ଲକ୍ଷ୍ନୌ: ପ୍ରାୟ ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ଚିକିତ୍ସାଧିନ ଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶନିବାର ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଗତ ଜୁଲାଇ ୪ ତାରିଖରୁ ଲକ୍ଷ୍ନୌସ୍ଥିତ ଏସଜିପିଜିଆଇ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।   


COMMERCIAL BREAK
SCROLL TO CONTINUE READING

ପୁରୁଖା ବିଜେପି ନେତା ଭାବେ ଜଣାଶୁଣା ଥିଲେ କଲ୍ୟାଣ ସିଂହ। ନବେ ଦଶକରେ ଆରମ୍ଭ ହୋଇଥିବା ରାମ ମନ୍ଦିର ଆନ୍ଦୋଳନ ତାଙ୍କୁ ଜାତୀୟ ତଥା ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲା ସ୍ୱତନ୍ତ୍ର ପରିଚୟ। ଏହି ଘଟଣା କାରଣରୁ ଭାରତୀୟ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ। ଜଣେ ପ୍ରଖର ହିନ୍ଦୁତ୍ୱବାଦୀ ବକ୍ତା ଭାବେ ପରିଚିତ ଥିଲେ ଏହି ବରିଷ୍ଠ ବିଜେପି ନେତା।


ଦୁଇ ଦୁଇ ଥର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଥାନ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂହ। ୧୯୩୨ ମସିହା ଜାନୁଆରୀ ୫ ତାରିଖରେ ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାରେ ଅବସ୍ଥିତ ମଢୌଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୧ ମସିହା ଜୁନ ୨୪ ତାରିଖରୁ ୬ ଡିସେମ୍ବର ୧୯୯୨ ପ୍ରଥମ ଏବଂ ୧୯୯୭ ମସିହା ୨୧ ସେପ୍ଟମ୍ବରରୁ ୧୯୯୯ ମସିହା ୧୨ ନଭେମ୍ବର ପର୍ଯ୍ୟନ୍ତ ଦ୍ୱତୀୟ ଥର ଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ୨୦୧୪ ସେପ୍ଟମ୍ବର ୪ ତାରିଖରୁ ୨୦୧୯ ସେପ୍ଟମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। 


Also Read: ଅଯୋଧ୍ୟାରେ କରସେବକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ନଦେଇ ଗର୍ବିତ: ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ


ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସମାଜବାଦ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ମୃତ୍ୟରେ ରାଜ୍ୟ ସରକାର ସୋମବାର ଶୋକ ଦିବସ ଘୋଷଣା କରିଛନ୍ତି। ରବିବାର ସନ୍ଧ୍ୟାରେ ତାଙ୍କର ମୃତ ଶରୀରକୁ ଆଲିଗଡ ନିଆଯିବ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।