ନୂଆଦିଲ୍ଲୀ: ଆଜି ନୌସେନା ଦିବସ । ବୀରତ୍ୱକୁ ମନେ ପକାଇବାର ଦିନଟିଏ । ସୌର୍ଯ୍ୟକୁ ଅନୁଭବ କରିବାର ଦିନଟିଏ । ୧୯୭୧ ମସିହାରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ବିଜୟ ପରେ ଭାରତ ସବୁବର୍ଷ ଡିସେମ୍ବର ୪ ତାରିଖକୁ ନୌସେନା ଦିବସ ଭାବେ ପାଳିଆସୁଛି । ୧୯୭୧ ଡିସେମ୍ବର ୪ରେ ଭାରତୀୟ ନୌସେନା 'ଅପରେସନ ଟ୍ରାଇଡେଣ୍ଟ' ଲଞ୍ଚ୍ କରି କରାଚୀ ଜଳ ସୀମାରେ ପଶି ଆକ୍ରମଣ କରିଥିଲା । ଏ ଭିତରେ ୪୮ବର୍ଷ ବିତିଗଲାଣି । ତେଣୁ ସେହି ପରାକ୍ରମକୁ ମନେପକାଇ ଦେଶ ପାଳନ କରିଛି ୪୮ତମ ନୈସେନା ଦିବସ । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି ନୌସେନାକୁ ବଧେଇ ଜଣାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଭାରତୀୟ ନୌସେନା, ସମୁଦ୍ରର ସିକନ୍ଦର । ଯେଉଁମାନଙ୍କ ପାଇଁ ଦେଶ ଆଜି ସୁରକ୍ଷିତ । ଆକାଶରେ ବାୟୁସେନାର ପରାକ୍ରମ ଆଉ ସମୁଦ୍ରରେ ଜଳ ପ୍ରହରୀଙ୍କ ସମୁଦ୍ର ଛାତି ଚିରି ସୌର୍ଯ୍ୟର ଗାଥା । ଭାରତକୁ ଆଜି ସୁରକ୍ଷିତ ରଖିପାରିଛି । ଆଉ ବିଶ୍ୱର ୪ର୍ଥ ସବୁଠୁ ଶକ୍ତିଶାଳୀ ନୌସେନାର ସୌର୍ଯ୍ୟକୁ ସଲାମ୍ କରି ଭାରତ ସବୁବର୍ଷ ଡିସେମ୍ବର ୪ ତାରିଖକୁ ନାଭି ଡେ' ଭାବେ ପାଳନ କରୁଛି । ଭାରତୀୟ ନୌସେନାର ଶକ୍ତି ଓ ପରାକ୍ରମକୁ ଦେଶବାସୀ ଶତ ସଲାମ କରି ନୌସେନାର ବୀର ଯବାନଙ୍କୁ ଆଜିର ଦିନରେ ସ୍ମରଣ କରିଥା'ନ୍ତି।ଆଜିର ଦିନରେ ସାରା ଦେଶର ସାମୁଦ୍ରିକ ସୀମାର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଏ । ନୌସେନା ଦିବସ ଅବସରରେ ନାଭି ଆଡମିରାଲ କରମବୀର ସିଂହ ଦିଲ୍ଲୀସ୍ଥିତ ୱାର ମେମୋରିଆଲ ପହଞ୍ଚି  ସହିଦ ଯବାନଙ୍କୁ ସଲାମ କରିବା ସହ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ନୌସେନାର ବୀର ଯବାନମାନେ ମନାଇଥିଲେ ବିଜୟ ଉତ୍ସବ ।
ବିଶାଖାପାଟନମରେ ନୌସେନା ଦିବସର ପୂର୍ବ ସଂଧ୍ୟା ଅର୍ଥାତ୍ ମଂଗଳବାର ନୌସେନା ପକ୍ଷରୁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡୋମାନେ ରିହର୍ସାଲ କରିଥିଲେ । ନୌସେନାର ଶକ୍ତି ବି ପ୍ରଦର୍ଶିତ ହୋଇଥିଲା । ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଧନ୍ୟବାଦ ଦେଇଛନ୍ତି । ଏଥିସହ PM ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ନୌସେନା ଦିବସରେ ଜଳ ସୀମାକୁ ସୁରକ୍ଷା ଯୋଗାଉଥିବା ବୀର ଯବାନଙ୍କୁ ସଲାମ କରୁଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ନୌସେନାର ବହୁମୂଲ୍ୟ ସେବା ଓ ବଳିଦାନ ଦେଶକୁ ଶକ୍ତ ଓ ସୁରକ୍ଷିତ କରିଛି ବୋଲି ସେ କହିଛନ୍ତି ।
ଭାରତୀୟ ନୌସେନା ୧୩୭ଟି ଦେଶର ନୌସେନା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ପାକିସ୍ତାନ ଏହି ତାଲିକାର ୧୫ତମ ସ୍ଥାନରେ ରହିଛି । ମନେପକାନ୍ତୁ, ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା ।  ଏହି ଯୁଦ୍ଧ ସମୟରେ ଭାରତୀୟ ନୌସେନା କରାଚୀ ଉପରେ ଆକ୍ରମଣ କରିଥିଲା । ଏହି ଯୁଦ୍ଧକୁ ଅପରେସନ ଟ୍ରାଇଡେଣ୍ଟର ନାମ ଦିଆଯାଇଥିଲା ।  ଭାରତ ପକ୍ଷରୁ ଏହି ଯୁଦ୍ଧରେ ୩ଟି ବିଦ୍ୟୁତ ଯୁଦ୍ଧ ଜାହାଜ, ୨ଟି ଆଣ୍ଟି ସବ୍ ମରୀନ ଓ ଗୋଟିଏ ଟ୍ୟାଙ୍କର ବ୍ୟବହାର ହୋଇଥିଲା । ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ଜାହାଜ ବିଧ୍ୱଂସୀ ଆଣ୍ଟି ସିପ୍ ମିଶାଇଲରେ ଆକ୍ରମଣ କରାଯାଇଥିଲା । ପାକିସ୍ତାନ ନୌସେନାକୁ ଜବାବ ଦେବା ସହ ନିଜ ପରାକ୍ରମ ପ୍ରଦର୍ଶନ କରିଥିଲା ଭାରତୀୟ ନୌସେନା । ସେହି ଐତିହାସିକ ଦିନର ସ୍ମରଣରେ ପ୍ରତିବର୍ଷ ଡିସେମ୍ବର ୪ରେ ନୌସେନା ଦିବସ ପାଳିତ ହେଉଛି ।