ଚୀନ ଉଠାଉଥିଲା କାଶ୍ମୀର ପ୍ରସଙ୍ଗ, ମନା କରିଦେଲେ...
UNSCରେ ପାକ୍ ଫେଲ
ନୂଆଦିଲ୍ଲୀ: ମାଡ଼ ଖାଇଗଲା ଚୀନର ପାକ୍ ପ୍ରେମ । ଜାତିସଙ୍ଘ ସୁରକ୍ଷା ପରିଷଦ(UNSC) ବୈଠକରେ ଚୀନ କାଶ୍ମୀର ପ୍ରସଙ୍ଗ ଆଣିବାକୁ ଉଦ୍ୟମ କରିଥିଲା, ହେଲେ ତାହା ନୋହିଲା । ପାକ୍ ପ୍ରେମ ଦେଖାଇବାକୁ ଯାଇ ଚୀନ ଯେଉଁ ଉଦ୍ୟମ କରିଥିଲା, ତାହା ଫେଲ ମାରିଛି । କାଶ୍ମୀର ପ୍ରସଙ୍ଗକୁ ଦ୍ୱିପାକ୍ଷିକ ବୋଲି ଅନ୍ୟ ଦେଶମାନେ ସ୍ପଷ୍ଟ କହି ଦେଇଛନ୍ତି । ଆଉ ଏହାପରେ ପାକିସ୍ତାନର ମିଛ ପ୍ରଚାର ପୁଣିଥରେ ବିଫଳ ହୋଇଛି ।
ଗତକାଲି(ବୁଧବାର) UNSC ରୁଦ୍ଧଦ୍ୱାର ବୈଠକରେ ପାକ୍ ପ୍ରସଙ୍ଗ ଉଠାଇବାକୁ ଚେଷ୍ଠା କରିଥିଲା ପଡ଼ୋଶୀ ଚୀନ । ତେବେ ପରିଷଦର ସଦସ୍ୟ ଥିବା ଅନ୍ୟ ଦେଶମାନେ ଏହାର ବିରୋଧ କରିଥିଲେ । UNSCର ସଦସ୍ୟ ଦେଶମାନେ କହିଥିଲେ, ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବା ପାଇଁ ଏହା ଉପଯୁକ୍ତ ସ୍ଥାନ ନୁହେଁ । ଏହା ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ମୁଦ୍ଦା ।
ଜମ୍ମୁ କାଶ୍ମୀର ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ । ତେଣୁ ଏହା ଉପରେ ଆଲୋଚନା କରିବାକୁ ରୋକଠୋକ ବିରୋଧ କରିଦେଇଥିଲା ଫ୍ରାନ୍ସ । ଗତମାସ ହୋଇଥିବା ବୈଠକରେ ମଧ୍ୟ ଫ୍ରାନ୍ସ, ଆମେରିକା, ରୁଷ ଏବଂ ଇଂଲଣ୍ଡ କାଶ୍ମୀର ପ୍ରସଙ୍ଗରେ ଚୀନର ମୁହଁ ବନ୍ଦ କରିଦେଇଥିଲେ । ଫ୍ରାନ୍ସ ସ୍ପଷ୍ଟ କରିଦେଇଥିଲା, କାଶ୍ମୀର ପ୍ରସଙ୍ଗରେ ତାର ଆଭିମୁଖ୍ୟ ବଦଳିବ ନାହିଁ ।
ଜାତିସଙ୍ଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ସୈୟଦ ଅକବରୁଦ୍ଦୀନ କହିଛନ୍ତି, ''ଆମେ ପୁଣିଥରେ ଦେଖିବାକୁ ପାଇଲୁ ପାକିସ୍ତାନ ଏହି ମୁଦ୍ଦା ଉଠାଇବାକୁ ଉଦ୍ୟମ କରିଥିଲା । ମାତ୍ର କାହାର ମଧ୍ୟ ସମର୍ଥନ ମିଳିନି । ପାକିସ୍ତାନର ଭିତ୍ତିହୀନ ଅଭିଯୋଗ ଜାତିସଙ୍ଘରେ ଚର୍ଚ୍ଚା ହୋଇନଥିବାରୁ ଆମେ ଖୁସି ପ୍ରକଟ କରୁଛି ।''
ଆହୁରି ପଢ଼ନ୍ତୁ; ଶଗଡ଼ ଗାଡ଼ିରେ ଚାଲିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ