Twitter CEO ପଦରୁ ହଟିଲେ Jack Dorsey; ଏହି ଭାରତୀୟଙ୍କୁ ମିଳିପାରେ ଦାୟିତ୍ୱ
ଚଳିତ ବର୍ଷ ପ୍ରାରମ୍ଭରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ୨୦୨୩ ସୁଦ୍ଧା ୩୧୫ ମିଲିୟନ ଦୈନିକ ସକ୍ରିୟ ଉପଭୋକ୍ତା ସୃଷ୍ଟି କରାଯିବା ସହ କମ୍ପାନୀର ବାର୍ଷିକ ଆୟକୁ ୨ ଗୁଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
ନୂଆଦିଲ୍ଲୀ: ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ଛାଡିଛନ୍ତି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସି। ସେ ଉଭୟ ଟ୍ୱିଟର ଏବଂ ସ୍କୋୟାର ସିଇଓ ଭାବରେ କାର୍ଯ୍ୟ କରୁଥିଲେ। ଟ୍ୱିଟର ଅଂଶଧାରକ ଇଲିୟଟ୍ ମ୍ୟାନେଜମେଣ୍ଟ କମ୍ପାନୀ ପ୍ରବନ୍ଧନ ସହ ନିବେଶ ପ୍ରସଙ୍ଗରେ ବୁଝାମଣା କରିବା ପୂର୍ବରୁ ଜ୍ୟାକ୍ ଡୋର୍ସିଙ୍କୁ ସିଇଓ ପଦରୁ ହଟାଇବାକୁ ଦାବି କରିଥିଲା। ବର୍ତ୍ତମାନ କମ୍ପାନୀର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ପରାଗ ଅଗ୍ରୱାଲ ତାଙ୍କ ସ୍ଥାନ ଗ୍ରହଣ କରିବେ।
ଇଲିୟଟ୍ ମ୍ୟାନେଜମେଣ୍ଟ ପ୍ରତିଷ୍ଠାତା ତଥା ଅରବପତି ନିବେଶକ ପଲ୍ ସିଙ୍ଗର କହିଥିଲେ ଯେ ଜ୍ୟାକ୍ ଡୋର୍ସି ଦୁଇଟି ସାର୍ବଜନୀନ କମ୍ପାନୀ ସିଇଓ ପଦରୁ ଗୋଟିକରୁ ଇସ୍ତଫା ଦେବା ଆବଶ୍ୟକ। ବର୍ତ୍ତମାନ ଡୋର୍ସି ପଦ ଛାଡିବା ପରେ ନୂତନ ସିଇଓ ପାରାଗ ଅଗ୍ରୱାଲଙ୍କୁ କମ୍ପାନୀର ଆଭ୍ୟନ୍ତରୀଣ ଲକ୍ଷ୍ୟ ପୂରଣ କରିବାକୁ ହେବ। ଚଳିତ ବର୍ଷ ପ୍ରାରମ୍ଭରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ୨୦୨୩ ସୁଦ୍ଧା ୩୧୫ ମିଲିୟନ ଦୈନିକ ସକ୍ରିୟ ଉପଭୋକ୍ତା ସୃଷ୍ଟି କରାଯିବା ସହ କମ୍ପାନୀର ବାର୍ଷିକ ଆୟକୁ ୨ ଗୁଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
Also Read: ଆସୁ ଆସୁ Active; Twitter ଉଦ୍ଦେଶ୍ୟରେ ଏପରି ଚେତାବନୀ ଦେଲେ ନୂଆ IT ମନ୍ତ୍ରୀ
ଗତ ୨୦୦୬ ଜୁଲାଇରେ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ ହୋଇଥିଲା ଟ୍ୱିଟର। ପ୍ରଥମ ଟ୍ୱିଟ ଏହାର ସହ-ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ଡୋର୍ସିଙ୍କ ଦ୍ୱାରା କରାଯାଇଥିଲା। ସିଇଓ ଭାବେ ଡୋର୍ସିଙ୍କ ପ୍ରଥମ କାର୍ଯ୍ୟକାଳ ୨୦୦୮ ପର୍ଯ୍ୟନ୍ତ ଚାଲିଥିଲା। ଗତ ୨୦୧୫ ବର୍ଷରେ ସିଇଓ ଡିକ୍ କୋଷ୍ଟୋଲୋ ପଦ ଛାଡିବା ପରେ ସେହିବର୍ଷ ପୁନଃର୍ବାର ଏହି ଦାୟିତ୍ୱ ଗ୍ରହଣ କରିଥିଲେ ଡୋର୍ସି। ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଟି କୋଟି ଉପଭୋକ୍ତା ଟ୍ୱିଟର ବ୍ୟବହାର କରୁଛନ୍ତି।