ଶିମଲା: ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ତ୍ୱାଧିନ ଆମ୍ ଆଦମୀ ପାର୍ଟି (AAP) ବର୍ତ୍ତମାନ ଦେଶର ସମସ୍ତ ରାଜନୈତିକ ଦଳପାଇଁ ଏକ ଆହ୍ୱାନ ପାଲଟିଛି । ଦଳ ଦିଲ୍ଲୀ ଦଖଲ କଲାପରେ ଏମିତି ମଡ଼େଲ ପ୍ରସ୍ତୁତ କଲା, ଯାହା ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ସହଜ ହେଲା । ଏହାଭିତରେ ଆମ୍ ଆଦମୀ ପାର୍ଟି (AAP) ନିଜର କାର୍ଯ୍ୟଦକ୍ଷତା ବଳରେ ପଞ୍ଜାବକୁ ମଧ୍ୟ ଦଖଲ କରିବାରେ ସଫଳ ହୋଇଛି । ସଦ୍ୟ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ମଧ୍ୟ ଦଳର ପ୍ରଭାବ ଦେଖିବାକୁ ମିଳିଲା । ତେବେ ଦଳର ରଣନୀତି, କାର୍ଯ୍ୟଶୈଳୀ ତଥା ଲୋକପ୍ରିୟତାକୁ ଦେଖି ଅନ୍ୟ ରାଜନୈତିକ ଦଳ ମଧ୍ୟରେ ଭୃକୁଞ୍ଚନ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅର୍ଥାତ୍ ୨୦୨୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ପ୍ରାକ୍ ନିର୍ବାଚନ ରାଜନୀତି ତୀବ୍ର ହେବାରେ ଲାଗିଲାଣି । ଏହା ସହ ରାଜ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ହିମାଚଳ ପ୍ରଦେଶର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରାଜ୍ୟବାସୀଙ୍କୁ ଅନେକ ଉପହାର ଦେଇଥିଲେ । ସେହିଦିନଠାରୁ ଆମ୍ ଆଦମୀ ପାର୍ଟି (AAP) ଏବଂ କଂଗ୍ରେସ (Congress) ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । 


Also Read: ମନ୍ତ୍ରୀଙ୍କ ଘରକୁ ଟମାଟ ମାଡ; ଜାଲ ସାର୍ଟିଫିକେଟ ମାମଲାର ଗିରଫଦାରୀ କେବେ?


ହିମାଚଳ ବିଜେପିର ଟ୍ୱିଟ୍ ସେୟାର କରି ଆମ୍ ଆଦମୀ ପାର୍ଟି (AAP)ଲେଖିଛି, 'ଯେତେବେଳେ ଦିଲ୍ଲୀଠାରୁ ୧୦୦ କିଲୋମିଟର ଦୂରରେ ନିର୍ବାଚନ ଅନୁଷ୍ଠିତ ହେବାର ସମୟ ଆସେ ସେତେବେଳେ ମା’ କୁହେ ପୁଅ, ଜନସାଧାରଣଙ୍କ ପାଇଁ କିଛି କାମ କର! ନଚେତ୍ କେଜ୍ରିୱାଲ୍ (Kejriwal) ଆସିଯିବ ।' ଏହାପୂର୍ବରୁ ବିଜେପି ଟ୍ୱିଟ୍ କରିଥିଲା, 'ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଦେବଭୂମୀର ଜନତାଙ୍କ ସ୍ୱାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଦେଶର ମହିଳାମାନେ ବସ୍ ଭଡାରେ ୫୦ ପ୍ରତିଶତ ରିହାତି ପାଇବେ । ୧୨୫ ୟୁନିଟ୍ ମାଗଣା ଘରୋଇ ବିଦ୍ୟୁତ୍ ଯୋଗାଇ ଦିଆଯିବ ଏବଂ ଗ୍ରାମାଞ୍ଚଳଗୁଡିକରେ ମାଗଣା ପାନୀୟ ଜଳ ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ।'


ମହିଳାମାନଙ୍କ ପାଇଁ ହିମାଚଳ ରୋଡ଼ ଟ୍ରାନ୍ସପୋର୍ଟ କର୍ପୋରେସନ୍ (Himachal Road Transport Corporation) ବସରେ ଯାତ୍ରା କରିବା ପାଇଁ ମୁଖ୍ୟମନ୍ତ୍ରୀ ୫୦ ପ୍ରତିଶତ ରିହାତି ଘୋଷଣା କରିଛନ୍ତି, ଯେଉଁଥିରେ ରାଜକୋଷରୁ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାସହିତ ସେ ଘୋଷଣା କରିଛନ୍ତି ଯେ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ସମସ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଜୁଲାଇ ୧ରୁ ବିଦ୍ୟୁତ୍ ବିଲ୍ ଛାଡ଼ କରାଯିବ । ଯାହାଫଳରେ ରାଜ୍ୟର ୧୧.୫୦ ଲକ୍ଷ ଗ୍ରାହକ ଉପକୃତ ହେବେ ଏବଂ ସେମାନଙ୍କୁ  ପ୍ରାୟ ୨୫୦ କୋଟି ଟଙ୍କାର ଲାଭ ମିଳିବ । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ଗ୍ରାମାଞ୍ଚଳରେ ରହୁଥିବା ସମସ୍ତ ପରିବାରରୁ କୌଣସି ଜଳ ବିଲ୍ ଆଦାୟ କରାଯିବ ନାହିଁ, ଯାହାଦ୍ୱାରା ସେମାନଙ୍କର ୩୦ କୋଟି ଟଙ୍କାର ଲାଭ ହେବ। ହୋଲିଉତ୍ତରଲା (Holiuttarala)ର ରାସ୍ତା ଏବଂ ଚାମ୍ବା ଠାରେ ମିନି ସଚିବାଳୟରେ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ଘୋଷଣା କରିଛନ୍ତି।  


Also Read: ବିବାଦରେ ମାଇକ୍! Loudspeakerକୁ ନେଇ ଆମ ଦେଶରେ କଣ ରହିଛି ଆଇନ?


ଚାମ୍ବା ସହରର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଏହାର ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଘୋଷଣା କରିଥିଲେ । ଠାକୁର ଏହା ମଧ୍ୟ କହିଛନ୍ତି ଯେ, କୋରୋନା ମହାମାରୀ ହେତୁ ରାଜ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି, କିନ୍ତୁ ଲୋକମାନଙ୍କର ଅକୁଣ୍ଠ ସହଯୋଗରେ ରାଜ୍ୟ ପରିସ୍ଥିତିକୁ ସୁଧାରିବାରେ ସକ୍ଷମ ହୋଇଛି ଏବଂ ବିକାଶର ଗତି ମଧ୍ୟ ବଜାୟ ରଖିଛି । ଠାକୁର ଏହା କେନ୍ଦ୍ର ସରକାରଙ୍କ ସମର୍ଥନ ଯୋଗୁଁ  ସମ୍ଭବ ହୋଇଥିବା କହିଛନ୍ତି ।


ଅନ୍ୟପଟେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଏପରି ଘୋଷଣାକୁ କେବଳ ଆମ୍ ଆଦମୀ ପାର୍ଟିର ଭୟ ବୋଲି ଦର୍ଶାଇଥିଲେ । ସିସୋଦିଆ କହିଥିଲେ ଯେ, ବିଜେପିକୁ ତାଙ୍କ ଦଳ ଆମ୍ ଆଦମୀ ପାର୍ଟି (AAP) ନିକଟରୁ ପରାଜୟର ଯଥେଷ୍ଟ ଭୟ ରହିଛି । ବିଜେପି ଆମ୍ ଆଦମୀ ପାର୍ଟି (AAP)ର ମାଗଣା ଯୋଜନାକୁ ବିରୋଧ ଓ ସମାଲୋଚନା କରିଆସିଥିବା ବେଳେ ଏବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜେ ଏକାଧିକ ମାଗଣା ସେବା ଘୋଷଣା କରିଛନ୍ତି । ନିର୍ବାଚନ ଆସିବା ମାତ୍ରେ ସେମାନେ କେଜ୍ରିୱାଲ ମଡେଲକୁ କପି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସିସୋଦିଆ କହିଥିଲେ ।


Also Read: ଯୁବପିଢିଙ୍କ ପାଇଁ ଖୁସି ଖବର! ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ International Skill India Centre


ତେବେ ଯାହାବି ହେଉନା କାହିଁକି ଆମ୍ ଆଦମୀ ପାର୍ଟି (AAP)ର ନିର୍ବାଚନ ଜିତିବାର କଳାକୌଶଳକୁ ସମସ୍ତ ରାଜନୈତିକ ଦଳ (Political Party)  ଧୀରେ ଧୀରେ ଆପଣାଇବାକୁ ଲାଗିଲେଣି । ଭୋଟରମାନଙ୍କ ମନରେ କେମିତି ନିଜର ବିଶ୍ୱାସ ଜନ୍ମାଇବେ ସେଥିପାଇଁ ପ୍ରତିଶୃତିର ବର୍ଷା ଅଜାଡି ଦେଉଛନ୍ତି । ତେବେ ଭୋଟର କେତେ ଗ୍ରହଣ କରୁଛନ୍ତି ଅନ୍ୟଦଳମାନଙ୍କର ପ୍ରତିଶୃତିର ବର୍ଷାକୁ ତାହା ନିର୍ବାଚନ ଫଳାଫଳ ଘୋଷଣାପରେ ସାମ୍ନାକୁ ଆସିବ । ଆଗକୁ ଗୁଜୁରାଟ ଓ ମଧ୍ୟପ୍ରଦେଶରେ ମଧ୍ୟ ନିର୍ବାଚନ ହେବାର ଅଛି । ତେବେ ସେଠାକାର ସରକାର କେଉଁ ରଣକୌଶଲ ଆପଣାଇବେ ତାହା ଦେଖିବାକୁ ରହିଲା ।