ନୂଆଦିଲ୍ଲୀ: ଶିତୁଆ ସନ୍ଧ୍ୟାରେ ରକ୍ତରଞ୍ଜିତ ହୋଇ ଉଠିଥିଲା ପୁଲଓ୍ୱାମାର ରାଜପଥ। ଭାରତୀୟ ବୀର ଯବାନଙ୍କ ରକ୍ତରେ ଏକ ପ୍ରକାର ହୋଲି ଖେଳିଥିଲେ ନୃଶଂସ ଆତଙ୍କୀ। ୧୦୦ କିଲୋ ଆରଡିଏକ୍ସ ଭର୍ତ୍ତି ଏକ କାରକୁ ସେନା ଗାଡ଼ି ସହିତ ଧକ୍କା କରାଇ କରିଥିଲେ ନେଇଥିଲେ ୪୦ ସାହାସୀ ଜୀବନ। ବିଜୁଳି ବେଗରେ ଖବର ପ୍ରଚାରିତ ହେବା ପରେ ସ୍ତବ୍ଧ ହୋଇ ଯାଇଥିଲା ସମଗ୍ର ଦେଶ। ଘଟଣାକୁ ବର୍ଷେ ପୁରିଛି। ମାତ୍ର ଆଜି ବି ସେଦିନର କ୍ଷତ ବେଶ ସତେଜ ରହିଛି। ପ୍ରତିଶୋଧ ପରାୟଣ ହୋଇ ଉଠିଛି ଦେଶ। 


COMMERCIAL BREAK
SCROLL TO CONTINUE READING

ଘଟଣା ପରେ ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ଘଟଣାକୁ ପରବର୍ତ୍ତି ସମୟରେ ଅନେକ ତଦନ୍ତ କରାଯାଇଛି। ଅନେକ ତଦନ୍ତକାରୀ ସଂଗଠନ ମଧ୍ୟ ଏହି ତଦନ୍ତ କାର୍ଯ୍ୟ କରିଛନ୍ତି। ତେବେ ଏହି ତଦନ୍ତ ମଧ୍ୟ ନିଷ୍କ୍ରିୟ ହୋଇ ପଡ଼ ରହିଛି। ଆଜି ବି ମଧ୍ୟ ଉକ୍ତ ତଦନ୍ତ ଗୁଡିକ ଦିଗହୀନ ହୋଇ ପଡ଼ିଛି। 


ଅଧିକ ପଢନ୍ତୁ: ଅନାବିଳ ମମତା...


ତେବେ ଘଟଣାରେ ବ୍ୟବହାର ହୋଇଥିବା ଏକ କୁଇଣ୍ଟାଲ ଆରଡିଏକ୍ସ କୁ ନେଇ ଯେଉଁ ତଦନ୍ତ ଆରମ୍ଭ ହୋଇଥିଲା, ତାହା ବର୍ତ୍ତମାନ ନିଷ୍କ୍ରିୟ। ଏହି ଘଟଣାର ତଦନ୍ତ କରୁଥିଲା ଏନଆଇଏ ଅର୍ଥାତ ନ୍ୟାସନାଲ ଇନଭେଷ୍ଟିଗେଟିଭ ଏଜେନ୍ସି।  ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଏହି ଆରଡିଏକ୍ସ ବିଶେଷ ଭାବେ ଯୁଦ୍ଧ ସମୟରେ ବ୍ୟବହାର କରାଯାଇଥାଏ। ଦେଶ ମଧ୍ୟରେ ଏହାକୁ ସାଧାରଣ ଲୋକମାନେ କିଣିପାରିବେ ନାହିଁ। ଏଗୁଡିକ ବିଶେଷ ଭାବେ ସେନାମାନଙ୍କୁ ରପ୍ତାନୀ କରାଯାଇଥାଏ। ସେହିପରି ଫରେନସିକ ଅଧିକାରୀମାନେ କହିବା ମୁତାବକ ଏହି ବିସ୍ଫୋରଣରେ ପ୍ରାୟ ୩୫ କିଲୋ ପ୍ଲାଷ୍ଟିକ ବିସ୍ଫୋଟକ ମଧ୍ୟ ବ୍ୟବହାର କରାଯାଇଥିଲା। ସେହିପରି ଉକ୍ତ ବିସ୍ଫୋଟକ ମଧ୍ୟରେ ଆମୋନିୟମ ନାଇଟ୍ରେଟ, ନାଇଟ୍ରୋଗ୍ଲିସେରିନ ଏବଂ କିଛି ଆରଡିଏକ୍ସ ମଧ୍ୟ ସାମିଲ ରହିଥିଲା। 


ପୁଲଓ୍ୱାମା ଆତଙ୍କୀ ଆକ୍ରମଣ ଘଟଣାରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥିଲା ଏନଆଇଏ। ତଦନ୍ତ ସମୟରେ ସମସ୍ତ ଆତଙ୍କୀ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଥିବାରୁ ଏନଆଇଏ ହାତରେ କୌଣସି ମଜବୁତ ପ୍ରମାଣ ଲାଗି ନଥିଲା। ଅନୁରୂପ ଭାବେ ତଦନ୍ତ କାର୍ଯ୍ୟ ସୂଚାରୁ ରୂପେ ହୋଇ ନଥିବାରୁ ଘଟଣାରେ ଚାର୍ଜସିଟ ମଧ୍ୟ ଦାଖଲ କରିପାରିନଥିଲା ଏନଆଇଏ। ଏନଆଇଏ କହିଥିଲା କି, ମୁଦାସିର ଅହମ୍ମଦ ଓ ସଜ୍ଜାଦ ଭଟ୍ଟ ଦୁଇ ଆତଙ୍କୀଙ୍କୁ ହତ୍ୟା କରିଥିଲେ ଯବାନ। 


ସେହିପରି ଏହି ଆତଙ୍କବାଦୀ ଆକ୍ରମଣରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ଏକ ଭିଡ଼ିଓ ମାଧ୍ୟମରେ ଉକ୍ତ ସଂଗଠନ ଏହା ପ୍ରକାଶ କରିଥିଲା। ସଂଗଠନ ପକ୍ଷରୁ କୁହାଯାଇଥିଲା କି ଏହି ଆତ୍ମଘାତୀ ଆକ୍ରମଣକୁ ଆଦିଲ ଅହମ୍ମଦ ଡାର ସମ୍ପୂର୍ଣ୍ଣ ରୂପ ଦେଇଛି। ସେ ପୁଲଓ୍ୱାମା ଜିଲ୍ଲାର କୋକାପୋରା ଅଞ୍ଚଳର ବୋଲି ଉକ୍ତ ଭିଡ଼ିଓରେ ସଂଗଠନ ପକ୍ଷରୁ କୁହାଯାଇଛି। ଭିଡ଼ିଓରେ ଡାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଦେଖା ଦେଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ସେ କହିଥିଲା କି, ଏହି ଭିଡ଼ିଓ ଆପଣ ମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ମୁଁ ଭଗବାନଙ୍କ ନିକଟରେ ରହିଥିବି ବୋଲି ଉକ୍ତ ଭିଡ଼ିଓରେ ଡାର ଆକ୍ରମଣ ପୂର୍ବରୁ କହିଥିଲା। 


ଅଧିକ ପଢନ୍ତୁ: ହାତଯୋଡ଼ି ଟଙ୍କା ନେଇ ଯାଅ କହିଲା ପଳାତକ


ତଦନ୍ତ ସମୟରେ ଆଉ ଏକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁ କାର ମାଧ୍ୟମରେ ଏହି ଘଟଣାକୁ ରୂପ ଦିଆଯାଇଥିଲା, ସେହି କାରଟିକୁ ୨୦୧୧ ମସିହାରେ ପ୍ରଥମ ଥର ପାଇଁ ବିକ୍ରି କରାଯାଇଥିଲା। ତେବେ ଘଟଣା ଘଟିବାର ୧୦ ଦିନ ପୂର୍ବରୁ ଏହି କାରକୁ କିଣିଥିଲା ସଜ୍ଜାଦ ଭଟ୍ଟ। ତଦନ୍ତ ସମୟରେ ଏନଆଇଏ କହିଥିଲା କି, ଘଟଣା ପୂର୍ବରୁ ଅହମ୍ମଦ ଖାନ ବିସ୍ଫୋଟକକୁ ମଧ୍ୟ ଯୋଗାଡ଼ କରିଥିଲେ। ତେବେ ଘଟଣା ପରେ ବିସ୍ଫୋରଣ ପରେ ଉକ୍ତ ଗାଡ଼ିର ଅଂଶବିଶେଷ ମଧ୍ୟ ସହଜରେ ମିଳିନଥିଲା। ସେ ଆହୁରି ମଧ୍ୟ କହିଥିଲେ କି, ବିସ୍ଫୋରଣ ପରେ ଗାଡ଼ିଟି ଖାଇ କିମ୍ବା ନିକଟସ୍ଥ ନଦୀରେ ଖସି ପଡ଼ି ଥାଇପାରେ ବୋଲି ସେ କହିଥିଲେ। 


ଏହା ତ ଥିଲା ତଦନ୍ତର ଗୋଟିଏ ଅଂଶ। ଅନ୍ୟ ଏକ ଘଟଣା ହେଉଛି, ଏହି ଆକ୍ରମଣ ପଛର ମୂଳ କାରଣ। ତଦନ୍ତକାରୀ ଅଧିକାରୀ କହିଛନ୍ତି କି, ଏହି ତଦନ୍ତର କୌଣସି କାରଣ ସ୍ପଷ୍ଟ ହୋଇପାରିନାହିଁ। କାରଣ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଆତଙ୍କୀଙ୍କୁ ଘଟଣା ସ୍ଥଳରେ ହତ୍ୟା କରାଯାଇଥିଲା। ଫଳରେ ଘଟଣା ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ସାମ୍ନାକୁ ଆସି ପାରିନଥିଲା। ଫଳରେ ଆଜି ମଧ୍ୟ ଆରଡିଏକ୍ସ କେଉଁଠୁ ଆସିଲା, ଏଭଳି ଘଟଣା କାହିଁକି ଘଟାଗଲା, ସୈନ୍ୟବାହିନୀଙ୍କୁ କାହିଁକି ଟାର୍ଗେଟ କରାଗଲା ଏଭଳି ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ସାମ୍ନାକୁ ଆସିପାରିନାହିଁ ବୋଲି ସେ କହିଥିଲେ। 


ତେବେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ସଂଗଠନ ପକ୍ଷରୁ ଡାରର ଭିଡ଼ିଓକୁ ସଂଗଠନର ପ୍ରବକ୍ତା ମହମ୍ମଦ ହସନ ଜାରି କରିଥିଲେ। ମାତ୍ର ସେ ପାକିସ୍ତାନରେ ଥିବାରୁ ତଦନ୍ତକୁ ମଧ୍ୟ ଆଗେଇ ନେଇ ପାରିନଥିଲେ। ଏହି ମାମଲାରେ ତଦନ୍ତକାରୀ ସଂସ୍ଥାକୁ ୯୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଉକ୍ତ ସମୟ ମଧ୍ୟରେ ତଦନ୍ତ ନ ସରିବାରୁ ଏନଆଇଏ ଚାର୍ଜସିଟ ଦାଖଲ କରିପାରିନଥିଲା।