ନୂଆଦିଲ୍ଲୀ: ବଦଳି ଯାଇଛି ଜମ୍ମୁ କାଶ୍ମୀରର ପରିଚୟ । ଗୁରୁବାର ଠାରୁ ଜମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଅସ୍ତିତ୍ୱକୁ ଆସିଛି ।  ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଗିରୀଶ ଚନ୍ଦ୍ର ମୁର୍ମୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଜମ୍ମୁ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଉପରାଜ୍ୟପାଳ ପଦର ଶପଥ ପାଠ କରାଇଛନ୍ତି  । ଏହାପରେ ଅବସରପ୍ରାପ୍ତ ଆଇପିଏଏସ ଅଧିକାରୀ ରାଧାକୃଷ୍ଣ ମାଥୁରଙ୍କୁ ଲଦାଖ ଉପରାଜ୍ୟପାଳ ଭାବରେ ଶପଥ ପାଠ କରାଯାଇଛି । ଏହା ସହିତ ଉମଙ୍ଗ ନରୁଲାଙ୍କୁ ଲଦାଖ ଉପରାଜ୍ୟପାଳଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ହେବା ପରେ ଦେଶରେ ରାଜ୍ୟ ସଂଖ୍ୟା ୨୮କୁ ଖସି ଆସିଥିବାବେଳେ ଦେଶରେ କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଆଜିଠାରୁ ଜମ୍ମୁ କାଶ୍ମୀରରେ ରଣବୀର ପେନାଲ କୋଡ ବଦଳରେ ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଓ SRPC ଲାଗୁ ହୋଇଛି । ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଉର୍ଦ୍ଦୁ ପରିବର୍ତ୍ତେ ହିନ୍ଦୀ ଓ ଇଂରାଜୀ ଭାଷାରେ ସମସ୍ତ ପ୍ରାଶାସନିକ କାର୍ଯ୍ୟ ହେବ ।



ବର୍ତ୍ତମାନ ଜମ୍ମୁ କାଶ୍ମୀର ଓ ଲଦାଖବାସୀଙ୍କୁ କେନ୍ଦ୍ର ସରକାରଙ୍କ ସମସ୍ତ ସେବା ମିଳିବ । ଜମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ହେବା ପରେ ଏବେ ଦେଶବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଛେଦ ପରେ  ଜାମ୍ମୁକାଶ୍ମୀର ଓ ଲଦାଖକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ନେଇ ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।



ଜମ୍ମୁ କାଶ୍ମୀରରେ ବିଧାନସଭା ଥିବା କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ବେଲେ ଲଦାଖ୍ ବିନା ବିଧାନସଭାରେ କେନ୍ଦ୍ର ଶାସିତ ଅଞ୍ଚଳ ହେବ । ଜାମ୍ମୁ କାଶ୍ମୀରରେ ୧୧୪ ଆସନ ବିଶିଷ୍ଟ ବିଧାନସଭା ରହିଛି । ଯାହା ଏବେ କେନ୍ଦ୍ର ଶାସିତ ଅଞ୍ଚଳ ପାଲଟିଛି । ମୋଦି0 ସରକାର ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଜମ୍ମୁ କାଶ୍ମୀରର ପୁନଗର୍ଠନ କରିବାକୁ ନିଷ୍ପତ୍ତି ନେଇଥିଲେ ।