Gujarat Assembly Election 2022: ବିଗତ ୨୭ ବର୍ଷ ଧରି ଗୁଜୁରାଟରେ କ୍ଷମତାସୀନ ରହିଛି ବିଜେପି। ଗତ ୧୯୯୫ ମସିହା ପର ଠାରୁ ଗୁଜୁରାଟ ବିଜେପି ଲାଗି ପାରମ୍ପରିକ ଗଡ଼ ଭାବେ ଉଭା ହୋଇଛି। ବର୍ତ୍ତମାନ ଗୁଜୁରାଟ ସମଗ୍ର ଦେଶରେ ରାଜନୀତିର କେନ୍ଦ୍ର ପାଲଟିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୃହ ରାଜ୍ୟ ହେଉଛି ଗୁଜୁରାଟ। ଏହା ସହିତ ଗୁଜୁରାଟରେ କ୍ଷମତାକୁ ଆସିବା ପାଇଁ ବିଜେପି କ୍ରମାଗତ ଭାବେ ସପ୍ତମ ଥର ପାଇଁ ଏଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଚଳାଇଛି। ହେଲେ ଏହି ରାଜ୍ୟରେ ଏପରି କିଛି ବିଧାନସଭା ଆସନ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ବିଜେପି କେବେ ​​ବିଜୟୀ ହୋଇପାରି ନାହିଁ।


COMMERCIAL BREAK
SCROLL TO CONTINUE READING

ପ୍ରଥମ ଥର ଗୁଜୁରାଟରେ ୧୯୬୨ ମସିହାରେ ଅନୁଷ୍ଠିତ ହୋଇଥିଲା ଗୁଜୁରାଟ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ​​କଂଗ୍ରେସ ବାଜିମାତ କରି ସରକାର ଗଠନ କରିଥିଲା। ସେତେବେଳେ କଂଗ୍ରେସ ରାଜ୍ୟର ମୋଟ ୧୬୨ ସିଟ୍ ମଧ୍ୟରୁ ୧୧୩ ଆସନ ଜିତିଥିଲା। ଅନ୍ୟପକ୍ଷରେ ସ୍ୱତନ୍ତ୍ର ପାର୍ଟି ୨୬, ପ୍ରଜା ସମାଜବାଦୀ ପାର୍ଟି ୭ ଏବଂ ସ୍ୱାଧିନ ପ୍ରାର୍ଥୀ ୧୭ ଆସନରେ ଜିତିଥିଲେ। ଗତ ୧୯୬୨ ମସିହାରୁ ୨୦୧୭ ପର୍ଯ୍ୟନ୍ତ ୧୩ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ହେଲେ ଗୁଜୁରାଟରେ ଏପରି କିଛି ବିଧାନସଭା ଆସନ ରହିଛି ଯେଉଁ ଠାରେ ବିଜେପି ଆଜି ପର୍ଯ୍ୟନ୍ତ କେବେ ହେଲେ ବାଜିମାତ କରି ପାରିନାହିଁ। 


ଏହି ଆସନ ହେଉଛି ଆଣନ୍ଦ ଜିଲ୍ଲାର ବୋରସାଦ ଏବଂ ଅଙ୍କଲବ, ଭରୁଚ ଜିଲ୍ଲାର ଝଗଡିୟା, ତାପୀ ଜିଲ୍ଲାର ବ୍ୟୋରା, ଖେଡା ଜିଲ୍ଲାର ମହୁଆ, ଅହମ୍ମଦାବାଦ ଜିଲ୍ଲାରେ ଦାନିଲିମ୍ବଦା ଏବଂ ଦାହୋଦ ଜିଲ୍ଲାର ଗରବାଡା ଆସନ।


ଗତ ୧୯୬୨ ମସିହାରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ​​ସ୍ୱତନ୍ତ୍ର ପାର୍ଟି ପ୍ରାର୍ଥୀ ମଗନଭାଇ ବଂଶଜୀଭାଇ ପଟେଲ ବୋରସାଦ ଆସନରୁ କଂଗ୍ରେସ ପ୍ରାର୍ଥୀ ରମନଲାଲ ଧନଭାଇ ପଟେଲଙ୍କୁ ପରାସ୍ତ କରିଥିଲେ। ସେହିପରି ଗତ ୨୦୧୭ ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ସିଂହ ଧୀର ସିଂହ ପରମାର ବିଜେପି ପ୍ରାର୍ଥୀ ସୋଲାଙ୍କି ନୟାନବେନ ରମନଭାଇଙ୍କୁ ପରାସ୍ତ କରିଥିଲେ। ସେହିପରି ଝଗଡିୟା ଆସନରୁ ପ୍ରଥମ ଥର ପାଇଁ କଂଗ୍ରେସ ପ୍ରାର୍ଥୀ ଭାସା ଧନୁବେନ ଦଲପତଭାଇ ସ୍ୱତନ୍ତ୍ର ପାର୍ଟି ପ୍ରାର୍ଥୀ ଅମରସଙ୍ଗ ଗୋବିନ୍ଦ ଭିଲଙ୍କୁ ପରାସ୍ତ କରିଥିଲେ। ଗତ ୨୦୧୭ ନିର୍ବାଚନ ଏହି ଆସନରେ ଭାରତୀୟ ଟ୍ରାଇବାସଲ ପାର୍ଟି ମୁଖ୍ୟ ଛୋଟୁ ବସୱା ନିର୍ବାଚନ ଜିତିଥିଲେ।


କଂଗ୍ରେସ ପ୍ରାର୍ଥୀ ପ୍ରୀତିରାଜ ଗଙ୍ଗଜିଭାଇ ଚୌଧୁରୀ ପ୍ରଥମ ଥର ପାଇଁ ତାପି ଜିଲ୍ଲାର ବ୍ୟୋରା ଆସନରୁ ଜିତିଥିଲେ। ଗତ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପୁନାଭାଇ ଢେଡାଭାଇ ଗାମିତ ବିଜେପି ପ୍ରାର୍ଥୀ ଚୌଧୁରୀ ଅରବିନ୍ଦ ଭାଇଙ୍କୁ ପରାସ୍ତ କରିଥିଲେ। ଗତ ୧୯୭୨ ମସିହାରେ ପ୍ରଥମ ଥର ପାଇଁ ଖେଡା ଜିଲ୍ଲାର ମହୁଆ ଆସନରେ ହୋଇଥିବା ନିର୍ବାଚନରେ କଂଗ୍ରେସ (ଓ) ପ୍ରାର୍ଥୀ ହରମନଭାଇ ଏନ. ପଟେଲ କଂଗ୍ରେସ ପ୍ରାର୍ଥୀ ଅହମ୍ମଦମିଆଁ ଏମ.ପି ଜାଦାଙ୍କୁ ପରାସ୍ତ କରିଥିଲେ। ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଇନ୍ଦ୍ରଜିତ ସିଂହ ନଟୱର ସିଂହ ପରମାର ବିଜେପି ପ୍ରାର୍ଥୀ ଭାରତ ସିଂହ ପରମାରଙ୍କୁ ପରାସ୍ତ କରିଥିଲେ। ସେହିପରି ଆଣନ୍ଦ ଜିଲ୍ଲାର ଅଙ୍କଲବ, ଅହମ୍ମଦାବାଦ ଜିଲ୍ଲାର ଡାନିଲିମଦା ଏବଂ ଦାହୋଦ ଜିଲ୍ଲାର ଗରବାଡା ଆସନରେ କେବେ ବିଜେପି ଜିତି ପାରିନାହିଁ।