୭ ବର୍ଷ ଭିତରେ କିଏ କେତେ ଟଙ୍କା କମାଇଛି ?
Trending Photos
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ଦିନ ଯେତିକି ପାଖେଇ ଆସୁଛି, ସାମ୍ନାକୁ ଆସୁଛି ତାଙ୍କୁ ନେଇ ଅନେକ ତଥ୍ୟ । ୭ ବର୍ଷ ଧରି କେମିତି ବିତୁଥିଲା ଦୋଷୀଙ୍କ ଦିନ ? କିଏ କେତେ ରୋଜଗାର କରିଛି ? ଜେଲ ନିୟମ କିଏ ବେଶି ଉଲଙ୍ଘନ କରୁଥିଲା ? ସୂତ୍ର ମାଧ୍ୟମରେ ଏବେ ଏଭଳି କିଛି ସୂଚନା ସାମ୍ନାକୁ ଆସିଛି । ଜଣାପଡ଼ିଛି, ଜେଲରେ କାମ କରିବାକୁ ରୋକଠୋକ୍ ମନା କରିଦେଇଥିଲା ଦୋଷୀ ମୁକେଶ, ଯିଏ ଏବେ ବଞ୍ଚିବା ପାଇଁ ଗୋଟିଏ ପରେ ଗୋଟିଏ ଉଦ୍ୟମ କରିଚାଲିଛି ।
କିଏ କେତେ ଥର ଜେଲ ନିୟମ ଉଲଙ୍ଘନ କରିଛି ?
ନିର୍ଭୟା ଦୋଷୀ ଜେଲରେ ରହିବା ଭିତରେ ୨୩ ଥର ନିୟମ ଉଲଙ୍ଘନ କରିଛନ୍ତି । ଆଉ ଏଥିପାଇଁ ଦଣ୍ଡ ମଧ୍ୟ ପାଇଛନ୍ତି । ନିୟମ ଉଲଙ୍ଘନ କରିବାରେ ସବୁଠୁ ଆଗରେ ରହିଛି ଦୋଷୀ ବିନୟ । ନିୟମ ଭାଙ୍ଗିଥିବାରୁ ସର୍ବାଧିକ ୧୧ ଥର ଦଣ୍ଡ ପାଇଛି ସେ । ସେହିପରି ପବନ ୮ ଥର, ମୁକେଶ ୩ ଥର ଏବଂ ଅକ୍ଷୟ ମାତ୍ର ଥରୁଟେ ନିୟମ ଉଲଙ୍ଘନ କରିଥିଲେ । ନିୟମ ଉଲଙ୍ଘନ ଯୋଗୁଁ ଏମାନଙ୍କୁ ଦଣ୍ଡ ମଧ୍ୟ ମିଳିଥିଲା ।
ଜେଲରେ ଥିବା ସମୟରେ କିଏ କେତେ ରୋଜଗାର କରିଛନ୍ତି ?
ରୋଜଗାର କରିବାରେ ସବୁଠୁ ଆଗରେ ରହିଛି ଦୋଷୀ ଅକ୍ଷୟ । ୭ ବର୍ଷ ଭିତରେ ସେ ୬୯ହଜାର ଟଙ୍କା ରୋଜଗାର କରିଛି । ଜେଲ କର୍ତ୍ତୃପକ୍ଷ ଯେଉଁ କାମ ଦେଉଥିଲେ, ସେ କରୁଥିଲା । ସେହିପରି ବିନୟ ୩୯ ହଜାର ଏବଂ ପବନ ୨୯ ହଜାର ଟଙ୍କା ରୋଜଗାର କରିଛନ୍ତି । ଅର୍ଥାତ ଜେଲରେ କାମ କରି ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନିର୍ଭୟା ଦୋଷୀ ରୋଜଗାର କରିଛନ୍ତି ।
କାମ କରିବାକୁ ମନା କରିଥିଲା ମୁକେଶ, ରୋଜଗାର ଶୂନ
ଦୋଷୀ ମୁକେଶ । ହିଁ, ସେହି ମୁକେଶ ଯେ କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଜକ୍ଷମା ପାଇଁ ଆବେଦନ କରିଛି । ଏପରିକି ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ତ ହୋଇଛି । ମୁକେଶ ଜେଲରେ କେବେ କାମ କରୁନଥିଲା । ଆରମ୍ଭରୁ ହିଁ ସେ କାମ କରିବାକୁ ରୋକଠୋକ୍ ମନା କରିଦେଇଥିଲା । ଅର୍ଥାତ ୭ ବର୍ଷ ଭିତରେ ତା ରୋଜଗାର ଶୂନ ।
ପାଠ ପଢ଼ା କେମିତି ଥିଲା ?
୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ନନ୍ ମେଟ୍ରିକ ଅର୍ଥାତ ଦଶମରୁ କମ ଶିକ୍ଷିତ। ସ୍କୁଲ ଶିକ୍ଷା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ କରିନାହାନ୍ତି। ୨୦୧୬ ମସିହାରେ ଦୋଷୀ ମୁକେଶ, ପବନ ଏବଂ ଅକ୍ଷୟ ଦଶମ ଶ୍ରେଣୀରେ ଆଡ଼ମିଶନ କରିଥିଲେ । ହେଲେ ପରୀକ୍ଷାରେ ପାଶ୍ କରିପାରିନଥିଲେ । ଅନ୍ୟପଟେ ବିନୟ ଟିକେ ପାଠୁଆ ଥିଲା । ୨୦୧୫ରେ ସ୍ନାତକରେ ଆଡ଼ମିଶନ କରିଥିଲା । ମାତ୍ର ନିଜ ପଢ଼ା ପୁରା କରିପାରିନଥିଲା ।
କହିରଖୁଛି, ଗତକାଲି ଦୋଷୀ ବିନୟ ଏବଂ ମୁକେଶର କ୍ୟୁରେଟିଭ ପିଟିସନକୁ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ମୁକେଶ ଏବେ ରାଜକ୍ଷମା ଆବେଦନ କରିଛି । ଅନ୍ୟପଟେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରି ହୋଇଛି । ଅର୍ଥାତ ୨୨ ସକାଳ ନିର୍ଭୟା ଦୋଷୀଙ୍କ ପାଇଁ ଶେଷ ସକାଳ ହେବା ଏକ ପ୍ରକାର ସ୍ପଷ୍ଟ ।
ଆହୁରି ପଢ଼ନ୍ତୁ; ଯଦି ରାଜକ୍ଷମା ଖାରଜ ହୁଏ, ମୁକେଶ କହୁଛି ଏପରି କରିବି...