ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀମାନେ କଲେ ଏହି ବଡ ଘୋଷଣା
Independence Day Chief Minister Speech: ଦେଶର ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ପାଳନ କରିଛି। ଏହି ଅବସରରେ ଦେଶରେ ଚତୁର୍ପାଶ୍ବରେ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଥିବାର ଦେଖିବାକୁ ମିଳିଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ(Chief Minister) ମାନେ ମଧ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ଘୋଷଣା କରିଛନ୍ତି।
Independence Day Chief Minister Scheme: ଦେଶର ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ପାଳନ କରିଛି। ଏହି ଅବସରରେ ଦେଶରେ ଚତୁର୍ପାଶ୍ବରେ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଥିବାର ଦେଖିବାକୁ ମିଳିଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ(Chief Minister) ମାନେ ମଧ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ଘୋଷଣା କରିଛନ୍ତି। ଚାରିପଟେ କେବଳ ବିକଶିତ ଭାରତ(India)ର ନୂଆ ରୂପରେଖ ପାଇଁ ପ୍ରୟାସ ଦେଖିବାକୁ ମିଳିଛି। ଯୋଜନା ଗୁଡିକର ଘୋଷଣା ସହିତ ମୁଖ୍ୟମନ୍ତ୍ରୀ ମାନେ ନିଜର ଲକ୍ଷକୁ ଦେଶ ସମ୍ମୁଖରେ ରଖିଛନ୍ତି।
ଶିବରାଜ ସିଂ ଚୌହାନଙ୍କ ଘୋଷଣା
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଦିନ ରାଷ୍ଟ୍ରୀୟ ସ୍ବୟଂସେବାକ ସଂଘ(RSS)ର ପ୍ରତିଷ୍ଠାତା କେ.ବି ହେଡଗେବାର ତଥା ଦେଶର ସ୍ୱାଧୀନତା ସଂଗ୍ରାମର ବୀରଙ୍କ ସ୍ମୃତିକୁ ସ୍ଥାୟୀ ଭାବରେ ବଞ୍ଚାଇବା ପାଇଁ ଏକ ସ୍ମାରକ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ମଧ୍ୟରେ ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏଥିରେ ଶିବରାଜ ଏକ ବର୍ଷ ମଧ୍ୟରେ ଏକ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଏବଂ ଯେଉଁମାନେ ପ୍ରଧାନମନ୍ତ୍ରା ଆବାସ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ନୁହନ୍ତି ସେମାନଙ୍କ ପାଇଁ ମଧ୍ୟ ଘର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ସେ ଏକ ନୂତନ ଯୁବ ନୀତି ଏବଂ ରାଜ୍ୟ ଯୁବ ପରାମର୍ଶଦାତା ପରିଷଦ ଗଠନ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି।
ସିନ୍ଦେଙ୍କ ସାଧାରଣ ମଣିଷଙ୍କୁ ପ୍ରାଥମିକତା
ସ୍ୱାଧୀନତା ଦିବସ ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ତାଙ୍କ ସରକାରଙ୍କ ପ୍ରାଥମିକତା ହେଉଛି ସାଧାରଣ ଲୋକଙ୍କ ପାଇଁ କାମ କରିବା। ଏଥିସହିତ ଅନ୍ୟ ପଛୁଆ ବର୍ଗ, ମରାଠା ଏବଂ ଧନଗର ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସିନ୍ଦେ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆମେ ପ୍ରଥମ ଦିନରୁ କାମ କରିବା ଆରମ୍ଭ କରିଛୁ ଏବଂ ଆମର ପ୍ରାଥମିକତା ହେଉଛି ସାଧାରଣ ଲୋକ, କୃଷକ, ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ କାମ କରିବା। ଓବିସି, ମରାଠା ଏବଂ ଧନଗର ସମ୍ପ୍ରଦାୟକୁ ସଂରକ୍ଷଣର ସୁବିଧା ପ୍ରଦାନ କରିବା। ସରକାର ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର କୌଣସି ବିଦ୍ୟାଳୟରେ କେବଳ ଜଣେ ଶିକ୍ଷକ ରହିବେ ନାହିଁ। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଯୋଜନାର ୭୫ ପ୍ରତିଶତ କାର୍ଯ୍ୟକାରୀ ହୋଇସାରିଛି। ଯାହାର, ଉଦ୍ଦେଶ୍ୟ ହେଉଛି ଟ୍ୟାପରୁ ସମସ୍ତ ଗ୍ରାମୀଣ ପରିବାରକୁ ପାନୀୟ ଜଳ ଯୋଗାଇବା।
ନୀତୀଶ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି
ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ଅନେକ ଆହ୍ବାନ ସତ୍ତ୍ବେ ରାଜ୍ୟ ପ୍ରଗତି ପଥରେ ଅଛି। ୭୬ତମ ସ୍ୱାଧୀନତା ଦିବସରେ ପାଟନାରେ ଥିବା ଐତିହାସିକ ଗାନ୍ଧୀ ମଇଦାନରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ନୀତୀଶ କହିଛନ୍ତି, ରାଜ୍ୟ ସରକାର ଚାହୁଁଛନ୍ତି ଯେ ସମଗ୍ର ସମାଜରେ ସୌହାର୍ଦ୍ଦ୍ୟ ଓ ଭାଇଚାରା ମାହୋଲ ବୃଦ୍ଧିପାଉ। ଆମେ ଯୁବକ ମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବୁ। ଅତିକମରେ ଏକ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ବିଚାର କରୁଛୁ। ସରକାରୀ ଏବଂ ବେସରକାରୀ ନିଯୁକ୍ତି ପାଇଁ ବ୍ୟବସ୍ଥା କରିବେ ବୋଲି ନୀତିଶ କହିଛନ୍ତି ।
ଯୋଗୀଙ୍କ ଭାରତ ଦର୍ଶନ
ସୋମବାର ଲକ୍ଷ୍ନୌରେ ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପତାକା ଉତ୍ତୋଳନ କରିଛନ୍ତି। ସେ କହିଛନ୍ତି, ଆଜି ଆମେ ସମସ୍ତେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ସହିତ ଜଡିତ। ପତାକା ଉତ୍ତୋଳନ ପରେ ଆୟୋଜିତ ଏକ ସମାରୋହରେ ଯୋଗୀ କହିଛନ୍ତି ଯେ, ଦେଶର ୧୩୫ କୋଟି ଲୋକଙ୍କ ସ୍ୱର ଏବଂ 'ଏକ ଭାରତ-ଶ୍ରେଷ୍ଠ ଭାରତ'ର ଦୂରଦୃଷ୍ଟି ସହିତ ଦେଶ ଆଗକୁ ବଢୁଛି।
୧ ଲକ୍ଷ କେଶ ପ୍ରତ୍ୟାହାର ପାଇଁ ଆସାମ ସିଏମଙ୍କ ଘୋଷଣା
ନିମ୍ନ ସ୍ତରରେ ନ୍ୟାୟପାଳିକା ଉପରେ ଭାର କମାଇବା ପାଇଁ ହିମନ୍ତ ବିଶ୍ବଶର୍ମା ସରକାର ସୋସିଆଲ ମିଡିଆ ପୋଷ୍ଟ ସହ ଜଡିତ ଏକ ଲକ୍ଷ ଛୋଟ ମାମଲା ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଛନ୍ତି। ଶର୍ମା କହିଛନ୍ତି ଯେ, ନିମ୍ନ ଅଦାଲତରେ ପ୍ରାୟ ଚାରି ଲକ୍ଷ ମାମଲା ବିଚାରାଧୀନ ଅଛି। ସେ କହିଛନ୍ତି ଯେ, ୧୪ ଅଗଷ୍ଟ ୨୦୨୧ ମଧ୍ୟରାତ୍ରୀ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଛୋଟ ମାମଲା ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
କେଜରିୱାଲଙ୍କ ମାଷ୍ଟର ଷ୍ଟ୍ରୋକ
ସ୍ୱାଧୀନତା ଦିବସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ମାଗଣା ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାର ମୂଳରେ ପହଞ୍ଚି ଦେଶରେ ଦାରିଦ୍ର୍ୟ ଦୂର କରାଯାଇପାରିବ। ଜାତୀୟ ରାଜଧାନୀ ଦିଲ୍ଲୀ ପରି ପାଞ୍ଚ ବର୍ଷ ମଧ୍ୟରେ ସାରା ଦେଶରେ ସ୍କୁଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାରେ ନବୀକରଣ କରାଯାଇପାରିବ ବୋଲି ସେ କହିଥିଲେ। ଦିଲ୍ଲୀର ସ୍ୱାସ୍ଥ୍ୟସେବା ପାଇଁ ଦିଲ୍ଲୀର ପ୍ରତ୍ୟେକ ନାଗରୀକଙ୍କ ପାଇଁ ହାରାହାରି ୨୦୦୦ ଟଙ୍କା ଖର୍ଚ୍ଚ କରାଯାଉଛି। ଆମେ ୨.୫ ଲକ୍ଷ କୋଟି ଟଙ୍କାରେ ୧୩୦ କୋଟି ଭାରତୀୟଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ବ୍ୟବସ୍ଥା କରିପାରିବା ବୋଲି କେଜରିୱାଲ କହିଛନ୍ତି।
ଅସ୍ଥାୟୀ କର୍ମଚାରୀଙ୍କ ରୋଜଗାର ନିଶ୍ଚିତ କରିବେ ପଞ୍ଜାବର ମୁଖ୍ୟମନ୍ତ୍ରୀ
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଲୁଧିଆନାର ଗୁରୁ ନାନକ ଷ୍ଟାଡିୟମରେ ତ୍ରିରଙ୍ଗା ପତାକା ଉତ୍ତଳନ କରିଛନ୍ତି। ତାଙ୍କ ଉଦବୋଧନରେ ସେ ୭୫ଟି 'ଆମ୍ ଆଦମୀ କ୍ଲିନିକ୍' ଜନସାଧାରଣଙ୍କୁ ଉତ୍ସର୍ଗ କରିବା ବିଷୟରେ କହିଥିଲେ। ଅସ୍ଥାୟୀ ଶ୍ରମିକଙ୍କ ପାଇଁ ତାଙ୍କ ସରକାର ରୋଜଗାର ନିଶ୍ଚିତ କରିବେ ବୋଲି ସେ କହିଥିଲେ।
ଉତ୍ତରାଖଣ୍ଡ ସିଏମ୍ ଧାମିଙ୍କ ଗୁରୁତ୍ୱାରୋପ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ୟାରେଡ ଗ୍ରାଉଣ୍ଡରେ ପତାକା ଉତ୍ତୋଳନ କରିଥିଲେ। ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ବେଳେ ସିଏମ ଧାମି କହିଛନ୍ତି ଯେ, ରାଜ୍ୟ ସରକାର ରେଳ ସଂଯୋଗ, ସଡକ ସଂଯୋଗ, ବାୟୁ ସଂଯୋଗ ଏବଂ ଅନେକ କାର୍ଯ୍ୟ ଜାରି ରଖିଛନ୍ତି। ମେଡିକାଲ, ପର୍ଯ୍ୟଟନ, ପରିବହନ, ସଂସ୍କୃତି, ମହିଳା ଏବଂ ସହାୟତା ଗୋଷ୍ଠୀ ପାଇଁ ଶହ ଶହ କୋଟିର ଏକ ରିଲିଫ ପ୍ୟାକେଜ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ରାଜ୍ୟରେ ରୋଗୀଙ୍କ ପାଇଁ ୨୦୭ ପ୍ରକାରର ପରୀକ୍ଷା ନିଷୁଳ୍କ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ମମତାଙ୍କ ସ୍ୱପ୍ନର ଭାରତ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସ୍ୱାଧୀନତା ଦିବସ ଅବସରରେ କହିଛନ୍ତି ଯେ, ସେ ଏପରି ଏକ ରାଷ୍ଟ୍ର ଗଠନ କରିବାକୁ ଚାହୁଁଛନ୍ତି ଯେଉଁଠାରେ କେହି ଭୋକିଲା ନଥିବେ। ଯେଉଁଠାରେ କୌଣସି ମହିଳା ନିଜକୁ ଅସୁରକ୍ଷିତ ମନେ କରିବେ ନାହିଁ ଏବଂ ଯେଉଁଠାରେ ଲୋକମାନଙ୍କୁ ବିଭାଜନ କରିବା ପାଇଁ କୌଣସି ଅତ୍ୟାଚାରୀ ଶକ୍ତି ସଫଳ ହୋଇପାରିବେ ନାହିଁ।
ନବ ଛତିଶଗଡ ନିର୍ମାଣ କରିବାର ସ୍ବପ୍ନ ରଖିଛନ୍ତି ଭୁପେଶ ବାଘେଲ
ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର କହିଛନ୍ତି ଯେ, ନକ୍ସଲବାଦ ରୋକିବାରେ ଯେଉଁ ସଫଳତା ମିଳୁଛି ତାହା ପ୍ରକୃତରେ ଗଣତାନ୍ତ୍ରିକ ବିଶ୍ୱାସର ବିଜୟ ଅଟେ। ରାଜଧାନୀର ରାୟପୁର ପୋଲିସ ପ୍ୟାରେଡ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ବାଘେଲ ପତାକା ଉତ୍ତୋଳନ କରି କହିଥିଲେ, ଛତିଶଗଡ ହେଉଛି ଦେଶର ପ୍ରଥମ ରାଜ୍ୟ ଯାହାକି ଗୋଟିଏ ଫସଲ ଋତୁରେ ଚାଷୀଙ୍କୁ ଏକର ପିଛା ୯୦୦୦ ଟଙ୍କା ସହାୟତା ଦେଇଥିବା ପ୍ରଥମ ରାଜ୍ୟ। ଏଥିସହିତ ସ୍ବୟଂ ସହାୟକା ଗୋଷ୍ଠୀଙ୍କୁ ୩୧୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସେ କହିଛନ୍ତି।
୧ ଲକ୍ଷରୁ ଅଧିକ ଚାକିରି ପାଇଁ ଗେହେଲତଙ୍କ ପ୍ରତିଶୃତି
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ରେବଡି" ଟିପ୍ପଣୀକୁ ଟାର୍ଗେଟ କରି କହିଛନ୍ତି ଯେ, ସାମାଜିକ ସୁରକ୍ଷା ଯୋଜନାକୁ ରେବଡି ବୋଲି ବର୍ଣ୍ଣନା କରିବା ଭୁଲ୍। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ରାଜସ୍ଥାନରେ ଆମେ ପ୍ରାୟ ଏକ କୋଟି ଲୋକଙ୍କୁ ପେନସନ୍ ଦେଉଛୁ ଯାହା, ଭାରତର ଅନ୍ୟ କେଉଁଠାରେ ନାହିଁ। ମୁଖ୍ୟମନ୍ତ୍ରୀ ଚିରଞ୍ଜିବୀ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ମାଗଣା ଓପିଡି, ଆଇପିଡି, ମାଗଣା ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି। ଅଙ୍ଗ ପ୍ରତିରୋପଣ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ନିଜେ ବହନ କରୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ରାଜସ୍ଥାନ ମଡେଲ ଗ୍ରହଣ କରି ଦେଶବାସୀଙ୍କୁ ମାଗଣା ଚିକିତ୍ସା ଯୋଗାଇବା ଉଚିତ। ରାଜ୍ୟର ପରବର୍ତ୍ତୀ ବଜେଟ୍ ଯୁବକ ଓ ଛାତ୍ରମାନଙ୍କ ପାଇଁ ଉତ୍ସର୍ଗ କରାଯିବ ବୋଲି ଗେହଲତ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ୧.୨୯ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି ଏବଂ ଏକ ଲକ୍ଷ ପ୍ରକ୍ରିୟା ଅଧିନରେ ରହିଛି। ଏଥିସହିତ ଆଗାମୀ ସମୟରେ ଅଧିକ ଏକ ଲକ୍ଷ ଚାକିରି ଦିଆଯିବ।
ଏହା ବି ପଢନ୍ତୁ: ଲାଲକିଲାରୁ ପିଏମ ମୋଦିଙ୍କ ୫ଟି ସଂକଳ୍ପ ଓ ୨୫ ବର୍ଷର ଦେଲେ ଟାର୍ଗେଟ, ଜାଣନ୍ତୁ ଏହା ବିଷୟରେ...