ନୂଆଦିଲ୍ଲୀ: ମହାମାରୀ ସମୟରେ ଦେଶର ଅର୍ଦ୍ଧାଧିକ ଜନତା ଗରିବରୁ ଆହୁରି ଅଧିକ ଗରିବ ହୋଇଛନ୍ତି। କିନ୍ତୁ ଏହି ସମୟରେ କେତେକ ଉଦ୍ୟୋଗପତି ଓ ରାଜନୈତିକ ଦଳର ସମ୍ପତ୍ତିରେ ଅହେତୁକ ବୃଦ୍ଧି ଘଟିଛି। ସମ୍ପ୍ରତି ଦେଶର ରାଜନୈତିକ ଦଳଙ୍କ ସମ୍ପତ୍ତି ତାଲିକାର ଏକ ରିପୋର୍ଟ ପ୍ରସ୍ତୁତ କରୁଛି। ଯାହାକୁ ଦେଖିଲା ପରେ ନିଶ୍ଚିତ ଭାବେ ନେତା ଓ ଜନତାଙ୍କ ମଧ୍ୟରେ ଥିବା ପ୍ରକୃତ ଫରକ ବାରି ହୋଇପାରିବ।


COMMERCIAL BREAK
SCROLL TO CONTINUE READING

ମୋଦି ରାଜରେ ବିଜେପି ଦିନକୁ ଦିନ ମାଲାମାଲ ହୋଇଚାଲିଛି। ସ୍ଥିତି ଏପରି ହୋଇଛି ଯେ ବିଜେପି ଦେଶର ଅନ୍ୟ ସବୁ ରାଜନୀତିକ ଦଳଗୁଡ଼ିକୁ ପଛରେ ପକାଇ ଧନୀ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ବିଜେପିର ସମ୍ପତ୍ତି ଠାରୁ ଅନ୍ୟ ସବୁ ରାଜନୈତିକ ଦଳଗୁଡ଼ିକ ଢେର୍ ପଛରେ ରହିଛନ୍ତି। ସେପଟେ ଦେଶର ସର୍ବପୁରାତନ ଦଳ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି। କଂଗ୍ରେସ ଏବେ ଧନୀ ତାଲିକାର ତୃତୀୟ ସ୍ଥାନକୁ ଖସି ଆସିଥିବା ବେଳେ ମାୟାବତୀଙ୍କ ବିଏସପି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। 


Also Read: ଆଜି ସର୍ବାଧିକ ୫ଟି ରାଶିରେ ଘାତବାର, ଆବଶ୍ୟକ ହୋଇପାରେ ମୋଟା ଅଙ୍କର ଅର୍ଥ


ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମ୍ସ ବା ଏଡିଆର ରିପୋର୍ଟ ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପିର ମୋଟ ସମ୍ପତ୍ତି ମୂଲ୍ୟ ୪,୮୪୭ କୋଟି ୭୮ ଲକ୍ଷ ଟଙ୍କା ରହିଛି। ଏହା ପଛକୁ ବିଏସପିର ସମ୍ପତ୍ତିର ମୂଲ୍ୟ ୬୯୮ କୋଟି ୩୩ ଲକ୍ଷ ଓ କଂଗ୍ରେସ ୫୮୮ କୋଟି ୧୬ ଲକ୍ଷର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛି। ଦେଶର ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ସମ୍ପତ୍ତି ଏବଂ ଆର୍ଥିକ ବୋଝକୁ ବିଶ୍ଲେଷଣ କରି ଏଡିଆର ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି। 


ଦେଶର ୭ ରାଜନୈତିକ ଦଳର ମୋଟ ସମ୍ପତ୍ତି ପରିମାଣ ୬,୯୮୮.୫୭ କୋଟି ଟଙ୍କା ଥିବାବେଳେ ୪୪ଟି ଆଞ୍ଚଳିକ ଦଳର ସମ୍ପତ୍ତିର ମୂଲ୍ୟ ୨,୧୨୯ କୋଟି ୩୮ ଲକ୍ଷ ଟଙ୍କା ରହିଛି। ଜାତୀୟ ଦଳଗୁଡ଼ିକର ମୋଟ ସମ୍ପତ୍ତିର ୬୯.୩୭% ଅର୍ଥାତ ୪୮୪୭.୭୮ କୋଟି ଟଙ୍କା ବିଜେପି ପାଖରେ ରହିଛି। ତେବେ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ନମ୍ବର ୧ରେ ରହିଛି। ସମାଜବାଦୀ ପାର୍ଟିର ମୋଟ ସମ୍ପତ୍ତି ମୂଲ୍ୟ ୫୬୩ ଲକ୍ଷ ୪୭ କୋଟି ହୋଇଥିବା ବେଳେ ଟିଆରଏସର ୩୦୧.୪୭ କୋଟି ଓ ଏଆଇଏଡିଏମକେ ପାଖରେ ରହିଛି ୨୬୭ କୋଟି ୬୧ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। 


Also Read: UP Election 2022: Silent Mode ଜରିଆରେ କାମ କରୁଛି BSP


ଅନ୍ୟପଟେ ଆଞ୍ଚଳିକ ଧନୀ ରାଜନୈତିକ ଦଳର ତାଲିକାରେ ବିଜେଡି ଅଷ୍ଟମ ସ୍ଥାନରେ ରହିଛି। ଦଳ ପାଖରେ ୧୨୮କୋଟି ୭୫ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେଡିର ବ୍ୟାଙ୍କରେ ମୋଟ ସ୍ଥାୟୀ ଜମା ୧୧୮.୪୨ କୋଟି ଟଙ୍କା ଥିଲା। ଏହି ସମୟରେ ଦଳ ପାଖରେ ପ୍ରାୟ ଦେଢ କୋଟିର ସ୍ଥାୟୀ ସମ୍ପତ୍ତି ଓ ୬ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଅନ୍ୟନ୍ୟ ସମ୍ପତ୍ତି ଥିବା ଏଡିଆର ରିପୋର୍ଟରେ ପ୍ରକାଶ କରାଯାଇଛି।