେ ହେଡ୍ କଷ୍ଟବଲ ରହିଥିବା ବେଳେ ଅନ୍ୟ ୪ ସାଧାରଣ ନାଗରିକ ଅଛନ୍ତି । ସେହିପରି ବହୁ ପୋଲିସ କର୍ମୀ ଓ ବିକ୍ଷୋଭକାରୀ ଆହତ ମଧ୍ୟ ହୋଇଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀ ଏବେ ସ୍ଥିତି ଉତ୍ତେଜନାମୂଳକ ରହିଛି । ଜାଫରାବାଦ, ମୌଜପୁର, ଖଜୁରୀ ଖାସ ଇତ୍ୟାଦି ଅଞ୍ଚଳରେ ୧୪୪ଧାରା ଲାଗୁ କରାଯାଇଛି । ପୁରା ସ୍ଥିତି ଉପରେ କଡ଼ା ନଜର ରଖିଛି ଦିଲ୍ଲୀ ପୋଲିସ ।
ରଣକ୍ଷେତ୍ର ପାଲଟିଲା ଉତ୍ତର-ପୂର୍ବ ଦିଲ୍ଲୀ । ସୋମବାର ସିଏଏକୁ ବିରୋଧ କରି ବିକ୍ଷୋଭ କରୁଥିବା ଆନ୍ଦୋଳନକାରୀ ଉଗ୍ରରୂପ ନେଇଥିଲା । ଆଉ ଏହି ହିଂସାକାଣ୍ଡରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ହେଡ଼ କଷ୍ଟବଲ ରତନ ଲାଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଦିଲ୍ଲୀର ଭଜନପୁରା, ଗୋକୁଲପୁରୀ, ଚାନ୍ଦବାଗ, ମୌଜପୁର, ଜାଫରାବାଦ ଇତ୍ୟାଦି ଅଞ୍ଚଳରେ ସୋମବାର ଯେଉଁ ହିଂସାକାଣ୍ଡ ଘଟିଲା, ତାହା କେହି କଳ୍ପନା ବି କରିପାରିନଥିଲେ । ମୁହାଁମୁହିଁ ହୋଇଥିଲେ ସିଏଏ ବିରୋଧୀ ଓ ସମର୍ଥକ । ହିଂସାକାଣ୍ଡ ବେଳେ କେବଳ ପଥର ମାଡ଼ ହୋଇନଥିଲା, ପେଟ୍ରୋଲ ବମର ମଧ୍ୟ ବ୍ୟବହାର କରିଥିଲେ ବିକ୍ଷୋଭକାରୀ । ଗୋକୁଲପୁରୀ ଟାୟାର ମାର୍କେଟର ୨୦ଟି ଦୋକାନ ଜଳପୋଡ଼ି ପାଉଶ ହୋଇଯାଇଛି । ଏସବୁ ଅଞ୍ଚଳରେ ସ୍ଥିତି ଏବେ ମଧ୍ୟ ଉତ୍ତେଜନାମୂଳକ ରହିଛି ।
ଆହୁରି ପଢ଼ନ୍ତୁ; ଟ୍ରମ୍ପଙ୍କ ହିନ୍ଦୀ ପ୍ରିତୀ