Gujarat Governor Statement: ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ (Gujarat Governor Acharya Devvrat) ହିନ୍ଦୁ ମାନଙ୍କୁ କପଟୀ ବୋଲି କହିଥିଲେ। ଯେଉଁ ବୟାନ ବିବାଦ (Controversy) ବଢାଇବାରେ ଲାଗିଛି। ବୁଧବାର ଦିନ ନର୍ମଦା ଜିଲ୍ଲାର ପୋଇଚା ଗ୍ରାମରେ 'ଜୈବିକ ଚାଷ' ପ୍ରସଙ୍ଗରେ ଆୟୋଜିତ ଏକ ସେମିନାରକୁ ସମ୍ବୋଧିତ କରିବା ବେଳେ ସେ ଏହି ବୟାନ ଦେଇଥିଲେ। ରାଜ୍ୟର ଦୁଇ ପ୍ରମୁଖ ଖବରକାଗଜ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଏହି ବିବୃତ୍ତିର ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସେ କହିଥିଲେ, ଲୋକମାନେ 'ଜୟ ଗୋ ମାତା' ଜପ କରନ୍ତି। ସେମାନେ ଗାଈକୁ କ୍ଷୀର ଦେବା ପର୍ଯ୍ୟନ୍ତ ଗୋଶାଳାରେ ରଖନ୍ତି। ଥରେ ସେ କ୍ଷୀର ଦେବା ବନ୍ଦ କରିଦେଲେ, ସେମାନେ ତାଙ୍କୁ ରାସ୍ତାରେ ଛାଡିଦିଅନ୍ତି। ସେଥିପାଇଁ ମୁଁ କହୁଛି ଯେ, ହିନ୍ଦୁମାନେ ହେଉଛନ୍ତି ଏକ ନମ୍ବର କପଟୀ। ହିନ୍ଦୁ ଧର୍ମ ଏବଂ ଗାଈ ପରସ୍ପର ସହ ଜଡିତ, କିନ୍ତୁ ଏଠାରେ ଲୋକମାନେ ସ୍ୱାର୍ଥ ପାଇଁ 'ଜୟ ଗୋ ମାତା' ଜପ କରନ୍ତି।


COMMERCIAL BREAK
SCROLL TO CONTINUE READING

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନେ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରକୁ ଯାଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି, ଯାହାଫଳରେ ଭଗବାନ ସେମାନଙ୍କୁ ଆଶୀର୍ବାଦ କରିବେ। ମୁଁ କହୁଛି ଯଦି ତୁମେ ଜୈବିକ ଚାଷ ଆଡକୁ ଆକୃଷ୍ଟ ହେବ ତେବେ ଭଗବାନ ତୁମ ଉପରେ ଏମିତି ସନ୍ତୁଷ୍ଟ ହୋଇଯିବ। ସେ କହିଛନ୍ତି ଯେ, ମୁଁ ବୈଜ୍ଞାନିକ ପ୍ରମାଣ ସହିତ କହୁଛି ଯେ, ଆପଣ ରାସାୟନିକ ସାର ବ୍ୟବହାର କରି ପଶୁମାନଙ୍କୁ ହତ୍ୟା କରୁଛନ୍ତି। ଯଦି ତୁମେ ଜୈବିକ କୃଷି ଗ୍ରହଣ କର, ତେବେ ତୁମେ ପଶୁମାନଙ୍କୁ ଜୀବଦାନ ଦେବ।


ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ରବିବାର ଦିନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସଷ୍ଟେନେବିଲିଟି (IIS)ରେ ଗୁଜୁରାଟ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାକୃତିକ କୃଷିରେ ପିଏଚଡି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ବିଏସସି (BSc), ଏମଏସସି (MSc), ପିଏଚଡି (PhD) ବ୍ୟତୀତ ବର୍ତ୍ତମାନ ପ୍ରାକୃତିକ କୃଷି (Natural Farming) ମଧ୍ୟ ଅଧ୍ୟୟନ କରାଯାଇପାରିବ। ପ୍ରାକୃତିକ ଚାଷ କ୍ଷେତ୍ରରେ ପିଏଚଡି କାର୍ଯ୍ୟକ୍ରମ କୌଣସି ରାଜ୍ୟରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆରମ୍ଭ କରାଯାଇଥିବା ପ୍ରଥମ ପଦକ୍ଷେପ। ଏଥିରେ ପରିବେଶ ସୁପରିଚାଳନା, ଉଦ୍ୟମିତା, କୃଷି ଉଦ୍ୟମିତା, କୃଷି ବ୍ୟବସାୟ, ମୂଲ୍ୟ ଶୃଙ୍ଖଳା ସୁପରିଚାଳନା ଆଦି ଅନ୍ତର୍ଭୁକ୍ତ।


ରାଜ୍ୟପାଳଙ୍କ ଏହି ବୟାନକୁ ନେଇ ରାଜନୀତି ଘନେଇବାରେ ଲାଗିଛି। ଦେଶରେ ବର୍ତ୍ତମାନ ସାମ୍ପ୍ରଦାୟୀକ ହଲଚଲ ଚାଲିଥିବା ବେଳେ ରାଜ୍ୟପାଳଙ୍କର ଏପରି ବୟାନ କୋଟି ହିନ୍ଦୁଙ୍କ ଭାବନାକୁ କୁଠାରାଘାତ କରିଛି ବୋଲି ଚର୍ଚ୍ଚା ଚାଲିଛି। ନିକଟରେ ବିଜେପି ପ୍ରବକ୍ତା ନୁପୁର ଶର୍ମାଙ୍କ ବୟାନ ପରେ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହା କାହାକୁ ଅଛପା ନାହିଁ। ସେହିପରି ରାଜସ୍ଥାନରେ କହ୍ନେୟା ଲାଲଙ୍କୁ ମଧ୍ୟ ହତ୍ୟା କରାଯିବା ପରେ ରାଜ୍ୟ ରାଜନୀତି ସମେତ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ତେଣୁ ଏଭଳି ସ୍ଥିତିରେ ଜଣେ ଏତେବଡ ସାମ୍ବିଧାନିକ ପଦବୀରେ ରହିଥିବା ବ୍ୟକ୍ତିଙ୍କର ଏଭଳି ବୟାନ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।