ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ
ପ୍ରଥମେ ଦିନରେ ନିପାତ ହେଲେ ୧ ହଜାରରୁ ଅଧିକ କୁକୁଡ଼ା
ସରୋଜ ବେହେରା, ଭୁବନେଶ୍ୱର: ଶିରିପୁରସ୍ଥିତ ଓୟୁଏଟି କୁକୁଡା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ବ୍ୟପିବା ଘଟଣା ପରେ ଏହାକୁ ରୋକିବା ଲାଗି ଆରମ୍ଭ ହୋଇଛି ପ୍ରୟାସ । ୧୨ଟି ରାପିଡ଼ ଆକ୍ସନ ଟିମ୍ ତିଆରି କରାଯାଇଛି । ଏ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା କାମରେ ନିୟୋଜିତ ହୋଇଥିବା ବେଳେ ବଳକା ଟିମ୍ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମସ୍ତ କର୍ମଚାରୀ ନିଜକୁ ବିଶୋଧନ କରିବା ସହ ଟାମି ଫ୍ଲୁ ଔଷଧ ଖାଇ କୁକୁଡା ମରା କାର୍ଯ୍ୟରେ ଲାଗିପଡିଛନ୍ତି । ଓୟୁଏଟି ଏହି ଭାଇରସର ଏପିସେଣ୍ଟର ହୋଇଥିବାରୁ କୌଣସି ଗୋଟାଏ ବି କୁକୁଡା ଯେଭଳି ବର୍ତ୍ତି ନ ଯାଉ, ତାହା ଉପରେ ନଜର ରଖାଯାଇଛି । ଓୟୁଏଟିର ଏକ କିଲୋମିଟର ରେଡିଅସରେ ଥିବା ସମସ୍ତ କୁକୁଡା ମାରି ସେଥିପାଇଁ ଲୋକଙ୍କୁ କ୍ଷତିପୂରଣ ଦେବାକୁ ବନ୍ଦୋବସ୍ତ କରାଯାଇଛି ।
ଜିଲ୍ଲାପାଳଙ୍କ ତତ୍ୱାବଧାନରେ ହସ୍ପିଟାଲ, ମତ୍ସ ଓ ପଶୁ କଲ୍ୟାଣ ବିଭାଗ, ପୋଲିସ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମିଳିତ ଭାବେ ବାର୍ଡ ଫ୍ଲୁ ରୋକିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ରକ୍ତ ପରୀକ୍ଷା କରିବା ପରେ ସେମାନଙ୍କୁ ଟାମି ଫ୍ଲୁ ନାମକ ଆଣ୍ଟି ଭାଇରସ ଟେବଲେଟ ଦିଆଯାଇଛି । ଏହା ପରେ ଭାଇରସ ନ ହେବା ପାଇଁ ଜ୍ୟାକେଟ ଦିଆଯାଇଛି । ଗୋଡରୁ ମୁଣ୍ଡ ଯାଏଁ ସେମାନେ ଘୋଡ଼ାଇ ହୋଇ କୁକୁଡା ମାରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
ପୂର୍ବରୁ କୁକୁଡ଼ାଙ୍କୁ ପୋତିବା ପାଇଁ ୩ଟି ଗାତ କରାଯାଇଥିଲା । କୁକୁଡା ମରା ହେବା ପରେ ସେ ସବୁ କୁକୁଡ଼ାଙ୍କୁ ପୂର୍ବରୁ ବିଶୋଧନ ହୋଇଥିବା ଗାତରେ ପୋତାଯାଇଛି । ଓୟୁଏଟିର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରୁ ବାହାରକୁ କୌଣସି କୁକୁଡ଼ା ଓ କୁକୁଡ଼ା ଜାତୀୟ ପଦାର୍ଥ ଚାଲାଣ କରାଯାଇପାରିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବାଣୁ ମୁକ୍ତ ପ୍ରମାଣପତ୍ର ପ୍ରଦାନର ୯୦ ଦିନ ପରେ ସଂକ୍ରମିତ ଅଞ୍ଚଳରେ କୁକୁଡା ଜାତୀୟ ବ୍ୟବସାୟ କରାଯାଇପାରିବ ବୋଲି କୁହାଯାଇଛି । ବାର୍ଡ ଫ୍ଲୁ ପାଇଁ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ ବିଭିନ୍ନ ଅଞ୍ଚଳ ବୁଲି ସେଠାରେ ଥିବା କୁକୁଡ଼ାଙ୍କୁ ମରାଯାଇଛି । ସରକାରୀ ଦର ହିସାବରେ ସେ ସମସ୍ତ କୁକୁଡ଼ାର କ୍ଷତିପୂରଣ ଦିଆଯିବାକୁ ବ୍ୟବସ୍ଥା କରାଯାଉଛି ।
ତିନିଦିନ ହେବ ବାର୍ଡ ଫ୍ଲୁ ଯୋଗୁ ଓୟୁଏଟିରେ କୁକୁଡ଼ା ମରୁଥିଲେ । ହେଲେଓୟୁଏଟିୁ କର୍ତ୍ତୃପକ୍ଷ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ପରିସ୍ଥିତି ଅଣାୟତ ହେବେ ପରେ ବିଭାଗୀୟ କର୍ତ୍ତୃପକ୍ଷ ମୁହଁ ଖୋଲିଥିଲେ । ଏକା ସଙ୍ଗେ ୧୨ଟି ରାପିଡ ଆକ୍ସନ ଟିମ୍ ତିଆରି କରାଯାଇଛି । ଏ ମଧ୍ୟରୁ ୭ଟି ଟିମ୍ କୁକୁଡ଼ା ମରା କାମରେ ନିୟୋଜିତ ହୋଇଥିବା ବେଳେ ବଳକା ଟିମ୍ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମସ୍ତ ଅଧିକାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ବିଭାଗ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ଓୟୁଏଟି କର୍ତ୍ତୃପକ୍ଷ ।
ପୂର୍ବରୁ ଅନେକ ବାର ରାଜଧାନୀରେ ବାର୍ଡ ଫ୍ଲୁ ହୋଇଥିଲା । ଓୟୁଏଟିକୁ ବାହାରି ପକ୍ଷୀ ଆସୁ ନ ଥିବା ବେଳେ ବାର୍ଡ ଫ୍ଲୁ ଏଠାକୁ କିଭଳି ଆସିଲା ତାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଇଁ ରହସ୍ୟ ହୋଇ ରହିଛି । ଓୟୁଏଟିରେ ପ୍ରାୟ ୨୦ରୁ ଅଧିକ ପ୍ରଜାତିର ଏକ ହଜାରରୁ ଅଧିକ କୁକୁଡ଼ାକୁ ମରାଯାଇଛି ।
ଆହୁରି ପଢ଼ନ୍ତୁ; T-20 ସିରିଜ, ନ୍ୟୁଜିଲ୍ୟାଣ୍ଡକୁ ହରାଇଲେ ଇତିହାସ ରଚିବ ଭାରତ