ପଞ୍ଜାବକୁ ତତ୍କାଳ ହସ୍ତାନ୍ତର କରାଯାଉ ଚଣ୍ଡିଗଡ଼: ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ କେନ୍ଦ୍ରୀୟ ସେବା ନିୟମ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ କର୍ମଚାରୀଙ୍କ ଲାଗି ମଧ୍ୟ ପ୍ରଯୁଜ୍ୟ ହେବ।
ଚଣ୍ଡିଗଡ଼: ଚଣ୍ଡିଗଡ଼କୁ ତତ୍କାଳ ପଞ୍ଜାବକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଏନେଇ ଶୁକ୍ରବାର ସେ ରାଜ୍ୟ ବିଧାନସଭାରେ ଏକ ସଂକଳ୍ପ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ତଥା ସାଧାରଣ ସମ୍ପତ୍ତି ମଧ୍ୟରେ ସନ୍ତୁଳନ ବିଗାଡି଼ବାକୁ ଚେଷ୍ଟା କରାଯାଉଛି।
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ କେନ୍ଦ୍ରୀୟ ସେବା ନିୟମ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ କର୍ମଚାରୀଙ୍କ ଲାଗି ମଧ୍ୟ ପ୍ରଯୁଜ୍ୟ ହେବ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ଘୋଷଣା ପରେ ପଞ୍ଜାବ ବିଧାନସଭାରେ ଏଭଳି ସଂକଳ୍ପ ପାରିତ କରାଯାଇଥିବା କୁହାଯାଉଛି। କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ ହେଉଛି ପଞ୍ଜାବ ଏବଂ ହରିୟାଣା ରାଜ୍ୟ ଦ୍ୱୟର ମିଳିତ ରାଜଧାନୀ।
Also Read: ଭଗୱନ୍ତ ମାନଙ୍କ ବିଜୟ ପରେ କାହିଁକି ଚର୍ଚ୍ଚାକୁ ଆସିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି
ବିଧାନସଭାରେ ଏହି ସଂକଳ୍ପ ଉପସ୍ଥାପନ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କେନ୍ଦ୍ର ଉଦ୍ଦେଶ୍ୟରେ ଭାରତୀୟ ସମ୍ବିଧାନରେ ଦର୍ଶାଯାଇଥିବା ସଂଘୀୟ ନୀତିକୁ ସମ୍ମାନ କରିବାକୁ କହିଛନ୍ତି। ଚଣ୍ଡିଗଡ଼ ପ୍ରଶାସନ ସହିତ ଅନ୍ୟାନ୍ୟ ସାଧାରଣ ସମ୍ପତ୍ତିର ସନ୍ତୁଳନ ବିଗାଡି଼ବାକୁ କୌଣସି ପଦକ୍ଷେପ ନ ନେବାକୁ କହିଛନ୍ତି ସେ। ଏହି ସଂକଳ୍ପରେ ଦର୍ଶାଯାଇଛି ଯେ ପଞ୍ଜାବ ପୁନର୍ଗଠନ ଅଧିନିୟମ ୧୯୬୬ ଅନୁସାରେ ରାଜ୍ୟର ପୁନର୍ଗଠନ କରାଯାଇଥିଲା। ଯେଉଁଥିରେ ପୃଥକ ପଞ୍ଜାବ-ହରିୟାଣା ରାଜ୍ୟ ସହ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ ଗଠନ କରାଯାଇଥିଲା। ଅନ୍ୟପଟେ ପଞ୍ଜାବର କିଛି ଅଞ୍ଚଳ ତତ୍କାଳୀନ ଅନ୍ୟତମ କେନ୍ଦ୍ର ଶାସିତ ହିମାଚଳ ପ୍ରଦେଶକୁ ଦିଆଯାଇଥିଲା।
ସେବେଠାରୁ ପଞ୍ଜାବ ଏବଂ ହରିୟାଣା ରାଜ୍ୟରୁ ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଅନୁପାତରେ ପରିଚାଳନା ପଦବୀ ପ୍ରଦାନ କରି ଭାଖଡ଼ା ବିସ୍ ମ୍ୟାନେଜମେଣ୍ଟ ବୋର୍ଡ ପରି ଅଂଶୀଦାର ସମ୍ପତ୍ତିର ପରିଚାଳନାରେ ଏକ ସନ୍ତୁଳନ ବଜାୟ ରହିଛି ବୋଲି ଏଥିରେ କୁହାଯାଇଛି। ଏହାର ଅନେକ ପଦକ୍ଷେପ ସହିତ କେନ୍ଦ୍ର ସରକାର ଏହି ସନ୍ତୁଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ପ୍ରସ୍ତାବ ଅନୁଯାୟୀ କେନ୍ଦ୍ର ସରକାର ଏହି ବୋର୍ଡ ସଦସ୍ୟଙ୍କ ପଦବୀ ବିଜ୍ଞାପନକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ନିକଟରେ ଖୋଲିଛନ୍ତି। ହେଲେ ଏହି ବୋର୍ଡରେ ପଞ୍ଜାବ ଏବଂ ହରିୟାଣାର ଅଧିକାରୀଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ସେହିଭଳି ପଞ୍ଜାବ-ହରିୟାଣା ରାଜ୍ୟ ଦ୍ୱୟର ଅଧିକାରୀ ୬୦:୪୦ ଅନୁପାତରେ ଚଣ୍ଡିଗଡ଼ ପ୍ରଶାସନ ଲାଗି କାମ କରିଆସୁଛନ୍ତି।
Also Read: Punjab Election Result 2022: AAP ଝଡ଼ର ଚିତପଟାଙ୍ଗ ମାରିଲେ ବିରୋଧି
କେନ୍ଦ୍ର ସରକାର ଚଣ୍ଡିଗଡ଼ ବାହାରର ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ଏବଂ ଚଣ୍ଡିଗଡ଼ ପ୍ରଶାସନର କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ପ୍ରଶାସନ ସେବା ନିୟମ ପ୍ରଣୟନ କରିଛନ୍ତି ଯାହା ପୂର୍ବରୁ ହୋଇଥିବା ସହମତିର ବିରୋଧାଚରଣ କରୁଛି। ଚଣ୍ଡିଗଡ଼ ସହର ପଞ୍ଜାବ ରାଜଧାନୀ ଭାବରେ ତିଆରି କରାଯାଇଥିଲା। ଅତୀତରେ ଯେତେବେଳେ ଗୋଟିଏ ରାଜ୍ୟ ବିଭାଜିତ ହେଲା ସେତେବେଳେ ଏହାର ରାଜଧାନୀ ମୂଳ ରାଜ୍ୟ ସହିତ ରହିଲା। ଚଣ୍ଡିଗଡ଼କୁ ପଞ୍ଜାବକୁ ସମ୍ପୂର୍ଣ୍ଣ ହସ୍ତାନ୍ତର କରିବାକୁ ପଞ୍ଜାବ ନିଜର ଦାବି ଉପସ୍ଥାପନ କରୁଛି।