ଲକ୍ଷ୍ନୌ: ଅଖିଳେଶ (Akhilesh)ଙ୍କ ସହ ମନୋମାଳିନ୍ୟ ଖବର ଭିତରେ CM ଯୋଗୀ ଆଦିତ୍ୟନାଥ (CM Yogi Adityanath) ଙ୍କୁ ଭେଟିବାକୁ ପହଞ୍ଚିଲେ ଶିବପାଲ ଯାଦବ (Shivpal Yadav)। ୨୦ ମିନିଟ ଧରି ଚାଲିଥିଲା ଆଲୋଚନା। ସପା ଟିକେଟରେ ନିର୍ବାଚନ ଲଢ଼ିଥିବା ଶିବପାଲ ଯାଦବ ଏବଂ ତାଙ୍କ ପୁତୁରା ଅଖିଳେଶ ଯାଦବଙ୍କ ମଧ୍ୟରେ ସମ୍ପର୍କ ପୁଣି ଖରାପ ହୋଇପଡ଼ିଛି। କୁହାଯାଉଛି, ଶିବପାଲ ପୁନର୍ବାର ଅଖିଳେଶ ଯାଦବଙ୍କ ଉପରେ ଖପ୍ପା ହୋଇ ପଡ଼ିଛନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରଗତିଶୀଳ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ୟୁପିର ଜଶୱନ୍ତନଗର (Jaswantnagar) ଆସନରୁ ବିଧାୟକ ଥିବା ଶିବପାଲ ଯାଦବ ବୁଧବାର ବିଧାନସଭାରେ ବିଧାୟକ ଭାବରେ ଶପଥ ନେଇଥିଲେ। ଏହାପରେ ଶିବପାଲ ବୁଧବାର ସନ୍ଧ୍ୟାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଭେଟିବାକୁ ପହଞ୍ଚିଥିଲେ। ସେଠାରେ ସାକ୍ଷାତ ଆଲୋଚନା ସମ୍ପର୍କରେ ଶିବପାଲ ଯାଦବଙ୍କ ନିକଟତରମାନଙ୍କ କହିବା କଥା, ଏହା କେବଳ ଏହ ସୌଜନ୍ୟମୂଳକ ସାକ୍ଷାତ ଥିଲା। ତେବେ ଶୁଣିବାକୁ ମିଳୁଛି, ଏହା ସାକ୍ଷାତ ପ୍ରାୟ ୨୦ ମିନିଟ ଧରି ଚାଲିଥିଲା। ସେପଟେ ଶିବପାଲ ଯିବାର ଠିକ୍ ପରେ ପରେ ଆସି ଯୋଗୀଙ୍କୁ ଭେଟିଥିଲେ ସ୍ୱତନ୍ତ୍ର ଦେବ ସିଂହ।


ତେବେ ବୁଧବାର ଶପଥ ନେବା ପରେ ଯେତେବେଳେ ଶିବପାଲ ଯାଦବ ଭାରତୀୟ ଜନତା ପାର୍ଟିରେ ମିଶିବେ କି ବୋଲି ପ୍ରଶ୍ନ କରାଗଲା, ସେତେବେଳେ ସେ କହିଲେ, ବର୍ତ୍ତମାନ ମୁଁ ସଦନର ସଭ୍ୟ ଭାବରେ ଶପଥ ନେଇଛି। ଏହାଠାରୁ ଏବେ ଅଧିକ କିଛି କହିବା ଠିକ୍ ହେବନାହିଁ।


ଏକଥା ସତ ଯେ, ଶିବପାଲ ପୁଣିଥରେ ଅଖିଳେଶଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପଡ଼ିଛନ୍ତି। ଶିବପାଲ ଯାଦବ ନିଜ ଅସନ୍ତୋଷ ସେହିଦିନ ହିଁ ଜାହିର କରି ପକାଇଥିଲେ, ଯେଉଁଦିନ ସମାଜବାଦୀ ପାର୍ଟିର ବିଧାୟକ ଦଳ ବୈକ ବସିଥିଲା। ସମାଜବାଦୀ ପାର୍ଟି ଶିବପାଲଙ୍କୁ ବିଧାୟକ ଦଳ ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ ବି କରି ନ ଥିଲା।


କୁହାଯାଉଛି, ସମାଜବାଦୀ ପାର୍ଟି ସହ ମେଣ୍ଟ ପରେ ଶିବପାଲ ଖାଲି ଅଖିଳେଶଙ୍କୁ ନିଜ ନେତା ଘୋଷଣା କରି ନ ଥିଲେ, ସେ ଏକଥା ବି କହିଥିଲେ ଯେ, ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସବୁକିଛି କରିପାରିବେ। ସପା ସହ ମେଣ୍ଟ ପରେ ଶିବପାଲ ଆଶା କରିଥିଲେ ଯେ, ଅଖିଳେଶ ତାଙ୍କ ପ୍ରାର୍ଥୀମାନଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇବେ। ମାତ୍ର କେବଳ ଶିବପାଲଙ୍କୁ ଛାଡ଼ି ତାଙ୍କ ଦଳର କାହାରିକୁ ଟିକେଟ ମିଳି ନ ଥିଲା। ତାହା ମଧ୍ୟ ତାଙ୍କ ଦଳର ଚିହ୍ନ ନୁହେଁ, ସମାଜବାଦୀ ପାର୍ଟିର ସାଇକେଲ ଚିହ୍ନରେ ସେ ଲଢ଼ିଲେ ନିର୍ବାଚନ। ଏଭଳି ସ୍ଥିତିରେ ତାଙ୍କ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ସବୁ ନେତା ଅନ୍ୟ ଦଳକୁ ଚାଲିଗଲେ। ମାତ୍ର ଏତେସବୁ ପରେ ବି ଶିବପାଲ ନିର୍ବାଚନ ମୈଦାନରେ ଲଢ଼େଇ କରିବା ଛାଡ଼ି ନ ଥିଲେ।


ସେପଟେ ବର୍ତ୍ତମାନ ସମାଜବାଦୀ ପାର୍ଟିରେ ଶିବପାଲ ଯାଦବଙ୍କ ପାଇଁ ଆଉ କିଛି ବାକି ରହିନାହିଁ। ଅଖିଳେଶ ଯାଦବ ନିଜେ ବିରୋଧୀ ଦଳ ନେତା ସାଜି ବସିଛନ୍ତି। ସେ କାକା ଶିବପାଲଙ୍କୁ ଦଳର ରାଜ୍ୟ ସଭାପତି କରିବା ସମ୍ଭାବନା ବି ପ୍ରାୟ ନାହିଁ କହିଲେ ଚଳେ। ଏଭଳି କ୍ଷେତ୍ରରେ କେବଳ ବିଧାୟକ ପଦରେ ସନ୍ତୁଷ୍ଟ ରହିବା ଶିବପାଲ ଯାଦବଙ୍କ ଭଳି ନେତାଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଏଇଆ ଚର୍ଚ୍ଚା ହେବାରେ ଲାଗିଛି ଯେ, ଶିବପାଲ ଯାଦବ ଖାଲି ଅଲଗା ରାଜନୈତିକ ରାସ୍ତା ଖୋଜୁନାହାନ୍ତି, ସେହି ରାସ୍ତାରେ ନିଜ ରାଜନୈତିକ ପାଦ ମଧ୍ୟ ବଢ଼ାଇ ସାରିଛନ୍ତି। ଆଉ ଏପରି ଏକ ସମୟରେ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ଏ ଅନୁମାନକୁ ଆହୁରି ଦୃଢ଼ୀଭୂତ କରିଛି।