ମେ` ୨୯ : ପ୍ୟାରୀ-ନବୀନ-ପାଣ୍ଡିଆନ, ମିଡ୍ ନାଇଟ୍ ଅପରେସନରୁ ହାପି ବାର୍ଥ ଡେ
ଯେମିତି ଅକ୍ଟୋବର ୨୯ ଆସିଲେ ଓଡ଼ିଶାବାସୀଙ୍କ ମନରେ ମହାବାତ୍ୟାର ଭୟ ସଞ୍ଚରି ଉଠେ ଠିକ୍ ସେମିତି ମେ’ ୨୯ ଆସିଲେ ରାଜ୍ୟ ରାଜନୈତିକ ପାଣିପାଗ ହଲଚଲ ହୋଇଥିବା କଥା ମନେ ପଡ଼େ। ଅକ୍ଟୋବର ୨୯ ସର୍ବଦା ରାଜ୍ୟବାସୀଙ୍କ ମନରେ ଅଲିଭା ଦାଗ ସଦୃଶ ହୋଇଥିବା ବେଳେ ମେ ୨୯ ରାଜ୍ୟ ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ ହୋଇ ରହିଛି। କାରଣ ମେ’ ୨୯ ଓଡ଼ିଶା ରାଜନୀତି ପାଇଁ ଏକ ସ୍ମରଣୀୟ ଦିନ।
ଭୁବନେଶ୍ବର: ୨୦୧୨ ମସିହା ପରଠୁ ମେ’୨୯ ତରିଖ ଓଡ଼ିଶା ରାଜନୀତି ଓ ରାଜ୍ୟବାସୀଙ୍କ ପାଇଁ ଏକ ଅଭୁଲା ତାରିଖ। ୨୦୧୨ରେ ପ୍ରଥମେ ଓଡ଼ିଶା ରାଜନୀତିରେ ଝଡ ତୋଫାନ ସୃଷ୍ଟି ହୋଇଥିଲା। ପରେ ବିଗତ ଦିନରେ ସେହି ମେ’ ମାସରେ ହିଁ ଓଡ଼ିଶାବାସୀ ୩ଟି ବାତ୍ୟା ଦେଖିଛନ୍ତି। ହେଲେ '୨୯' ତାରିଖ ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ ହୋଇ ରହିଯାଇଛି।
ଯେମିତି ଅକ୍ଟୋବର ୨୯ ଆସିଲେ ଓଡ଼ିଶାବାସୀଙ୍କ ମନରେ ମହାବାତ୍ୟାର ଭୟ ସଞ୍ଚରି ଉଠେ ଠିକ୍ ସେମିତି ମେ’ ୨୯ ଆସିଲେ ରାଜ୍ୟ ରାଜନୈତିକ ପାଣିପାଗ ହଲଚଲ ହୋଇଥିବା କଥା ମନେ ପଡ଼େ। ଅକ୍ଟୋବର ୨୯ ସର୍ବଦା ରାଜ୍ୟବାସୀଙ୍କ ମନରେ ଅଲିଭା ଦାଗ ସଦୃଶ ହୋଇଥିବା ବେଳେ ମେ ୨୯ ରାଜ୍ୟ ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ ହୋଇ ରହିଛି। କାରଣ ମେ’ ୨୯ ଓଡ଼ିଶା ରାଜନୀତି ପାଇଁ ଏକ ସ୍ମରଣୀୟ ଦିନ। ଭୟ, ଆତଙ୍କ, ବିଦ୍ରୋହ, ବିଶ୍ୱାସଘାତକତା ଓ ସଫଳତାର ଫେଣ୍ଟାଫେଣ୍ଟି ଦିନର ମୁକସାକ୍ଷୀ ହେଉଛି ଏହି ମେ’ ୨୯ ତାରିଖ।
ଲଗାତାର ଭାବେ ୫ମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କର ଆଜି ବି ମେ’ ୨୯ କଥା ମନେ ପଡ଼ିଲେ ଛନକା ପଶିଯାଉଥିବ ନିଶ୍ଚୟ। କାରଣ ୨୦୧୨ ମସିହା ଆଜିର ଦିନରେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। ଏହି ଦିନ ହିଁ ଓଡ଼ିଶା ରାଜନୀତିର ବିଚକ୍ଷଣ ନେତା ତଥା ସ୍ୱର୍ଗତ ପ୍ୟାରୀ ମୋହନଙ୍କ ଭାଗ୍ୟରେ ଲେଖା ହୋଇଥାଆନ୍ତ ଏକ ନୂଆ ଅଧ୍ୟାୟ। ସୃଷ୍ଟି ହୋଇଥାନ୍ତା ଏକ ନୂତନ ଇତିହାସ। କାରଣ କ୍ଷମତାର ଲାଳସା ପ୍ୟାରୀବାବୁଙ୍କୁ ବହୁ ଆଗକୁ ନେଇ ଯାଇଥିଲା। କିଙ୍ଗ ମେକରରୁ ସେ ହୋଇଥାନ୍ତେ କିଙ୍ଗ। ହେଲେ ସବୁ ଉଦ୍ୟମ ଫସର ଫାଟି ଯାଇଥିଲା।
Also Read: ରାଜ୍ୟ ରାଜନୀତିରେ 'ମେ ୨୯'; ରବିବାର ନବୀନ ପଟ୍ଟନାୟକ ନେଇପାରନ୍ତି ଏହି ସବୁ ପଦକ୍ଷେପ
ଏକଦା ବିଜୁ ଜନତା ଦଳର ରିଙ୍ଗ୍ ମାଷ୍ଟର ଥିଲେ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ର। ଆଉ ବିଜେଡି ମୁଖିଆ ଥିଲେ ନବୀନ, ହେଲେ ସବୁ ନିଷ୍ପତ୍ତିର ପ୍ରଚ୍ଛଦପଟ୍ଟ ନାୟକ ଥିଲେ ପ୍ୟାରୀ। ସେ ଯେମିତି ନଚାଉ ଥିଲେ, ଦଳର ନେତାମାନେ ଠିକ୍ ସେମିତି ନାଚୁଥିଲେ। ଦଳରୁ କାହାକୁ ବିଦା କରାଯିବ, କାହାକୁ ଟିକଟ ଦିଆଯିବ ଏସବୁର ରଣନୀତି ପ୍ୟାରୀ ହିଁ ପ୍ରସ୍ତୁତ କରୁଥିଲେ। ଚୂଡ଼ାନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀଙ୍କ କଲମରେ ଘଟୁଥିଲେ ମଧ୍ୟ କାଳିମାର ଛିଟା ପ୍ୟାରୀବାବୁଙ୍କ ଇମେଜରେ ହିଁ ଲାଗୁଥିଲା। ସବୁ ନିନ୍ଦା, ଅପବାଦ ଓ ଅପମାନର ବୋଝ ପ୍ୟାରୀବାବୁଙ୍କ ମୁଣ୍ଡରେ ହିଁ ଯାଉଥିଲା। ମୁଖ୍ୟମନ୍ତ୍ରୀ କେବଳ ରବର ଷ୍ଟାମ୍ପ ଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।
ରାତି ଅଧିଆ ବିଜୟ ମହାପାତ୍ରଙ୍କ ଟିକଟ କାଟିବା, ନଳିନୀ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଭଳି ନେତାଙ୍କୁ ବିଦା କରି ରାଜ୍ୟ ରାଜନୀତିରେ ପ୍ୟାରୀ ଚର୍ଚ୍ଚିତ ହୋଇଥିଲେ। ଏସବୁ ମଧ୍ୟରେ ଚାଣକ୍ୟରୁ ରାଜା ହେବାର ନିଶା ପ୍ୟାରୀ ମହାପାତ୍ରଙ୍କ ନିଦ ହଜେଇ ଦେଇଥିଲା। ଏଥିପାଇଁ ସମୟ ସୁଯୋଗ ଦେଖି ସେ ୨୦୧୨ ମସିହା ମେ ୨୯ ତାରିଖକୁ ବାଛିଥିଲେ। ସେତେବେଳେ ତୃତୀୟ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ। ନବୀନ ଲଣ୍ଡନ ଗସ୍ତରେ ଥିବା ବେଳେ କ୍ଷମତା କେନ୍ଦ୍ରକୁ ଅପହରଣ ପାଇଁ ମିଡ୍ ନାଇଟ୍ ଅପରେସନ ଆରମ୍ଭ ହୋଇଥିଲା। କେତେକ ବିଧାୟକଙ୍କୁ ହାତରେ ଧରି ପରଦିନ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିଜେ ପ୍ୟାରୀ ଦାବି କରିଥାନ୍ତେ ବୋଲି ଚର୍ଚ୍ଚା ହୋଇଥିଲା।
୨୦୧୨ ମେ ୨୯ରେ ଓଡ଼ିଶା ରାଜନୀତିରେ ଏକ ରାଜନୈତିକ ବାତ୍ୟା ସୃଷ୍ଟି ହୋଇଥିଲା। ଆଉ ବାତ୍ୟାର କେନ୍ଦ୍ରସ୍ଥଳ ଥିଲା ସହିଦନଗରର ପ୍ଲଟ ନଂ ଶହେ ଏଗାର। ସେଦିନ ପ୍ରଖରେ ବେଗରେ ଯେଉଁ ଝଡ଼ ବହିବା ଆରମ୍ଭ କରିଥିଲା ତାକୁ ଗଣମାଧ୍ୟମ ହିଁ ପ୍ରଶମିତ କରିଦେଲା। ପ୍ୟାରୀବାବୁଙ୍କ ତତ୍କାଳୀନ ଶିଷ୍ୟ ତଥା ଆଜିର କିଛି ଯୁବନେତା ଘଟଣା ଦିନ ଗୁପ୍ତରେ ସହିଦନଗର ଗଡ଼ ସମ୍ଭାଳି ଥିଲେ ମଧ୍ୟ ଧରାପଡ଼ିବା ଆଗରୁ ଚତୁରତାର ସହ ଖସିଯାଇଥିଲେ। ଆଉ ଶେଷରେ ପ୍ୟାରୀ ହିଁ ଦଳରୁ ବିଦା ହେଲେ। ଯାହା ରାଜ୍ୟ ରାଜନୀତି ପାଇଁ ଅଭୁଲା ଦିନ ମନେ ହୁଏ।
Also Read: Nandankanan Zoo : ଚିତି କାମୁଡାରେ ସିଂହୀ 'ଗଙ୍ଗା'ର ମୃତ୍ୟୁ, ସାପ ସହ ଏମିତି ବ୍ୟବହାର କଲେ
ଅନ୍ୟପଟେ ସଂଯୋଗ ବଶତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୨୯ରେ ଭିନ୍ନ ଏକ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଲଗାତାର ୫ମ ଥର ପାଇଁ ରାଜ୍ୟରେ ବିଜୁ ଜନତା ଦଳ ବିଜୟୀ ହୋଇ ସରକାର ଗଠନ କରିଥିଲା। ଆଉ ମେ ୨୯ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥିସହିତ ୨୨ବର୍ଷ ପରେ ମଧ୍ୟ ନବୀନ ରାଜ୍ୟ ରାଜନୀତିର ସର୍ବମାନ୍ୟ ନେତା ତାହା ମଧ୍ୟ ପ୍ରମାଣିତ ହୋଇଛି। ଏସବୁ ମଧ୍ୟରେ ସବୁଠୁ ବଡ଼ କଥା ହେଲା ମେ ୨୯କୁ ନେଇ କିଛି ସକାରାତ୍ମକ ଆଲୋଚନା ପାଇଁ ଖୋରାକ ମଧ୍ୟ ମିଳିଛି। ମେ ୨୯ ମିଡ ନାଇଟ ଅପରେସନ୍ ସହିତ ଯୋଡି ହୋଇଥିବା ନେତାଙ୍କ ମଧ୍ୟରୁ କେତେ ଜଣ ଦଳ ବଦଳ କରିଥିବା ବେଳେ ଆଜିର ସମୟରେ କିଛି ନେତା ରାଜନୀତିରୁ ଅପସରି ଯାଇଛନ୍ତି। ଆଉ କେତେଜଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ କ୍ଷମା କରିଛନ୍ତି। କିଛି ନେତା ତ ଏବେ ଉଭୟ ଦଳ ଓ ସରକାରରେ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଫେରିଛନ୍ତି।
ସଂଯୋଗବଶତଃ, ମେ ୨୯ ତାରିଖ ହେଉଛି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ '୫ଟି' ସଚିବ ଭି କାର୍ତ୍ତିକେୟାନ ପାଣ୍ଡିଆନଙ୍କ ଜନ୍ମ ତାରିଖ। ବର୍ତ୍ତମାନ ସମୟରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ନାମ ହେଉଛି ପାଣ୍ଡିଆନ୍। ୨୦୧୨ ମସିହାରେ ରାଜ୍ୟ ରାଜନୀତିର ପ୍ରଚ୍ଛଦପଟ୍ଟ ନାୟକ ପ୍ୟାରୀ ମହାପାତ୍ର ଥିବାବେଳେ ବର୍ତ୍ତମାନ ସମୟରେ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ସେହି ଦାୟିତ୍ବ ତୁଲାଉଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହୁଏ। ସେଥିପାଇଁ ରାଜ୍ୟବାସୀଙ୍କ ମନରେ ମେ’ ୨୯ ତାରିଖ ସର୍ବଦା ଅଭୁଲା ହୋଇ ରହିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ।