ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ପିଆଜ ଦରକୁ ନେଇ କାନ୍ଦୁଛି ସାରା ଭାରତ । ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ପିଆଜ ଦର ଗତ କିଛି ମାସ ହେବ ନାକେଦମ କରିଛି । ଅନେକ ଜାଗାରେ ପିଆଜ କିଲୋ ୧୦୦ ଟଙ୍କା ଟପିଥିବା ବେଳେ ଆଉ କେଉଁଠି ୧୨୦ ଉପରେ ପିଆଜ ଦର । 


COMMERCIAL BREAK
SCROLL TO CONTINUE READING

ବର୍ଦ୍ଧିତ ପିଆଜ ଦରକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପିଆଜ ଦର କିଛି ଦିନ ପାଇଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା କହିଛନ୍ତି ମନ୍ତ୍ରୀ । ଖୁବଶୀଘ୍ର ପିଆଜ ଦର କମ ହେବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । 


ସେପଟେ ପିଆଜ ଚୋରିକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଉପାୟରେ ପିଆଜ ଚୋରି ହେଉଥିବା କୌତୁହଳପୂର୍ଣ୍ଣ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ସେହିପରି ମହାରାଷ୍ଟ୍ରରେ ଡିସେମ୍ୱର ୫ ତାରିଖ ଓ ୬ ତାରିଖ ମଧ୍ୟରାତ୍ରୀରେ ଡୋଙ୍ଗରୀ ମାର୍କେଟରୁ ପିଆଜ ଚୋରିକୁ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ପାଖାପାଖି ୧୬୮ କିଲୋ ପିଆଜ ଚୋରି ହେଇଥିବା ନେଇ ଅଭିଯୋଗ ଆଣିଥିଲେ ବେପାରୀ । ଚୋରି ହୋଇଥିବା ପିଆଜର ଆନୁମାନିକ ମୂଲ୍ୟ ୨୦ହଜାର ଟଙ୍କା ହେବ । 


 




ଦେଶରେ ଦେଖାଦେଇଥିବା ଭୟଙ୍କର ପିଆଜ ନିଅଣ୍ଟିଆ ସ୍ଥିତିରେ ଏଭଳି ଚୋରି ଅଭିଯୋଗକୁ ପୋଲିସ ଗୁରୁତ୍ୱର ସହ ନେଇଥିଲା । ଘଟଣାର ତଦନ୍ତ ଆରମ୍ଭ କରି ୫ଦିନ ମଧ୍ୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମୁମ୍ୱାଇ ପୋଲିସ ।


 


କେବଳ ମୁମ୍ୱାଇ ନୁହଁ ନାସିକରେ ମଧ୍ୟ କିଛିଦିନ ତଳେ ୧୦ ଲକ୍ଷ ଟଙ୍କାର ପିଆଜ ବୋଝେଇ ଟ୍ରକକୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଦେଶରେ ପିଆଜ ଦର ନିୟନ୍ତ୍ରଣ ବାହାରୁ ପଳେଇଥିବା ବେଳେ ବିଭିନ୍ନ ଜାଗାରେ ପିଆଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇବା ସହିତ ସୋସିଆଲ ମିଡିଆରେ ଏହି ଖବରସବୁ ଜବରଦସ୍ତ ଟ୍ରୋଲ ହେଉଛି ।


ପିଆଜକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମଜାଳିଆ ଭିଡିଓ ମଧ୍ୟ ପୋଷ୍ଟ ହେଉଛି । ଯେଉଁଠି ପିଆଜ ମୂଲ୍ୟ ବା ପିଆଜ ରଖିଥିବା ବ୍ୟକ୍ତି ସବୁଠାରୁ ଧନୀ ବୋଲି ଚର୍ଚ୍ଚା ଚାଲିଛି ।