ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ପରେ ଅନେକ କ୍ରିକେଟ ପ୍ରେମୀ ଖୁସି ପ୍ରକାଶ କରିଥିଲେ । କିନ୍ତୁ ଯେତେବେଳେ ଖବର ଆସିଥିଲା କି ଗାଙ୍ଗୁଲି ମାତ୍ର ୧୦ ମାସ ପାଇଁ ଏହି ପଦବୀରେ ରହିବେ, ସେତେବେଳେ ସମସ୍ତଙ୍କ ମୁହଁ ଶୁଖି ଯାଇଥିଲା । କିଛି ବିଚାର ତ ଏମିତି ବି ସାମ୍ନାକୁ ଆସିଥିଲେ, ଯାହା ସୂଚାଉଥିଲା କି, କାହିଁକି ଗାଙ୍ଗୁଲିଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ବିସିସିଆରର ଅଧ୍ୟକ୍ଷ ପଦରେ ରଖାଯାଇ ପାରିବ ନାହିଁ । କିନ୍ତୁ ଲୋଧା କମିଟିର ସୁପାରିସ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହିଁ ଏସବୁ କାର୍ଯ୍ୟ କରାଯାଉଥିଲା । 


COMMERCIAL BREAK
SCROLL TO CONTINUE READING

ଲୋଧା କମିଟିର କିଛି ଚର୍ଚ୍ଚିତ ସୁପାରିସ ମଧ୍ୟରେ ରହିଥିଲା କୁଲିଂ ଅଫ୍ ପିରିୟଡର ସୁପାରିସ୍ । ଅର୍ଥାତ୍ ଯଦି ଜଣେ ବ୍ୟକ୍ତିବିଶେଷ ବିସିସିଆଇ କିମ୍ବା କୌଣସି ରାଜ୍ୟ କ୍ରିକେଟ୍ ବୋର୍ଡ ସହିତ ୩ ବର୍ଷିଆ ଦୁଇଟି ଟର୍ମରେ କାମ କରିଥିବେ ତେବେ ତାଙ୍କୁ ଏହି ୬ ବର୍ଷ ପରେ ୩ ବର୍ଷ ପାଇଁ ଏକ କୁଲିଂ ଅଫ୍ ପିରିୟଡରେ ଯିବାକୁ ପଡ଼ିବ, ଯେଉଁ ସମୟ ମଧ୍ୟରେ ସେ କ୍ରିକେଟ୍ ବୋର୍ଡର କୌଣସି ପଦ ପଦବୀରେ ରହି ପାରିବେ ନାହିଁ । ଗାଙ୍ଗୁଲି ଯେତେବେଳେ ବିସିସିଆଇ ଅଧ୍ୟକ୍ଷ ସାଜିଲେ, ସେତେବେଳେ ସେ ବେଙ୍ଗଲ କ୍ରିକେଟ୍ ଆସୋସିଏସନର ସଭାପତି ଭାବରେ ୫ ବର୍ଷ ୨ ମାସ କାମ କରିସାରିଥିଲେ । ଏଣୁ ୬ ବର୍ଷ ପୂରଣ କରିବା ପାଇଁ ତାଙ୍କ ନିକଟରେ ମାତ୍ର ୧୦ ମାସ ସମୟ ରହିଥିଲା । ଏହା ଅନୁସାରେ ବିସିସିଆଇର ଅଧ୍ୟକ୍ଷ ଭାବରେ ସେ କେବଳ ୧୦ ମାସ ହିଁ ରହିପାରିବେ, ଯାହା ପରେ ତାଙ୍କୁ ୩ ବର୍ଷ ପାଇଁ କୁଲିଂ ଅଫ୍ ପିରିୟଡରେ ଯିବାକୁ ପଡ଼ିବ । ତେବେ ରବିବାର ବସିଥିବା ବିସିସିଆଇ ପ୍ରଥମ ବାର୍ଷିକ ସାଧାରଣ ବୈଠକ ବା ଏଜିଏମରେ ଏବେ ଲୋଧା କମିଟିର ଏହି ଗୁରୁତ୍ୱପୂର୍ଣ୍ଣ ସୁପାରିସକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ କେବଳ ଏଜିଏମରେ ସ୍ୱୀକୃତି ମିଳିଲେ ହେବ ନାହିଁ । ଲୋଧା କମିଟିର ସୁପାରିସକୁ ପରିବର୍ତ୍ତନ କରିବାକୁ ହେଲେ ଏଥିରେ ସୁପ୍ରିମକୋର୍ଟର ମଧ୍ୟ ଅନୁମତି ଜରୁରୀ । ତେବେ ଯଦି କୁଲିଂ ଅଫ୍ ପିରିୟଡ ଏହି ସୁପାରିସକୁ ପରିବର୍ତ୍ତନ କରାଯିବ, ତେବେ ଗାଙ୍ଗୁଲି ପୂର୍ଣ୍ଣ ୫ ବର୍ଷ ବିସିସିଆଇର ଅଧ୍ୟକ୍ଷ ରହିପାରିବେ । ନଚେତ୍ କେବେଳ ୧୦ ମାସ ପାଇଁ ହିଁ ସେ ଏହି ଦାୟିତ୍ୱ ସମ୍ଭାଳିବେ।


ତେବେ ଗାଙ୍ଗୁଲି ଅଧ୍ୟକ୍ଷ ସାଜିବା ପରେ ଏକଥା ବିଚାର କରାଯାଉଥିଲା କି, ବିସିସିଆଇର ଗଭର୍ଣ୍ଣିଂ ବଡି ଆସିବା ପରେ ଏଜିଏମର ସ୍ୱୀକୃତି ସହ କିଛି ସୁପାରିସକୁ ପରିବର୍ତ୍ତନ କରାଯାଇପାରେ । ଯେଉଁଥିରେ କୁଲିଂ ଅଫ୍ ପରିୟଡର ସୁପାରିସ୍ ମଧ୍ୟ ସାମିଲ୍ ଥିଲା । ତେବେ କୁଲିଂ ଅଫ୍ ପିରିୟଡରେ ପରିବର୍ତ୍ତନ ଆଣିବା କିମ୍ବା ଏହାକୁ ମଡିଫାଏ କରିବା ବିସିସିଆଇ ସମ୍ବିଧାନ କି ସୁପ୍ରିମକୋର୍ଟ ନିୟମର ଉଲଙ୍ଘନ ନୁହେଁ । ଅନେକ ଖବରକାଗଜ ଓ ଗଣମାଧ୍ୟମରେ ଆପଣ ପଢ଼ିବାକୁ ପାଇଥିବେ କି ଲୋଧା କମିଟି ସୁପାରିସକୁ ପରିବର୍ତ୍ତନ କରି ବିସିସିଆଇ ନିୟମ ଉଲଙ୍ଘନ କରୁଛି, କିନ୍ତୁ ତାହା ଠିକ୍ ନୁହେଁ । ଏକ ଗଭର୍ଣ୍ଣିଂ ବଡି ହିସାବରେ ବିସିସିଆଇ ଏଜିଏମର ନିକଟରେ ଏହି ଶକ୍ତି ରହିଛି କି ସେ ଏହାର ସମ୍ବିଧାନରେ ଏଜିଏମର ସ୍ୱୀକୃତି ଅନୁଯାୟୀ ପରିବର୍ତ୍ତନ କରିପାରେ । ଯଦିଓ ଏଥିପାଇଁ ସୁପ୍ରିମକୋର୍ଟର ଅନୁମୋଦନର ଆବଶ୍ୟକତା ରହିଛି । କିନ୍ତୁ ଏହାକୁ ଅସାମ୍ବିଧାନିକ କହିବା ଠିକ୍ ନୁହେଁ । ଏକଥା ବି ଗୁରୁତ୍ୱପୂର୍ଣ୍ଣ କି, ବିସିସିଆଇର ଜଣେ ଅଧ୍ୟକ୍ଷ ମାତ୍ର ୧୦ ମାସ କାମ କରିବା ପରେ ପୁଣି ନିର୍ବାଚନ କରାଯିବାର ଯଥାର୍ଥତା ବି କିଛି ନାହିଁ । ଯଦି ଜଣଙ୍କୁ ଅଧ୍ୟକ୍ଷ ପଦବୀର ବସାଯାଉଛି, ତେବେ ତାକୁ ନିଜର ଯୋଜନା ପ୍ରସ୍ତୁତ କରିବା ଓ ତାକୁ କାର୍ଯ୍ୟକାରୀ କରିବା ପାଇଁ କିଛି ସମୟ ଦେବା ଆବଶ୍ୟକ । ନଚେତ୍ ଏହା କେବଳ ସମୟର ଅପଚୟ ସହ ବୋର୍ଡରେ ଅଯଥା ରାଜନୀତି ପୂରାଇବା ଛଡ଼ା ଏହା ଅନ୍ୟ କିଛି କରିବ ନାହିଁ । ଏଣୁ ଦେଖିବାର କଥା, ଏହି ପ୍ରସଙ୍ଗରେ ଆଗକୁ କ'ଣ ହେଉଛି, ବିସିସିଆଇର ଅଧ୍ୟକ୍ଷ ପଦରେ ଗାଙ୍ଗୁଲି ୨୦୨୪ ଯାଏଁ ରହୁଛନ୍ତି ନା ୧୦ ମାସ କାମ କରିବା ପରେ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହେଉଛି ଓ ନୂଆ ଅଧ୍ୟକ୍ଷ ବଛାଯାଉଛନ୍ତି