ମହାରାଷ୍ଟ୍ର ଯାଉଛନ୍ତି ତ ଏହି ୧୦ଟି ସୁନ୍ଦରସ୍ଥାନ ବୁଲିବାରୁ ଜମା ଭୁଲନ୍ତୁ ନାହିଁ
ଭାରତର ଦକ୍ଷିଣ-ମଧ୍ୟ ସ୍ଥିତ ମହାରାଷ୍ଟ୍ର ଭାରତର ତୃତୀୟ ସବୁଠୁ ବଡ଼ ରାଜ୍ୟ ଅଟେ । ଏହା ପର୍ଯ୍ୟଟକଙ୍କୁ ସବୁବେଳେ ଆକର୍ଷିତ କରିଥାଏ । ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇ ଦେଶର ଆର୍ଥିକ ରାଜଧାନୀ ଭାବେ ଜଣାଯାଇଥାଏ
ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଭାରତର ଦକ୍ଷିଣ-ମଧ୍ୟ ସ୍ଥିତ ମହାରାଷ୍ଟ୍ର ଭାରତର ତୃତୀୟ ସବୁଠୁ ବଡ଼ ରାଜ୍ୟ ଅଟେ । ଏହା ପର୍ଯ୍ୟଟକଙ୍କୁ ସବୁବେଳେ ଆକର୍ଷିତ କରିଥାଏ । ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇ ଦେଶର ଆର୍ଥିକ ରାଜଧାନୀ ଭାବେ ଜଣାଯାଇଥାଏ । ସେହିପରି ପୁଣେ ଭାରତର ଷଷ୍ଠ ତମ ସବୁଠୁ ବଡ଼ ସହର । ଏହାଛଡ଼ା ଏଠାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । ଆସନ୍ତୁ ଜାଣିବା ମହାରାଷ୍ଟ୍ରର ସେହି ୧୦ଟି ସୁନ୍ଦର ପର୍ଯ୍ୟଟନସ୍ଥଳୀ ବିଷୟରେ । ସେହି ସ୍ଥାନକୁ ଆପଣ ନିଶ୍ଚୟ ବୁଲିବାକୁ ଯିବାକୁ ପସନ୍ଦ କରିବେ ।
ଅମରାବତୀ:
ମହାରାଷ୍ଟ୍ରର ଉତ୍ତର-ପୂର୍ବ ଦିଗରେ ଅବସ୍ଥିତ ଅମରାବତୀ ଦେବତାଙ୍କ ରାଜା ଇନ୍ଦ୍ରଙ୍କ ସହର ବୋଲି କୁହାଯାଏ । ତାଙ୍କ ଐତିହାସିକ ମନ୍ଦିର ଏବଂ ଅଭୟାରଣ୍ୟ ଏହାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ । ଏଠାର ଦେବୀ ଅମ୍ୱା, ଭଗବାନ ଶ୍ରୀକୃଷ୍ଣ ଏବଂ ଭେଙ୍କଟେଶ୍ୱର ମନ୍ଦିର ମହାରାଷ୍ଟ୍ରରେ ପ୍ରସିଦ୍ଧିଲାଭ କରିଛି । ଅମରାବତୀର ବୀର ଏବଂ ଶଙ୍କର ହ୍ରଦ ରହିଛି ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଅମରାବତୀ ଜିଲ୍ଲାରେ ଚିକଲଧାରା ଏବଂ ଧରଣୀ ତହସିଲର ଅଞ୍ଚଳରେ ବାଘ ଅଭୟାରଣ୍ୟ ୧୫୯୭ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି ।
ନାସିକ:
ନାସିକକୁ ନାସହିକ ନାମରେ ମଧ୍ୟ ଜଣାଯାଏ । ନାସିକ ମହାରାଷ୍ଟ୍ର ରାଜ୍ୟର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ । ଏହି ସହର ପ୍ରମୁଖ ରୂପେ ହିନ୍ଦୁ ତୀର୍ଥଯାତ୍ରୀଙ୍କ ପ୍ରମୁଖ କେନ୍ଦ୍ର ଭାବେ ଜଣାଯାଇଥାଏ । ନାସିକର କୁମ୍ଭ ମେଳା ସହରର ମୁଖ୍ୟ ଆକର୍ଷଣ କେନ୍ଦ୍ର ଅଟେ । ୧୨ ଜ୍ୟୋତିଲିଙ୍ଗ ମଧ୍ୟରୁ ଏଠାର ତୟମ୍ୱକେଶ୍ୱର ମନ୍ଦିର ପ୍ରମୁଖ ଲିଙ୍ଗ ଭାବେ ଜଣାଯାଇଥାଏ ।
ପୁଣେ:
ପୁଣେ ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ଏବଂ 'କୱିନ ଅଫ ଦ ଦକ୍କନ' ନାମରେ ମଧ୍ୟ ଜଣାଯାଇଥାଏ । ପୁଣେର ଶନିବାରୱାଡ଼ା ମହଲ ମଧ୍ୟ ପେଶବାଙ୍କ ନିବାସ ସ୍ଥାନ । ୧୭୩୦ରେ ଏହି ମହଲର ଭିତ୍ତିପ୍ରସ୍ତର ବାଜିରାଓ ପ୍ରଥମ ରଖିଥିଲେ । ୧୯୬୯ରେ ଆଗା ଖାନ୍ ଚତୁର୍ଥ ଏହାକୁ ଭାରତକୁ ହସ୍ତାନ୍ତର କରିଥିଲେ ।
ମୁମ୍ୱାଇ:
ମୁମ୍ୱାଇ ସହର ଆଗରୁ ବମ୍ୱେ ନାମରେ ଜଣାଯାଉଥିଲା । ଭାରତର ୪ ପ୍ରମୁଖ ମହାନଗର ମଧ୍ୟରୁ ଏହା ଏକ ପ୍ରମୁଖ ସହର ସହ ଓ ଏହା ମହାରାଷ୍ଟ୍ରର ରାଜଧାନୀ ଅଟେ । ଏହାକୁ ଭାରତର ଆର୍ଥିକ ରାଜଧାନୀ ବା ସବୁଠୁ ବଡ଼ ବ୍ୟବସାୟୀକ ସହର ଭାବେ ଜଣାଯାଇଥାଏ । ଏହା ଦେଶର ପ୍ରମୁଖ ଆର୍ଥିକ ଏବଂ ସଞ୍ଚାର କେନ୍ଦ୍ର ମଧ୍ୟ ଅଟେ । ଯଦି ଆପଣ ମୁମ୍ୱାଇ ଯାଉଛନ୍ତି ତ ଏଠାରେ ଥିବା ଗେଟ୍ ୱେ ଅଫ୍ ଇଣ୍ଡିଆ, ହାଜି ଅଲ୍ଲୀ, ଜୁହୁ ବିଚ୍, ଜୋଗେଶ୍ୱର ଗୁମ୍ଫା, ହ୍ୟାଙ୍ଗିଙ୍ଗ୍ ଗାର୍ଡେନ୍, ସିଦ୍ଧିବିନାୟକ ମନ୍ଦିର, ମେରାଇନ୍ ଡ୍ରାଇଭ୍ ବୁଲିଦେଖିପାରିବେ ।
ରତ୍ନଗିରି:
ସମୁଦ୍ର ଘେରାରେ ରତ୍ନଗିରି ବାଲ୍ ଗଙ୍ଗାଧର ତିଲକଙ୍କ ଜନ୍ମସ୍ଥାନ ଭାରତର ମହାରାଷ୍ଟ୍ର ରାଜ୍ୟର ଦକ୍ଷିଣ-ପଶ୍ଚିମ ଦିଗ ସମୁଦ୍ର ତଟରେ ଅବସ୍ଥିତ । ଏହା କୋଙ୍କଣ କ୍ଷେତ୍ରର ଏକ ଭାଗ ଅଟେ । ଏଠାରେ ବହୁତ ଲମ୍ୱା ସମୁଦ୍ର ତଟ ରହିଛି । ଏଠାରେ ଅନେକ ବନ୍ଦରଗାହ ମଧ୍ୟ ରହିଛି । ରତ୍ନଗିରିରେ ଦୁଇଟି ବିଶାଳ ବୌଦ୍ଧ ମଠ ଥିଲା, ମଠକୁ ଛାଡ଼ିଦେଲେ ୬ଟି ମନ୍ଦିର, ହଜାରେରୁ ଅଧିକ ଛୋଟ ଛୋଟ ସ୍ତୁପ, ୧୩୮୬ ମୋହର, ଅସଂଖ୍ୟ ମୂର୍ତ୍ତିର ଉଦ୍ଧାର କରାଯାଇଛି । ଥୀବା ମହଲ, ରତ୍ନଗିରି କିଲ୍ଲା ଭଳି ଆକର୍ଷୀୟ କେନ୍ଦ୍ର ମଧ୍ୟ ରହିଛି ।
ଖଣ୍ଡାଲା:
ମୁମ୍ୱାଇ ଠାରୁ ୧୦୦ କିଲୋମିଟର ଦୂର ଏବଂ ପୁଣେଠାରୁ ୭୦ କିଲୋମିଟର ଦୂରରେ ମୁମ୍ୱାଇର ଦକ୍ଷିଣ-ପୂର୍ବ ଦିଗରେ ଖଣ୍ଡାଲା ସହର । ଏଠାରୁ ୫ କିଲୋମିଟର ଦୂରରେ ଲୋନାବାଲା ଅବସ୍ଥିତ । ଖଣ୍ଡାଲା ଘାଟରେ ଅମୃତାଞ୍ଜନ ପଏଣ୍ଟ ସବୁଠୁ ବଡ଼ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଟେ । ଏଠାର ସବୁଜିମା ସୁନ୍ଦର ଘାଟି ଏବଂ ଡ୍ୟୁକ ନୋଜ୍ ପର୍ଯ୍ୟଟକଙ୍କ ମନ ମୋହିଥାଏ ।
ଲୋନାବାଲା:
ଲୋନାବାଲା ଏକ ହିଲ୍ ଷ୍ଟେସନ ଅଟେ । ଏହାକୁ ସହୟାଦ୍ରୀ ପାହାଡ଼ର ମଣୀ ନାମରେ ମଧ୍ୟ ଜଣାଯାଇଥାଏ । ଏହାକୁ ସ୍ୱାସ୍ଥ୍ୟବର୍ଦ୍ଧକ ସ୍ଥଳ ଭାବେ ମଧ୍ୟ ଜଣାଯାଇଥାଏ । ଏହା ସମୁଦ୍ର ତଟରୁ ୬୨୫ ମିଟର ଉଚ୍ଚରେ ଅବସ୍ଥିତ । ଏହା ମୁମ୍ୱାଇ ଏବଂ ପୁଣେର ପ୍ରବେଶ ଦ୍ୱାର ମଧ୍ୟ କୁହାଯାଏ । ବୁଡ଼ ପାର୍କ ଲୋନାବାଲାର ପ୍ରମୁଖ ବଜାରର ଠିକ୍ ପଛରେ ଅବସ୍ଥିତ । ଏହା ଏକ ଜୈବିକ ଉଦ୍ୟାନ ଅଟେ । ଏହି ପାର୍କର ବୀପରିତ ଦିଗରେ ଏକ ପୁରୁଣା ଇସାଇ କବରସ୍ଥାନ ମଧ୍ୟ ରହିଛି । ଏଠାରେ ଅନେକ କବରସ୍ଥଳୀ ରହିଛି ଯାହା ୧୦୦ ବର୍ଷରୁ ଅଧିକ ପୁରୁଣା ।
ଔରଙ୍ଗାବାଦ: ଔରଙ୍ଗାବାଦ ବିଶ୍ୱରେ ଅଜନ୍ତା ଏବଂ ଏଲୋରାର ପ୍ରସିଦ୍ଧ ବୌଦ୍ଧ ଗୁମ୍ଫା ପାଇଁ ଜଣାଯାଇଥାଏ । ଏହି ଗୁମ୍ଫା ଗୁଡ଼ିକୁ ବିଶ୍ୱ ହେରିଟେଜରେ ସାମିଲ କରାଯାଇଛି । ମଧ୍ୟକାଳରେ ଔରଙ୍ଗାବାଦ ଭାରତର ମହତ୍ୱପୂର୍ଣ୍ଣ ସ୍ଥାନ ଭାବେ ଜଣାଯାଏ । ଔରଙ୍ଗଜେବ ତାଙ୍କ ଶେଷ ସମୟ ଏଠାରେ ଅତିବାହିତ କରି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏଠାର ଔରାଙ୍ଗବାଦ ଙ୍କ ସ୍ତ୍ରୀ ରବିନା ଦୁରାନୀଙ୍କ ମଧ୍ୟ ସମାଧି ରହିଛି । ଏଠାର ପଚକ୍କୀ ଏକ ଭଲ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଯାଇଥାଏ ।
ଦୌଲତାବାଦ: ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଦୌଲତାବାଦ ଅବସ୍ଥିତ । ଏହାକୁ ଦେବଗିରି ନାମରେ ମଧ୍ୟ ଜଣାଯାଇଥାଏ । ଦୌଲତାବାଦରେ ଅନେକ ଐତିହାସିକ ମହଲ ରହିଛି ଯାହାକୁ ନିଶ୍ଚୟ ଦେଖିବା କଥା । ଏହି ମହଲରେ ଜାମା ମସଜିଦ୍, ଚାନ୍ଦ ମିନାର, ଚୀନୀ ମହଲ,ଏବଂ ଦୌଲତାବାଦ କିଲ୍ଲା ରହିଛି ।
ମହାବଳେଶ୍ୱର: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମହାବଳେଶ୍ୱର ହିଲ୍ ଷ୍ଟେସନ ପଶ୍ଚିମଘାଟରେ ଅବସ୍ଥିତ । ଏଠାରେ କୃଷ୍ଣା ଭାଇ ମନ୍ଦିର, ୩ ମଙ୍କୀ ପଏଣ୍ଟ, ବେନ୍ନା ହ୍ରଦ, ଲିଙ୍ଗମାଳା ଜଳପ୍ରପାତ, କାଟେସ୍ ପଏଣ୍ଟ, ବିଲସନ୍ ପଏଣ୍ଟ, ମହାବଳେଶ୍ୱର ନିକଟରେ ପ୍ରତାପଗଡ଼ କିଲ୍ଲା ରହିଛି । ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।