Criminalization in Indian Politics: ରାଜନୀତିରେ ଅପରାଧିଙ୍କୁ ପ୍ରଶ୍ରୟ ନଦେବା ଲାଗି ଅନେକ ସମୟରେ ଆଲୋଚନା ହେଉଛି। ସବୁ ରାଜନୀତିକ ଦଳ ଏନେଇ ଯତ୍ନବାନ ବୋଲି କୁହାଯାଉଛି। ହେଲା ସଂସଦ ହେଉ କିମ୍ବା ବିଧାନସଭାରେ ଦାଗୀ ପ୍ରତିନିଧିଙ୍କ ସଂଖ୍ୟା କମୁ ନାହିଁ। ଆସୋସିଏସନ୍‍ ଫର୍‍ ଡେମୋକ୍ରାଟିକ ରିଫର୍ମ (Association for Democratic Reforms) ପକ୍ଷରୁ ପ୍ରକାଶିତ ତଥ୍ୟରେ ଏହା ସ୍ପଷ୍ଟ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ଏଡିଆର୍‍ ରିପୋର୍ଟ (ADR Report 2023) ମାଧ୍ୟମରେ କୁହାଯାଇଛି ଯେ, ଦେଶର ମୋଟ୍‍ ୭୬୩ ଜଣ ସାଂସଦଙ୍କ ମଧ୍ୟରୁ ୪୦% ଅର୍ଥାତ୍‍ ୩୦୬ ଜଣଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି। ପୁଣି ୨୫% ସାଂସଦ ଅର୍ଥାତ୍‍ ୧୯୪ ଜଣ ସାଂଘାତିକ ଅପରାଧିକ ମାମଲାରେ ଜଡ଼ିତ ରହିଥିବା ବେଳେ, ୨୧ ଜଣ ମହିଳା ବିରୋଧି ହିଂସା ମାମଲାରେ ସମ୍ପୃକ୍ତ ରହିଛନ୍ତି। ଲୋକସଭାର ୫୩୮ ଜଣ ସାଂସଦଙ୍କ ମଧ୍ୟରୁ ୨୩୨ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି। ମୋଟ୍‍ ସାଂସଦଙ୍କ ମଧ୍ୟରୁ ୧୫୪ ଜଣଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ରହିଥିବା ବେଳେ, ୯ ଜଣଙ୍କ ବିରୁଦ୍ଧରେ ହତ୍ୟା ଏବଂ ୨୮ ଜଣଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରହିଛି। 


ରାଜ୍ୟସଭାର ୨୨୫ ଜଣ ସାଂସଦଙ୍କ ମଧ୍ୟରୁ ୭୪ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା, ୪୦ ଜଣଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା, ୨ ଜଣଙ୍କ ବିରୁଦ୍ଧରେ ହତ୍ୟା, ୪ ଜଣଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ଏବଂ ଅନ୍ୟ ୪ ଜଣଙ୍କ ବିରୁଦ୍ଧରେ ମହିଲା ବିରୋଧି ହିଂସା ମାମଲା ରହିଛି। ବିଜେପି ସାଂସଦଙ୍କ ବିରୁଦ୍ଧରେ ସର୍ବାଧିକ ଅପରାଧିକ ମାମଲା ରହିଛି। ଦଳର ୩୮୫ ସାଂସଦଙ୍କ ମଧ୍ୟରୁ ୧୩୯ ଜଣଙ୍କ ବିରୁଦ୍ଧରେ ଏଭଳି ଅପରାଧିକ ମାମଲା ଥିବାବେଳେ, କଂଗ୍ରେସ ଦଳର ୮୧ ସାଂସଦଙ୍କ ମଧ୍ୟରୁ ୪୩ ଜଣ, ତୃଣମୂଳ କଂଗ୍ରେସ ଦଳର ୩୫ ଜଣ ସାଂସଦଙ୍କ ମଧ୍ୟରୁ ୧୪, ରାଷ୍ଟ୍ରୀୟ ଜନତା ଦଳର ୬ ଜଣରୁ ୫ ଜଣ, ସିପିଆଇଏମ ର ୮ ଜଣରୁ ୬ ଜଣ, ଆମ ଆଦମୀ ପାର୍ଟି ର ୧୧ ଜଣରୁ ୩ ଜଣ, ୱାଇଏସଆରସିପି ର ୩୧ ଜଣରୁ ୧୩ ଜଣ, ଏନ୍‍ସିପି ର ୮ ଜଣରୁ ୩ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି।


ବିଭିନ୍ନ ରାଜ୍ୟର ସାଂସଦଙ୍କ ବିରୁଦ୍ଧରେ ରହିଥିବା ଅପରାଧିକ ମାମଲା କ୍ଷେତ୍ରରେ ବିହାରର ୫୦% ଅର୍ଥାତ୍‍ ଅଧା ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବାବେଳେ ତେଲେଙ୍ଗାନାର ୩୮%, କେରଳର ୩୪%, ମହାରାଷ୍ଟ୍ରର ୩୪%, ଉତ୍ତରପ୍ରଦେଶର ୩୪% ସାଂସଦଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ରହିଥିବା ସେମାନେ ନିଜ ନିଜର ସତ୍ୟପାଠରେ ଉଳ୍ଲେଖ କରିଛନ୍ତି। ସେହିଭଳି ୧୧ ଜଣ ସାଂସଦଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୩୦୨ ଦଫା ଲାଗିଥିବା ବେଳେ, ୩୨ ଜଣଙ୍କ ବିରୁଦ୍ଧରେ ୩୦୭ ଏବଂ ୨୧ ଜଣଙ୍କ ବିରୁଦ୍ଧରେ ମହିଳା ବିରୋଧି ହିଂସା ଦଫା ଲାଗିଛି। ଏହି ୨୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅପରାଧ ପାଇଁ ୩୭୬ ଦଫାରେ ମାମଲା ରୁଜୁ ହୋଇଛି।