ବିଜେଡି ନୂଆ ଟିମ ତାଲିକା ପ୍ରସ୍ତୁତ; ଯେକୌଣସି ମୁହୂର୍ତ୍ତରେ ହୋଇପାରେ ଘୋଷଣା
ଆସନ୍ତା ଏକ ସପ୍ତାହ ମଧ୍ୟରେ ମନ୍ତ୍ରୀମଣ୍ଡଳ ଓ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ନେଇ ଘୋଷଣା ହେବା ନେଇ ଚର୍ଚ୍ଚା ଜୋର ଧରିଛି।
କାହିଁକି ସମ୍ପୂର୍ଣ୍ଣ ସଫଳ ହେବନି ବିଜେଡି। ଏତେ ଲୋକପ୍ରିୟତା ପରେ ବି ଦଳ କାହିଁକି ବିଭିନ୍ନ ଜାଗାରେ ବିଫଳ ହେଲା। ତାକୁ ନେଇ ଟେନସନରେ ବିଜେଡି ମୁଖିଆ। ପୌର ପଞ୍ଚାୟତ ନିର୍ବାଚନରେ ପାଖାପାଖି ୯୦ ପ୍ରତିଶତ ସଫଳତା ପରେ ବି ବିଜେଡି ମନ ମାନୁନି। ଏତେ ଲୋକପ୍ରିୟତା ନବୀନ ବ୍ରାଣ୍ଡ, ଶଙ୍ଖ ଚିହ୍ନର ବ୍ୟାପକତା ପରେ ବି କିଛି ଜାଗାରେ ବିଜେଡି କାହିଁକି ବିଫଳ ହେଲା ତାକୁ ନେଇ ଚାଲିଛି ଜୋରଦାର ଅଙ୍କକଷା। ବିଜେଡି ସୁପ୍ରିମୋ ପର୍ଯ୍ୟବେକ୍ଷକଙ୍କ ସହ ୱାନ ଟୁ ୱାନ ଆଲୋଚନା କରି ପୂର୍ଣ୍ଣ ସଫଳତାର ବାଟ କାଢୁଛନ୍ତି।
ଏପରିକି ୧୦ ଦିନରେ ବିଜୟ ପରାଜୟର କାରଣ ସହ ଆସନ୍ତା ୨୦୨୪ ପାଇଁ ସଙ୍ଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ କରିବା ପାଇଁ କଣ ରଣନୀତି ଆପଣାଯିବା ଦରକାର ବୋଲି ରିପୋର୍ଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପର୍ଯ୍ୟବେକ୍ଷକ। ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ବୈଠକରେ ପର୍ଯ୍ୟବେକ୍ଷକ ଜୟ ପରାଜୟର ହିସାବ ଦେଇଥିଲେ। ଏପରିକି ଏହାକୁ ଆଧାର କରି ଦଳର ପରବର୍ତ୍ତୀ ଦାୟୀତ୍ୱ ବଣ୍ଟନ ହେବ ବୋଲି ଚର୍ଚ୍ଚା ହେଉଛି। ଆଗାମୀ ମନ୍ତ୍ରୀମଣ୍ଡଳ ଅଦଳବଦଳ ଏହି ଆଧାରରେ ହେବା ସହ ସାଙ୍ଗଠନିକ ଅଦଳବଦଳ ମଧ୍ୟ ହେବ।
ଏପରିକି ବିଭିନ୍ନ ସ୍ଥାନରେ ବିଫଳତା ପାଇଁ ମଧ୍ୟ ସଂପୃକ୍ତ ନେତା ଉତ୍ତର ଦାୟୀତ୍ଵ ନେବା ଆବଶ୍ୟକ ବୋଲି କହିଛନ୍ତି ଦଳୀୟ ନେତା। ଭଲ ପ୍ରଦର୍ଶନ କରିଥିବା ନେତାଙ୍କୁ ସରପ୍ରାଇଜ ଗିଫ୍ଟ ମିଳିବାକୁ ଥିବବେଳେ ବିଫଳ ନେତା ପରୋକ୍ଷରେ ଦଣ୍ଡିତ ହେବା ନେଇ ଚର୍ଚ୍ଚା ହେଉଛି। ଏପରିକି ଏ ନେଇ ତାଲିକା ମଧ୍ୟ ସରିଲାଣି ବୋଲି କୁହାଯାଉଛି। ସୁପ୍ରିମୋ ମଧ୍ୟ ଏ ନେଇ ନେତାଙ୍କୁ ପରୋକ୍ଷରେ ସୂଚନା ଦେଇସାରିଥିବା କୁହାଯାଉଛି। ଏପରିକି ସେଥିପାଇଁ ଦଳର କିଛି ନେତା ଉତ୍ସାହିତ ଥିବାବେଳେ କିଛି ନେତା ଟେନସନ ରେ। ଏପରିକି ଆସନ୍ତା ଏକ ସପ୍ତାହ ମଧ୍ୟରେ ମନ୍ତ୍ରୀମଣ୍ଡଳ ଓ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ନେଇ ଘୋଷଣା ହେବା ନେଇ ଚର୍ଚ୍ଚା ଜୋର ଧରିଛି।