ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ଯେଉଁଠି ଦିଶାଙ୍କୁ ପୋଡିଥିଲେ, ସେଇଠି ହିଁ ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ମାତ୍ର ୧୦ ଦିନ ଭିତରେ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଥିବା କୁହାଯାଉଛି । ଆଉ ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା' । ଏପରିକି ତେଲେଙ୍ଗାନା ପୋଲିସ ସହ ଛିଡା ମଧ୍ୟ ହୋଇଛନ୍ତି । 


COMMERCIAL BREAK
SCROLL TO CONTINUE READING

୨୦୧୨ରେ ସାରା ଦେଶକୁ ଦୋହଲାଇ ଦେଇଥିଲା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା । ଚଳନ୍ତା ବର୍ଷରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନିର୍ଭୟା । ଏବେ ଘଟଣାକୁ ୭ ବର୍ଷ ପୁରିଲାଣି । ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ମଧ୍ୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । କିନ୍ତୁ ଏପର୍ଯ୍ୟନ୍ତ ଏମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇପାରିନି । ତେଣୁ ତ୍ୱରିତ ନ୍ୟାୟ ପାଇଁ ଅପିଲ କରିଛନ୍ତି ନିର୍ଭୟାଙ୍କ ମା' ।


ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମାତ୍ର ୧୦ ଦିନ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି । ଅର୍ଥାତ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଛି । ଯାହାକୁ ନେଇ ନିର୍ଭୟାଙ୍କ ମା' ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ପୋଲିସ ବହୁତ ଭଲ କାମ କରିଛି । ଏପରିକି ପରବର୍ତ୍ତୀ ସମୟରେ ପୋଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ସେ ଦାବି କରିଛନ୍ତି । 



କେବଳ ଏତିକି ନୁହେଁ, ତାଙ୍କ ଝିଅଙ୍କ ଦୁଷ୍କର୍ମକାରୀଙ୍କୁ ମଧ୍ୟ ତୁରନ୍ତ ଫାଶୀ ଦିଆଯାଉ ବୋଲି କହିଛନ୍ତି ନିର୍ଭୟାଙ୍କ ମା' ଆଶା ଦେବୀ । ଦୀର୍ଘ ୭ ବର୍ଷ ହେଲା ସେ କୋର୍ଟ କଚେରୀ ଚକ୍କର କାଟୁଛନ୍ତି । ତେଣୁ ତ୍ୱରିତ ନ୍ୟାୟ ପାଇଁ ସେ ଦାବି କରିଛନ୍ତି । ଯେତେ ଶୀଘ୍ର ସମ୍ଭବ, ମୋ ଝିଅର ଦୁଷ୍କର୍ମକାରୀଙ୍କୁ ମଧ୍ୟ ଫାଶୀ ଦିଆଯାଉ ବୋଲି କହିଛନ୍ତି ଆଶା ଦେବୀ । 


ପୋଲିସର ସୂଚନା ମୁତାବକ, ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ଚେତନାପାଲି ଓଭରବ୍ରିଜ ନିକଟକୁ ଅଭିଯୁକ୍ତଙ୍କୁ ନିଆଯାଇଥିଲା । କାହିଁକିନା ଏହି ଓଭରବ୍ରିଜ ତଳୁ ହିଁ ଦିଶାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ତେବେ ପୋଲିସକୁ ତଦନ୍ତରେ ସହଯୋଗ ନକରି ଖସି ପଳାଇବାକୁ ଉଦ୍ୟମ କରିଥିଲେ ସମସ୍ତ ଅଭିଯୁକ୍ତ । ଆଉ ଏମାନଙ୍କୁ କାବୁ କରିବାରେ ବିଫଳ ହେବାରୁ ଏନକାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହୋଇଥିଲା । 


କୁହାଯାଉଛି, ପୋଲିସକୁ ଚକମା ଦେଇ ଖସି ପଳାଇବାକୁ ଅନ୍ୟ ୩ ଅଭିଯୁକ୍ତଙ୍କୁ ପ୍ରଥମେ ଇସାରା କରିଥିଲା ମୁଖ୍ୟ ଅଭିଯୁକ୍ତ ଟ୍ରକ ଡ୍ରାଇଭର । ଆଉ ତାହା ଇସାରାରେ ସମସ୍ତେ ଏକା ସାଙ୍ଗରେ ଦୌଡିବାକୁ ଲାଗିଥିଲେ । 


ଆହୁରି ପଢନ୍ତୁ; ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର