Navjot Singh Sidhu ଜଣେ ଦେଶ ବିରୋଧି ଲୋକ: Amarinder Singh
ରାଜନୈତିକ ଦୃଷ୍ଟିକୋଣରୁ କୌଣସି ନୂତନ ପଦକ୍ଷେପ ନିଏୱ ତାହେଲେ ସେ ବାବଦରେ ସମସ୍ତଙ୍କୁ ଜଣାଇବି।
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ଛକାପଞ୍ଝା ମଧ୍ୟରେ ଦିଲ୍ଲୀ ଗସ୍ତରେ ଆସିଛନ୍ତି ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ତାଙ୍କର ଗସ୍ତକୁ ନେଇ ରାଜନୈତିକ ମହଲରେ ସୃଷ୍ଟି ହୋଇଛି ହଟଚମଟ। ଏହି ଗସ୍ତରେ ଅବସରରେ ସେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟପାରିନ୍ତି ବୋଲି ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସେ ନିଜେ।
ଦିଲ୍ଲୀ ଗସ୍ତ ଉପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Punjab CM) କ୍ୟାପ୍ଟେନ ଅମରିନ୍ଦର ସିଂହ (Capatain Amarinder Singh) କହିଛନ୍ତି ମୁଁ କାହାକୁ ଭେଟିବା ପାଇଁ ଏଠାକୁ ଆସିନାହିଁ। ଏଠାରେ ମୋ ଅଧିନରେ ରହିଥିବା ସରକାରୀ ବାସଭବନକୁ ଖାଲି କରିବା ପାଇଁ ଆସିଛି।
ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ସନ୍ତୁଷ୍ଟ ନାହାଁନ୍ତି ଅମରିନ୍ଦର ସିଂହ। ଏନେଇ ସେ କହିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫାକୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ସ୍ୱୀକାର କରନ୍ତୁ। କାରଣ ସେ ଜଣେ ଦେଶ ବିରୋଧି ଲୋକ। ଯଦି ସୁନୀଲ ଜାଖରଙ୍କୁ ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ପୁନର୍ବାର ନିଯୁକ୍ତ କରାଯାଏ ତାହେଲେ ମୁଁ ଏହାକୁ ସ୍ୱାଗତ କରିବି। ଭଲ ହୋଇଛି ସିଦ୍ଧୁ ଏହି ପଦରୁ ହଟିଯାଇଛି। କାରଣ ସିଦ୍ଧୁ ଭଳି ଲୋକ କୌଣସି ଦଳରେ ସ୍ଥିର ହୋଇ ରହିପାରିବେ ନାହିଁ।
Also Read: Amarinder Singh: କେନ୍ଦ୍ରମନ୍ତ୍ରୀ ହେବେ ନାଁ ନୂଆ ଦଳ ଗଢିବେ?
ଭବିଷ୍ୟତର ରାଜନୈତିକ କାର୍ଯ୍ୟପନ୍ଥା କ'ଣ ରହିବ ସେ ନେଇ ପ୍ରତିକ୍ରିୟା ରଖି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ମୁଁ ରାଜନୈତିକ ଦୃଷ୍ଟିକୋଣରୁ କୌଣସି ନୂତନ ପଦକ୍ଷେପ ନିଏୱ ତାହେଲେ ସେ ବାବଦରେ ସମସ୍ତଙ୍କୁ ଜଣାଇବି। ଆଗକୁ କଂଗ୍ରେସରେ ରହିବେ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ଜବାବ ଦେଇନାହାଁନ୍ତି। ଦଳ ସହ ରହିବି ନା ନାହିଁ ତାହାର ଉତ୍ତର ମୁଁ ବର୍ତ୍ତମାନ ଦେଇପାରିବି ନାହିଁ। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ ସିଦ୍ଧୁ ପରିଚାଳିତ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।