ନୂଆଦିଲ୍ଲୀ: କେବେ ହେବ ପରିବାର ସହ ନିର୍ଭୟା ଦୋଷୀଙ୍କ ଅନ୍ତିମ ସାକ୍ଷାତ ? ଶେଷ ସାକ୍ଷାତ ପାଇଁ କେବେ ଇଚ୍ଛା ପ୍ରକଟ କରିବେ ୪ ଦୋଷୀ ? ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ କେହି ମଧ୍ୟ ଏଭଳି କିଛି ଇଚ୍ଛା ପ୍ରକଟ କରିନାହାଁନ୍ତି । ଆଇନର କୌଣସି ବାଟ ଦେଇ କାଳେ ବଞ୍ଚିଯାଇପାରିବେ,  ହୁଏତ ଏଭଳି କିଛି ଆଶା ଏବେ ବି ଉଜ୍ଜୀବିତ ରହିଛି । 


COMMERCIAL BREAK
SCROLL TO CONTINUE READING

ଅବଶ୍ୟ ରାଜକ୍ଷମା ପାଇଁ ମୁକେଶ ଆବେଦନ କରିଛି । ଏନେଇ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ଆସିନାହିଁ । ସେହିପରି ଡ଼େଥ ୱାରେଣ୍ଟ ଉପରେ ରୋକ ଲଗାଇବା ପାଇଁ ଯଦିଓ ହାଇକୋର୍ଟ ମନା କରିଦେଇଛନ୍ତି, ତଳ କୋର୍ଟଙ୍କ ଦ୍ୱାରସ୍ତ ହେବାକୁ ପରାମର୍ଶ ଦେଇଥିଲେ । ରାଜକ୍ଷମା ଏବେ ବିଚାରଧୀନ ଥିବାରୁ ଡେଥ ୱାରେଣ୍ଟ ଉପରେ ରୋକ୍ ଲଗାଇବାକୁ ମୁକେଶ ଅପିଲ କରିଛି । ଆଜି ତଳ କୋର୍ଟରେ ଏହାର ଶୁଣାଣି ହେବାର ଅଛି । ଏହା ପୂର୍ବରୁ ଦିଲ୍ଲୀ ସରକାର ଏବଂ ନିର୍ଭୟା ପରିବାରର ମତ ଲୋଡ଼ିଛନ୍ତି ଅଦାଲତ । 


ତେବେ ନିର୍ଭୟା ଦୋଷୀ ଏବେ ବଞ୍ଚିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ଏପର୍ଯ୍ୟନ୍ତ ପରିବାର ସହ ଶେଷ ସାକ୍ଷାତ ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ଇଚ୍ଛାପ୍ରକଟ କରିନାହାଁନ୍ତି । ବୁଧବାର ଜଣେ ଅଧିକାରୀ ଏନେଇ ସୂଚନା ଦେଇଥିଲେ । 


ପତ୍ନୀଙ୍କ ସହ ଫୋନରେ କଥା ହୁଏ ଅକ୍ଷୟ


୨୦୧୯ ନଭେମ୍ବରରୁ ଅକ୍ଷୟଙ୍କ ପତ୍ନୀ ଦେଖା କରିବା ପାଇଁ ଆଉ ଆସିନାହାନ୍ତି । ଜଣେ ଜେଲ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପତ୍ନୀଙ୍କ ସହ ମଝିରେ ମଝିରେ ଫୋନରେ କଥା ହୋଇଥାଏ ଦୋଷୀ ଅକ୍ଷୟ । ତେବେ ସାକ୍ଷାତ କରିବା ପାଇଁ ପରିବାର ଲୋକଙ୍କୁ ଏବେ କୌଣସି କଟକଣା ନଥିବା ସେ କହିଛନ୍ତି । 


ଏବେ ଅକ୍ଷୟଙ୍କ ପତ୍ନୀ କାହିଁକି ଦେଖା କରିବାକୁ ଆସୁନାହାଁନ୍ତି ?


ଶେଷଥର ପାଇଁ ଗତ ନଭେମ୍ବରରେ ଅକ୍ଷୟକୁ ଦେଖା କରିଥିଲେ ପତ୍ନୀ । ତାପରେ ଆଉ ଦେଖାକରିବାକୁ ଆସିନାହାଁନ୍ତି । ଏନେଇ ଅକ୍ଷୟ କୁହେ, ସେ ଯେବେ ଡାକିବ ସେବେ ଯାଇ ଦେଖା କରିବାକୁ ଆସିବେ । 


୨୨ରେ ଫାଶୀ ଦେବା ଆଉ ସମ୍ଭବ ନୁହେଁ 


ଗତକାଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଓକିଲ ଯାହା କହିଲେ, ତାକୁ ଦେଖିଲେ ୨୨ରେ ଫାଶୀ ଦେବା ଗୋଟିଏ ପ୍ରକାର ଅସମ୍ଭବ । ଯେହେତୁ ବର୍ତ୍ତମାନ ମୁକେଶର ରାଜକ୍ଷମା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ, ତେଣୁ ନିଷ୍ପତ୍ତି ଆସିବା ପରେ ଯାଇ ପାଶୀ କଥା ଚିନ୍ତା କରାଯିବ । ତେବେ ତଳ ଅଦାଲତ ଆଜି ତାଙ୍କ ରାୟରେ କ'ଣ ଶୁଣାଉଛନ୍ତି, ତାହା ବେଶ ଗୁରୁତ୍ୱବହନ କରୁଛି ।  


ଆହୁରି ପଢ଼ନ୍ତୁ; ଜେଲରେ ବେଶି ନିୟମ ଭାଙ୍ଗୁଥିଲା ବିନୟ, କାମ କରୁନଥିଲା ମୁକେଶ...