Odisha Election 2024: ଏଥର ବି ବିଧାନସଭା ଓ ଲୋକସଭା ପାଇଁ ରାଜ୍ୟରେ ଏକସଙ୍ଗେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗଣତାନ୍ତ୍ରିକ ପରମ୍ପରାରେ ଲୋକପ୍ରତିନିଧିଙ୍କ ନିର୍ବାଚନ, ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ସରକାର ଗଠନ ପ୍ରଭୃତି ବାବଦରେ ରାଜ୍ୟବାସୀଙ୍କ ଅନେକ ଅଭିଜ୍ଞତା ୟା’ ଭିତରେ ହାସଲ ହୋଇସାରିଥିଲା। କାରଣ ସ୍ୱାଧୀନତା ପରା ଏହାଥିଲା ସିନା ଦ୍ୱିତୀୟ ନିର୍ବାଚନ କିନ୍ତୁ ସ୍ୱାଧୀନତା ପୂର୍ବରୁ ୧୯୩୭ ମସିହାରେ ପ୍ରଥମ ପ୍ରଦେଶିକ ବିଧାନସଭା ପାଇଁ ଓଡ଼ିଶାବାସୀ ପ୍ରତିନିଧି ବାଛିଥିଲେ। ଇଂରେଜ ସରକାର ସମୟରେ ଅବଶ୍ୟ ସମସ୍ତ ସାବାଳକ ଏଥିରେ ଭୋଟ ଦେଇ ନଥିଲେ କିନ୍ତୁ ଯେଉଁମାନେ ଇଂରେଜ ସରକାରଙ୍କୁ ଚୌକିଦାରୀ ଟିକସ ଦେଉଥିଲେ ସେମାନେ ନିର୍ବାଚନରେ ଭୋଟ ଦେଉଥିଲେ। ଏହି ସଭା ୧୯୪୬ ପର୍ଯ୍ୟନ୍ତ ଚାଲିଥିଲା। ତା ପରେ ୧୯୪୬ରେ ଆଉଥରେ ଭୋଟ ହୋଇ ପ୍ରତିନିଧି ବଛାଯାଇଥିଲା, ଯାହା ଦ୍ୱିତୀୟ ପ୍ରାଦେଶିକ ବିଧାନସଭା ଥିଲା। 


COMMERCIAL BREAK
SCROLL TO CONTINUE READING

ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟବାସୀଙ୍କପାଇଁ ଏହାଥିଲା ଚତୁର୍ଥ ନିର୍ବାଚନ। ଅର୍ଥାତ୍‍ ପରିପକ୍ୱ ଭାବେ ନିଜର ମତ ସାବ୍ୟସ୍ତ କରିଥିଲେ ଓଡ଼ିଶାବାସୀ। ହେଲେ ରାଜ୍ୟରେ କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲେ। ଫଳରେ ଗଠନ ହୋଇଥିଲା ରାଜ୍ୟର ପ୍ରଥମ ଝୁଲା ସରକାର। ଏହାସହ ଅନେକ ଜଣ-ଅଜଣା ପ୍ରସଙ୍ଗ ଏହି ନିର୍ବାଚନ ସହ ଯୋଡ଼ି ହୋଇ ରହିଛି। ଆସନ୍ତୁ ନଜର ପକାଇବା। 


୧୯୫୨ ମସିହା ଫେବୃୟାରୀ ୨୦ ତାରିଖରେ ଗଠନ ହୋଇଥିବା ପ୍ରଥମ ସରକାରର କାର୍ଯ୍ୟକାଳ ୧୯୫୭ ମସିହା ଫେବୃୟାରୀରେ ହିଁ ଶେଷ ହୋଇଯାଇଥିଲା। ଅର୍ଥାତ୍‍ ବିଧି ଅନୁସାରେ ଫେବୃୟାରୀ ୨୦ ତାରିଖ ପୂର୍ବରୁ ନିର୍ବାଚନ କରାଇ ନିର୍ବାଚିତ ନୂଆ ସରକାରଙ୍କୁ କ୍ଷମତାସୀନ କରିବା ଆବଶ୍ୟକତା ଥିଲା। ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାଗ ତଥା କର୍ମଚାରୀ ଓ ଗାଡ଼ି ମୋଟର ନଥିବା କାରଣରୁ ନିର୍ବାଚନ ବିଳମ୍ବ ହୋଇଥିଲା। ଫେବୃୟାରୀ ୨୪ ତାରିଖରେ ଏ ନିର୍ବାଚନ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୨ ତାରିଖରେ ଶେଷ ହେଲା। କୌଣସି ରାଜନୀତିକ ଦଳ ପୂର୍ଣ୍ଣ ବହୁମତ ହାସଲ କରିପାରି ନଥିଲେ। ଟଣା ଓଟରା ଅନେକ ଦିନ ଚାଲିଲା ପରେ ଏପ୍ରିଲ୍‍ ୬ ତାରିଖରେ ସରକାର ଗଠନ ହୋଇଥିଲା, ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ। 


ଏହି ନିର୍ବାଚନରେ ଯେଉଁ ରାଜନୈତିକ ଦଳମାନେ ବିଜୟ ଲାଭ କରିଥିଲେ ସେମାନେ ହେଲେ କଂଗ୍ରେସ, ଗଣତନ୍ତ୍ର ପରିଷଦ, ପ୍ରଜା ସୋଶାଲିଷ୍ଟ ପାର୍ଟି ଏବଂ କମ୍ୟୁନିଷ୍ଟ ଦଳ। ଏବେ ଓଡ଼ିଶା ବିଧାନସଭାରେ ଏଥିରୁ ଗୋଟିଏ ମାତ୍ର ଦଳର ପ୍ରତିନିଧି ରହିଛନ୍ତି। ଦୁଇଟି ଦଳ ଇତିହାସର କାଳଗର୍ଭରେ ବିଲୀନ ହୋଇଯାଇଛନ୍ତି। 


ମୋଟ ୧୪୦ ଆସନ ପାଇଁ ନିର୍ବାଚନ ହୋଇଥିଲା। ସେଥିରୁ କଂଗ୍ରେସ ସର୍ବାଧିକ ୫୬ଟି ଆସନ ଅକ୍ତିଆର କରିଥିବା ବେଳେ ଗଣତନ୍ତ୍ର ପରିଷଦକୁ ୫୧, ପ୍ରଜା ସୋଶାଲିଷ୍ଟ ପାର୍ଟିକୁ ୧୧ ଏବଂ କମ୍ୟୁନିଷ୍ଟ ଦଳକୁ ୯ଟି ଆସନ ମିଳିଥିଲା। ଅର୍ଥାତ୍‍ ସରକାର ଗଠନ ପାଇଁ ସେତେବେଳେ ଆବଶ୍ୟକ ହେଉଥିବା ୭୧ ଆସନ କାହାକୁ ମିଳିପାରି ନଥିଲା। କିନ୍ତୁ ଗଣତନ୍ତ୍ର ପରିଷଦର କିଛି ସଦସ୍ୟ ଓ କମ୍ୟୁନିଷ୍ଟ ଦଳର କିଛି ସଦସ୍ୟ ସମର୍ଥନ ଦେବାରୁ ସରକାର ଗଠନ ହୋଇପାରିଥିଲା। ଅର୍ଥାତ୍‍ ଓଡ଼ିଶାରେ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ ହୋଇଥିଲା। ସେତେବେଳେ ବିରୋଧି ଦଳରେ ବି ଗଣତନ୍ତ୍ର ପରିଷଦ ଥିଲା। ଅର୍ଥାତ୍‍ ସମଭାବାପନ୍ନ ବିଧାୟକମାନେ ଏକାଠି ହୋଇଥିଲେ, ସରକାରରେ। 


ଏହି ମିଳିତ ମନ୍ତ୍ରିମଣ୍ଡଳରେ ନେତା ସାଜିଥିଲେ ହରେକୃଷ୍ଣ ମହତାବ। କିନ୍ତୁ ମାତ୍ର ଦୁଇବର୍ଷ ପରେ ମିଳିତ ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା। ଅର୍ଥାତ୍‍ ଆଜି ଯେଉଁ ମେଣ୍ଟ ସରକାର କଥା ନେଇ ଚର୍ଚ୍ଚା ଚାଲିଛି, ତାହାର ମୁଳଦୂଆ ଓଡ଼ିଶାରେ କଂଗ୍ରେସ ଦ୍ୱାରା ଦ୍ୱିତୀୟ ମନ୍ତ୍ରିମଣ୍ଡଳ ଗଠନ ସମୟରେ ପଡ଼ିଥିଲା, ଯାହା ଅସ୍ଥାୟୀ, ଅସ୍ଥିର ଥିଲା।  ଏବେ ଏ ସରକାର ସମୟରେ ଆଉ ଏକ ନୂଆ ଘଟଣା କଥା।  ୧୯୬୧ ଫେବୃୟାରୀ ମାସରେ ସରକାର ଭାଙ୍ଗିବାରୁ ୨୫ ତାରିଖ ଦିନ ପ୍ରଥମ କରି ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ସେତେବେଳର ରାଜ୍ୟୃପାଳ ଯଶୋବନ୍ତ ନାରାୟଣ ସୁକ୍ତ ରାଜ୍ୟ ଶାସନ ଗ୍ରହଣ କରିବା ସହ ସରକାରଙ୍କୁ ଭାଙ୍ଗିଥିଲେ।  ସରକାର ଭାଙ୍ଗିବା ଦ୍ୱାରା ବାଚସ୍ପତିଙ୍କୁ ବି ଇସ୍ତଫା ଦେବାକୁ ପଡ଼ିଥିଲା। ହେଲେ ସାମ୍ବିଧାନିକ ବ୍ୟବସ୍ଥାକୁ ଭିତ୍ତିକରି ତତ୍‍କାଳୀନ ବାଚସ୍ପତି ନୀଳକଣ୍ଠ ଦାସ କୋର୍ଟଙ୍କ ଦ୍ୱାରସ୍ଥ ହେଲେ। ତା’ପରେ ବାଚସ୍ପତି କେନ୍ଦ୍ର ସରକାରଙ୍କୁ ନିଜର ଯୁକ୍ତି ଦର୍ଶାଇଲେ। ତାଙ୍କ ଯୁକ୍ତିକୁ ଗ୍ରହଣ କରାଯାଇ ପରବର୍ତ୍ତୀ ସମୟରେ ସରକାର ଭଙ୍ଗ ହେଲେ ମଧ୍ୟ ବାଚସ୍ପତିଙ୍କୁ ଅପସାରଣ ହେବା ବନ୍ଦ ହେଲା। ଅର୍ଥାତ୍‍ ପରବର୍ତ୍ତୀ ସରକାର ଗଠନ ହେବା ଯାଏ ପୁରୁଣା ବାଚସ୍ପତି ପଦବୀରେ ରହିଲେ। ଏହାସହ ବିଧାନସଭାକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ ଏହି ଦୁଇ ବର୍ଷିଆ ସରକାରରେ ସମ୍ଭବ ହୋଇଥିଲା। ବାଚସ୍ପତି, ବିଧାୟକଙ୍କ ଦରମା ସେତେବଳେ ରାଜ୍ୟ ସଚିବାଳୟ ଦ୍ୱାରା ନିୟନ୍ତ୍ରଣ ହେଉଥିଲା। କିନ୍ତୁ ବାଚସ୍ପତି ନୀଳକଣ୍ଠ ଦାସଙ୍କ ଉଦ୍ୟମ କ୍ରମେ ବିଧାନସଭା ଏକ ସ୍ୱୟଂ ଶାସିତ ଅନୁଷ୍ଠାନ ହେଲା।  ଏହିପରି ଭାବେ ରାଜ୍ୟର ଦ୍ୱିତୀୟ ନିର୍ବାଚନ ଓ ସରକାର ଅନେକ ଗୁରୁତ୍‍ୱପୂର୍ଣ୍ଣ ଘଟଣାପାଇଁ ମନେ ପଡ଼ନ୍ତି। ସେଥିରେ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଭୂମିକା, ବାଚସ୍ପତି ନୀଳକଣ୍ଠ ଦାସଙ୍କ ଯୁକ୍ତି ଏବଂ ବିରୋଧିଦଳ ନେତା ରାଜେନ୍ଦ୍ର ନାରାୟଣ  ସିଂହଦେଓଙ୍କ ନେତୃତ୍ୱ ଅନେକ ସ୍ମରଣୀୟ ହୋଇ ରହିବ।