Dhamnagar By-election, ଭଦ୍ରକ: ଧାମନଗର ଉପନିର୍ବାଚନକୁ ନେଇ ନିର୍ବାଚନ କମିଶନର ନଭେମ୍ବର ୩ ପାଇଁ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୬ରେ ଏହାର ଫଳାଫଳ ପ୍ରକାଶ ପାଇବ। ତେବେ ଧାମନଗର ଉପନିର୍ବାଚନରେ କେଉଁ ଦଳରୁ କିଏ ପାର୍ଥୀ ହେବ ତାକୁନେଇ ଭୋଟରଙ୍କ ସସପେନ୍ସ ବଢୁଛି। ତେବେ ଖୁବଶୀଘ୍ର ଧାମନଗରବାସୀ ନିଜ ବିଧାୟକ ପ୍ରାର୍ଥୀଙ୍କ ଚେହେରା ଦେଖିବେ। ଏଥର ମଧ୍ୟ ତ୍ରିମୁଖୀ ଲଢେଇ ହେବ ବୋଲି ଆଶା କରାଯାଉଛି।


COMMERCIAL BREAK
SCROLL TO CONTINUE READING

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ତିହିଡି ଗସ୍ତ ପରେ ବିଜେପିକୁ ଗୁରୁ ମନ୍ତ୍ରୀ ମିଳିଥିବା ବେଳେ ବିଜେଡି, ନବୀନଙ୍କ ଲୋକ ପ୍ରିୟତାରେ ଧାମନଗର ଗଡ ଜିତିବାକୁ ଲକ୍ଷ ରଖିଛି। ସେପଟେ କଂଗ୍ରେସ କାହାକୁ କରିବ ପାର୍ଥୀ କରିବ ସେନେଇ ନିର୍ବାଚନୀ ଅଙ୍କ ଛିଡୁନି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଷ୍ଣୁ ସେଠୀଙ୍କୁ ପାର୍ଥୀ କରି ପଦ୍ମ ଫୁଟାଇଥିଲା। କିନ୍ତୁ ବିଜେଡି ପୂର୍ବରୁ ଏହି ଆସନରେ ବିଜୟ ହୋଇଥିଲେ ମଧ୍ୟ ଗୋଷ୍ଠୀ କନ୍ଦଳ ପାଇଁ ଦଳୀୟ ପ୍ରାର୍ଥୀ ରାଜୁ ଦାସ ପରାଜିତ ହୋଇଥିଲେ। ଆଉ କଂଗ୍ରେସକୁ ୩ ନମ୍ବରରେ ସନ୍ତୁଷ୍ଟ ହେବାକୁ ପଡିଥିଲା। କିନ୍ତୁ ବିଧାୟକ ବିଷ୍ଣୁ ଖୋଲା ମଞ୍ଚରେ ବିଜେଡି ସମର୍ଥନରେ ଜିତିଛି ବୋଲି କହିଥିଲେ, ଯାହା ଶାସକ ଦଳର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଥିଲା।


Also Read: Dhamnagar By-election: ନଭେମ୍ବରରେ ଧାମନଗର ଉପ-ନିର୍ବାଚନ, ECI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ


ପୂର୍ବ ଭୁଲ ନଦୋହରେଇବାକୁ ବିଜେଡି ସମସ୍ତ ଗୋଷ୍ଠୀ କନ୍ଦଳ ଭୁଲି ଏଥର ଉପ ନିର୍ବାଚନ ବିଜୟ ପାଇଁ ଜୋରଦାର ପ୍ରସ୍ତୁତ କରୁଛି। ବିଜେଡିର ବିଜୟ ଦାୟିତ୍ୱ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ କାନ୍ଧରେ ଅଛି। ବିଜେପି କାହାକୁ ଦାୟିତ୍ଵ ଦେଇ ନିର୍ବାଚନୀ ବୈତରଣୀ ପାର ହେବ ତାକୁ ନେଇ ଅଙ୍କ କସୁଛି। ସେପଟେ କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀଙ୍କ ବାରମ୍ବାର ଧାମନଗର ଗସ୍ତ ମଧ୍ୟ ରାଜନୀତି ମାହୋଲକୁ ସରଗରମ କରିଛି। ବିଜେପିର ବିଷ୍ଣୁ ସେଠୀଙ୍କ ପୁଅ ସୁର୍ଯ୍ୟବଂଶୀ ସୁରଜକୁ ପାର୍ଥୀ କରିବାକୁ ମନସ୍ଥ କରୁଥିବା କୁହାଯାଉଛି। ସେପଟେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜେଡି ପାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି।


ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ବିଜେଡିର ରାଜେନ୍ଦ୍ର ଦାସ, ବିଜେପିର ସୂର୍ଯ୍ୟବଂଶୀ ସୁରଜ ଓ କଂଗ୍ରେସରୁ ଅନନ୍ତ ସେଠୀଙ୍କୁ ପାର୍ଥୀ ପାଇଁ ସାମାଜିକ ଗଣମାଧ୍ୟମରେ ଜୋରଦାର ପ୍ରଚାର ଚାଲିଛି। ବିଜେପି ତାର ପୂର୍ବ ସ୍ଥିତି ଫେରିପାଇବ ନା ବିଜେଡି ଗୋଷ୍ଠୀ କନ୍ଦଳ ଭୁଲି ଗଡ ଦଖଲ କରିବ, ଆଉ କଂଗ୍ରେସ କଣ କର୍ମୀଙ୍କୁ ଏକଜୁଟ କରି ତାର ଦକ୍ଷତା ପରୀକ୍ଷା ଦେବ? ତେବେ କେଉଁ ଦଳ ଉପରେ ଧାମନଗର ଭୋଟରଙ୍କ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହାକୁ ଅପେକ୍ଷା ରହିଲା।



ସେପଟେ ବିରୋଧୀ ଦଳ ନେତା, ଜୟ ନାରାୟଣ ମିଶ୍ର କହିଛନ୍ତି, "ସେମି ଫାଇନାଲ ବି ଆମେ ଖେଳିବୁ। ଫାଇନାଲ ବି ଆମେ ଖେଳିବୁ। ବିଜେଡ଼ି ଓ ବିଜେପିକୁ ଛାଡ଼ି ଦେଲେ ଅନ୍ୟ ଟିମ ହିଁ ନାହିଁ। ବିଜେପି ଫାଇନାଲ ମ୍ୟାଚ ଜିତିବାକୁ ଚାହୁଁଛି। ଫାଇନାଲ ପୂର୍ବରୁ ଦୁଇଟି ଉପନିର୍ବାଚନ ପ୍ରାକ୍ଟିସ ମ୍ୟାଚ। ଏଗୁଡ଼ିକୁ ବି ଜିତିବାକୁ ପ୍ରୟାସ କରିବୁ। ଏ ସିଟ ବିଜେପିର ଥିଲା। ଆଉ ନୂଆ କିଛି କରିବାକୁ ପଡ଼ିବ ନାହିଁ। ଲଢେଇ ଜୋରଦାର ହେବ। ବିଜେପିର ବିଜୟ ନିଶ୍ଚିତ। ସ୍ବର୍ଗତ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଲୋକଙ୍କର ସ୍ନେହ ଶ୍ରଦ୍ଧା ଅଛି। ପ୍ରଦେଶ ନିର୍ବାଚନ କମିଟି ଖୁବଶୀଘ୍ର ବୈଠକ କରି ପ୍ରାର୍ଥୀଙ୍କ ନାମ ପଠାଇବ। ଦଳ ପାଖରେ ଅନେକ ଗୁଡିଏ ଚଏସ ଅଛି। ତା ଭିତରୁ ଜଣଙ୍କୁ ପ୍ରାର୍ଥୀ କରାଯିବ।"


Also Read: MLA passes away: ପରପାରିରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା


ବିଜେଡି ମୁଖପାତ୍ର ଲେଲିନ ମହାନ୍ତିଙ୍କ କହିଛନ୍ତି, "ଧାମନଗରରେ ବିଜେଡ଼ିର ଏକତରଫା ବିଜୟ ହେବ। ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି। ତେଣୁ ବାଲେଶ୍ଵର ଉପନିର୍ବାଚନ ଭଳି ଏଥର ବିଜେଡିର ବି ଏକତରଫା ନିର୍ବାଚନ ହେବ। ପ୍ରାଥି ଚୟନକୁ ନେଇ କେବେ ବି ଅଡୁଆ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ତାଙ୍କ ପାଇଁ ଦଳର ସମସ୍ତ କର୍ମୀ ପ୍ରଚାର କରିବେ। ଭାରତୀୟ ରାଜନୀତିରେ ସିମ୍ପାଥି ରହି ଆସିଛି। ମାତ୍ର ଯଦି କେହି ଲୋକଙ୍କ ପାଇଁ କାମ କରୁଥିବ ତେବେ ଅନୁକମ୍ପା ଥିବା ସତ୍ୱେ ନିର୍ବାଚନ ନିଶ୍ଚିତ ଜିତିହେବ। ଆଉ ଏଠି ବି ଆମେ ବାଲେଶ୍ଵର ଭଳି ବିଜୟ ହାସଲ କରିବୁ।"


ଧାମନଗର ଉପନିର୍ବାଚନ-୨୦୨୨


  • ୭ ଅକ୍ଟୋବର ୨୦୨୨ (ଶୁକ୍ରବାର)- ଗେଜେଟ୍ ନୋଟିଫିକେସନ୍ ପ୍ରକାଶ

  • ୧୪ ଅକ୍ଟୋବର ୨୦୨୨ (ଶୁକ୍ରବାର)- ନାମାଙ୍କନର ଶେଷ ତାରିଖ

  • ୧୫ ଅକ୍ଟୋବର ୨୦୨୨ (ଶନିବାର)- ନାମାଙ୍କନ ଯାଞ୍ଚ

  • ୧୭ ଅକ୍ଟୋବର ୨୦୨୨ (ସୋମବାର)- ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ

  • ୩ ନଭେମ୍ବର ୨୦୨୨ (ଗୁରୁବାର)- ମତଦାନ

  • ୬ ନଭେମ୍ବର ୨୦୨୨ (ରବିବାର)- ଭୋଟ ଗଣତି

  • ନଭେମ୍ବର ୮ ସୁଦ୍ଧା ଶେଷ କରିବାକୁ ଯୋଜନା କରାଯାଇଛି।