କେବେ ଖୋଲିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ହେବ ଧାର୍ଯ୍ୟ
ବଢୁଛି ଶ୍ରୀମନ୍ଦିର ଖୋଲିବା ଦାବି। କୋରୋନା ମହାମାରୀ (Corona Pandemic) ଯୋଗୁଁ ଦୀର୍ଘ ୯ ମାସ ଧରି କାଳିଆ ଦର୍ଶନରୁ ବଞ୍ଚିତ ଭକ୍ତ।
ସଞ୍ଜୟ ମହାପାତ୍ର, ପୁରୀ: ବଢୁଛି ଶ୍ରୀମନ୍ଦିର ଖୋଲିବା ଦାବି। କୋରୋନା ମହାମାରୀ (Corona Pandemic) ଯୋଗୁଁ ଦୀର୍ଘ ୯ ମାସ ଧରି କାଳିଆ ଦର୍ଶନରୁ ବଞ୍ଚିତ ଭକ୍ତ। ଆଜି ବିଶ୍ୱ ମାନବାଧିକାର ଦିବସରେ ଶ୍ରୀମନ୍ଦିର (Jagannath Temple) ନିକଟରେ ଶ୍ରୀମନ୍ଦିର ଖୋଲିବା ନେଇ ମାନବାଧିକାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ଶ୍ରୀମନ୍ଦିର ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ଯପଟେ ମନ୍ଦିର ଖୋଲିବାକୁ ନେଇ ପରିଚାଳନା କମିଟି ସଦସ୍ଯ ଓ ବରିଷ୍ଠ ସଦସ୍ଯଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବିଚାରବିମର୍ଷ ଜାରି ରହିଛି। ଆଗାମୀ ୧୨ ତାରିଖ ଦିନ ଛତିଶା ନିଯୋଗ ବୈଠକରେ ଧାର୍ଯ୍ଯ ହେବ କେବେ ଖୋଲିବ ଶ୍ରୀମନ୍ଦିର। ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଭକ୍ତଙ୍କ ଦର୍ଶନ ପାଇଁ ପୋଲିସ ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଏସପି।
ଅଧିକ ପଢନ୍ତୁ: ଟିକାକୁ ନେଇ ଆମେରିକାରୁ ଆସିଲା ଖୁସି ଖବର
ଦୀର୍ଘ ୯ ମାସ ପରେ କାଳିଆଙ୍କ ଦର୍ଶନ ପାଇବେ ଭକ୍ତ। ଭକ୍ତମାନଙ୍କ ଉତ୍କଣ୍ଠାକୁ ଦେଖି ଆରମ୍ଭ ହୋଇଛି ଶ୍ରୀମନ୍ଦିର ଖୋଲିବା ନେଇ ସ୍ୱତନ୍ତ୍ର ପ୍ରସ୍ତୁତି। ଡିସେମ୍ବର ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବା ନେଇ ଆପାତତଃ ସ୍ଥିର କରାଯାଇଛି। ଅନ୍ତତଃ ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ଛତିଶା ନିଯୋଗ ବୈଠକରେ ଧାର୍ଯ୍ଯ ହେବ କେଉଁ ନିର୍ଦ୍ଦିଷ୍ଟ ତାରିଖରେ ଖୋଲିବ ଶ୍ରୀମନ୍ଦିର। ଛତିଷା ନିଯୋଗ ବୈଠକର ନିସ୍ପତ୍ତି କ୍ରମେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ଯ ସରକାରଙ୍କୁ ଅବଗତ କରାଇବେ।
ଅଧିକ ପଢନ୍ତୁ: ନୂଆ ସଂସଦ ଭବନକୁ ନେଇ ଆରମ୍ଭ ହେଲା ରାଜନୀତି, ବିଜେପିକୁ ଘେରିଲା କଂଗ୍ରେସ
ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ନେଇ ଆରମ୍ଭ ହେଉଛି ପ୍ରସ୍ତୁତି। ସେପଟେ ପାଖେଇ ଆସୁଛି ଶ୍ରୀମନ୍ଦିରର ପହିଲି ଭୋଗ ନିତି ସହ ମକର ସଂକ୍ରାନ୍ତି ଆଉ ଦେବାଭିଷେକ ନିତି। ନିଳାଦ୍ରୀ ଭକ୍ତ ନିବାସରେ ବସିବାକୁ ଥିବା ଛତିଷା ନିଯୋଗ ବୈଠକରେ ନିତିନିର୍ଘଣ୍ଟ ଚୁଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ନିତି ପ୍ରଶାସକ।
ସେପଟେ ବିଶ୍ୱ ମାନବାଧିକାର ଦିବସ ଅବସରରେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର କର୍ମୀମାନେ ଶ୍ରୀମନ୍ଦିର ବନ୍ଦ ରଖି ଧାର୍ମିକ ଭାବନାକୁ କୁଠାରଘାତ କରିବା ପ୍ରତିବାଦରେ ଶ୍ରୀମନ୍ଦିର ନିକଟରେ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ। ଏଥିସହ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଶ୍ରୀମନ୍ଦିର ଖୋଲିବା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ବିଭିନ୍ନ ରାଜ୍ୟରେ ମନ୍ଦିର ମସଜିଦ ଖୋଲା ଯାଇଥିବା ବେଳେ କୋରୋନା ଆଳ ଦେଖାଇ ରାଜ୍ୟ ସରକାର ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣାକୁ ନିନ୍ଦା କରିଛନ୍ତି।
ଅଧିକ ପଢନ୍ତୁ: ଭାରତକୁ ବିଳମ୍ବରେ ଆସିବ ବିଦେଶୀ କୋରୋନା ଟିକା
ଏହାଦ୍ବାରା ପର୍ଯ୍ୟଟନ କ୍ଷେତ୍ର ପୁରୀ ସହର ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି। ଅତିଶୀଘ୍ର ଶ୍ରୀମନ୍ଦିର ଶ୍ରୀମନ୍ଦିର ଖୋଲିବା ନେଇ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ, ସେବାୟତ ଏବଂ ଭକ୍ତ ମହଲରେ ଦାବି ହୋଇଛି। ସେପଟେ ରାଜ୍ୟ ସରକାର ଶ୍ରୀମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ଦେବା ପରେ ଭକ୍ତଙ୍କ ଦର୍ଶନ ପାଇଁ ପୁରୀ ପୁଲିସ ପକ୍ଷରୁ ବ୍ଯବସ୍ଥା ଗ୍ରହଣ କରାଯିବ ବୋଲି ପୁରୀ ଏସପି କହିଛନ୍ତି। କାଳିଆ ଦର୍ଶନକୁ ନେଇ ଭକ୍ତଙ୍କ ମହଲରେ ଉତ୍କୁଣ୍ଠା ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ଖୋଲିବାକୁ ନେଇ ସରକାର କିଭଳି ନିସ୍ପତ୍ତି ନେବେ ତାକୁ ହିଁ ଅପେକ୍ଷା।