BJP Leader: ଭୁବନେଶ୍ୱର: ପ୍ରଥମ ଦିନରେ ବିଜେପି ସରକାରରେ ଦେଖିବାକୁ ମିଳିଛି ସାଂଗଠନିକ ଅନିୟମିତତା, ନେତାଙ୍କ କ୍ଷୋଭ ଓ ରୋଷ। ବିରୋଧୀ ଦଳର ମୂଖିଆ ତଥା ଯାହାଙ୍କ ନୀତି ବିରୁଦ୍ଧରେ ନିର୍ବାଚନ ଲଢ଼ି ଦଳ ଜନସମର୍ଥନ ହାସଲ କରିଲା ତାଙ୍କୁ ସ୍ୱାଗତ କରିବାକୁ ନେତାଏଁ ଏତେ ମସଗୁଲ ରହିଲେ ଯେ, ନିଜ ଦଳର ପୁରୁଖା, ଟାଣୁଆ ତଥା ଲୋକପ୍ରିୟ ନେତାଙ୍କୁ ଭୁଲିଗଲେ ବୋଲି ଅଭିଯୋଗ ହେଉଛି। ଏଥିଲାଗି ଜଣେ ବିଧାୟକ ଅଧାରୁ ଉଠି ସଭା ଛାଡ଼ିଥିବା ବେଳେ ଆଉ ଜଣେ ସଭାକୁ ନ ଆସି ନଥିବା ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ବିଜେପି ଏଥର ପ୍ରଥମ ଥର ପାଇଁ ବିଜେଡି ବିରୁଦ୍ଧରେ ଲଢ଼ି ରାଜ୍ୟରେ ସରକାର ଗଢ଼ିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ ଚିତ୍‍ ପଟାଙ୍ଗ କରିଛନ୍ତି ଦଳର ତୁଙ୍ଗ ଓ ନୂତନ ନେତାମାନେ। ଏହିକ୍ରମରେ ତୃଣମୂଳ କର୍ମୀଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ଯାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି। ହେଲେ ସରକାର ଗଠନ ହେବା ପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତା ତଥା ବରିଷ୍ଠ କେନ୍ଦ୍ରୀୟ ନେତୃବୃନ୍ଦ, ବିରୋଧୀ ଦଳ ବିଜେଡିର ମୁଖିଆ ତଥା ସେଇ ନବୀନ ପଟ୍ଟନାୟକଙ୍କୁ କୋଳେଇ ନିଜ ନେତାଙ୍କୁ ଭୁଲି ଯାଇଛନ୍ତି। 


ବିଜେପିର ଏହି ନୀତି ଦଳୀୟ ନେତାଙ୍କୁ ଏତେ ଅପମାନବୋଧ କରିଛି ଯେ, ଜଣେ ପୁରୁଖା ନିର୍ବାଚିତ ବିଧାୟକଙ୍କୁ ଶପଥ ସଭାରେ ଅନୁପସ୍ଥିତ ରହିଛନ୍ତି। ସେ ହେଉଛନ୍ତି ସମ୍ବଲପୁରରୁ ୫ ଥର ବିଧାୟକ ହୋଇଥିବା ଜୟ ନାରାୟଣ ମିଶ୍ର। ଜଣେ ଟାଣୁଆ ବିଜେପି ନେତା ତଥା ସଂଗଠକ ଭାବେ ଜୟନାରାୟଣଙ୍କ ଖ୍ୟାତି ରହିଛି। ୨୦୨୨ ମସିହାରୁ ୨୦୨୪ ମସିହା ଯାଏ ଜୟନାରାୟଣ ବିରୋଧୀ ଦଳର ନେତା ଭାବେ ସରକାରଙ୍କୁ ହରଡ଼ଘଣାରେ ପକାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ଅସୁସ୍ଥତା ସତ୍ତ୍ୱେ ଲୋକେ ପୁଣିଥରେ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି। କିନ୍ତୁ ଦଳ ତାଙ୍କୁ ଖାତିର କରି ନାହିଁ। ମୁଖ୍ୟମନ୍ତ୍ରୀ ହେବା ଲାଗି ସମସ୍ତ ଗୁଣ ଓ ଅଭିଜ୍ଞତା ରଖୁଥିଲେ ବି ବିଜେପି ରାଜ୍ୟରେ ଆଦିବାସୀ କାର୍ଡ ଖେଳି ତାଙ୍କୁ ମୁଖ୍ୟମନ୍ତ୍ରୀ ଦେଇ ନାହିଁ। ଏପରିକି କିଛି କେନ୍ଦ୍ରମନ୍ତ୍ରୀଙ୍କ ଚକ୍ରାନ୍ତରେ ତାଙ୍କୁ ମନ୍ତ୍ରୀପଦ ବି ମିଳିପାରି ନାହିଁ। 


ଅସୁସ୍ଥତା ଥିବାରୁ ସେ ଶପଥ ଗ୍ରହଣ ସମାବେଶରେ ଯୋଗ ଦେବା ଲାଗି ପରିବାରକୁ ପ୍ରବେଶ ଅନୁମତି ଆଶା କରିଥିଲେ। କିନ୍ତୁ କେବଳ ତାଙ୍କୁ ଆସିବା ଲାଗି ହିଁ ଅନୁମତି ଦିଆଗଲା। ଏଣୁ ସେ କ୍ଷୁବ୍ଧ ହୋଇ ଆସିଲେ ନାହିଁ। ଜୟନାରାୟଣଙ୍କ ଅନୁପସ୍ଥିତି ମିଡିଆରେ ବାରି ହୋଇ ପଡ଼ିଲା। ନବୀନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲେ ଯେ ଦଳ ନିଜ ନେତାଙ୍କୁ ଭୁଲିଗଲା ବୋଲି ଚର୍ଚ୍ଚା ହେଲା। 
ଅପରପକ୍ଷେ ସଭା ସ୍ଥଳରୁ ଅଧାରୁ ଉଠି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଚାଲିଯାଇଥିବା ଦେଖିବାକୁ ମିଳିଛି। ଯେଉଁ ନବୀନ ପଟ୍ଟନାୟକଙ୍କୁ ଅପରାଜେୟ ବୋଲି ବିଜେଡି ପ୍ରଚାର କରୁଥିଲା ତାହାକୁ ସେ ଭୁଲ୍‍ ପ୍ରମାଣିତ କରିଥିଲେ। କଣ୍ଟାବାଞ୍ଜିରେ ୧୬ ହଜାରରୁ ଅଧିକ ଭୋଟରେ ନବୀନଙ୍କୁ ପରାଜିତ କରିଛନ୍ତି ଶ୍ରୀ ବାଗ। ତାଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ସକାଳ ଯାଏ ଚର୍ଚ୍ଚା ହେଉଥିଲା। କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ତାଲିକାରୁ କାଟି ତାଙ୍କର ଦୁଇ ଉପକୂଳ ସମର୍ଥକଙ୍କୁ ମନ୍ତ୍ରୀ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ନାଁ ରାଜଭବନରୁ ପ୍ରକାଶିତ ତାଲିକାରେ ନଥିବାରୁ ସେ ଅଭିମାନ କରିଥିଲେ। ଅନେକ ନବାଗତଙ୍କୁ ମନ୍ତ୍ରୀ ପଦ ମିଳୁଥିବା ବେଳେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଲକ୍ଷ୍ମଣଙ୍କୁ ମନ୍ତ୍ରୀପଦ ନ ମିଳିବା ତାଙ୍କୁ ବାଧିଥିଲା। ଏଣୁ ସେ ସଭାସ୍ଥଳରୁ କାନ୍ଦି କାନ୍ଦି ଉଠି ଚାଲି ଆସିଥିଲେ। 


ରାଜ୍ୟ ବିଜେପି ଭିତରେ ବିଧାୟକଙ୍କ ଏହି ଅସନ୍ତୋଷ ଆଗକୁ ଉଗ୍ର ରୂପ ନେବାର ଆଶଙ୍କା ଦେଖାଉଛି। କେନ୍ଦ୍ରୀୟ ନେତୃତ୍ୱରୁ ଆରମ୍ଭ କରି ରାଜ୍ୟ ନେତାମାନେ ନୂଆ ପରମ୍ପରା ସୃଷ୍ଟି କରୁଛନ୍ତି ବୋଲି କହି  ବିଜେଡିର ମୁଖିଆଙ୍କୁ ସମ୍ମାନୀତ କରିବା ଏବଂ ନିଜ ଦଳର ତୁଙ୍ଗ ନେତାଙ୍କୁ ଅପମାନିତ କରିବା ଦଳକୁ ଆଗକୁ ଅନେକ ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା ଦେଖା ଦେଇଛି।