ବେଙ୍ଗାଲୁରୁ: ଶେଷରେ କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପା ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଇଶ୍ୱରପ୍ପା   ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ମନ୍ତ୍ରୀ ଇଶ୍ୱରପ୍ପାଙ୍କ ଇସ୍ତଫା ସହ ଗିରଫଗାରୀ ଦାବିରେ କଂଗ୍ରେସ ଧାରଣାରେ ବସିଛି। ଉଡୁପିରେ ଜଣେ ସନ୍ତୋଷ ପାଟିଲ ନାମକ ଜଣେ ଠିକାଦାରଙ୍କ ମୃତ୍ୟୁ ମାମଲାରେ ଇଶ୍ୱରପ୍ପାଙ୍କ ନାମ ଆସିଛି।


COMMERCIAL BREAK
SCROLL TO CONTINUE READING

କର୍ଣ୍ଣାଟକ ମନ୍ତ୍ରୀ ଇଶ୍ୱରପ୍ପା (KS Eshwarappa) ଙ୍କ ବିରୋଧରେ ଠିକାଦାର ସନ୍ତୋଷ ପାଟିଲଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟ ପାଇଁ ଠିକାଦାରଙ୍କୁ ମନ୍ତ୍ରୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ୪୦ ପ୍ରତିଶତ କମିଶନ ଦାବି କରୁଥିବା କୁହାଯାଉଛି। ମନ୍ତ୍ରୀଙ୍କ ଚାପରେ ଅତିଷ୍ଠ ହୋଇ ସନ୍ତୋଷ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଆଉ ଏହି ମାମଲାକୁ ନେଇ କର୍ଣ୍ଣାଟକର ବିଜେପି ସରକାର ଅତ୍ୟନ୍ତ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇଛି।


Also Read: ବନ୍ଧା ହେବେ ବିଜେପି ମନ୍ତ୍ରୀ! FIRରେ ଅଛି ଏକାଧିକ ସାଙ୍ଘାତିକ ଅଭିଯୋଗ


ସନ୍ତୋଷ ପାଟିଲ ମୃତ୍ୟୁ ମାମଲାରେ ମନ୍ତ୍ରୀ ଇଶ୍ୱରପ୍ପାଙ୍କ ନାମ ଆସିବା ମାତ୍ରେ ବିରୋଧୀମାନେ ତାଙ୍କୁ ଲଗାତାର ଆକ୍ରମଣ କରିବାକୁ ଲାଗିଲେ। ମନ୍ତ୍ରୀଙ୍କୁ ଗିରଫ କରିବାକୁ ଦାବି କରି କଂଗ୍ରେସ ନେତାମାନେ ବିଧାନସଭାରେ ପ୍ରଦର୍ଶନ ମଧ୍ୟ କରିଥିଲେ। ଏହି ପ୍ରଦର୍ଶନ ଯୋଗୁଁ କର୍ଣ୍ଣାଟକ ମନ୍ତ୍ରୀଙ୍କ ଉପରେ ଇସ୍ତଫା ଦେବାର ଚାପ ବଢିଛି ଏବଂ ଶୁକ୍ରବାର ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ନିକଟରେ ଦାଖଲ କରିବେ ବୋଲି ଘୋଷଣା କରିଛନ୍ତି। 


ସେପଟେ ଇଶ୍ୱରପ୍ପାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ବସଭରାଜ ବୋମ୍ମାଇ କହିଛନ୍ତି। ସେ କହିଛନ୍ତି ଯେ, ଇସ୍ତଫା ପାଇଁ ଇଶ୍ୱରପ୍ପାଙ୍କ ଉପରେ ହାଇକମାଣ୍ଡର କୌଣସି ଚାପ ପଡିନାହିଁ। ଏହି ମାମଲର ତଦନ୍ତ ପୁଙ୍ଖାନୁପୁଙ୍ଖ ଭାବେ କରାଯିବ। ତଦନ୍ତ ରିପୋର୍ଟ ଅନୁସାରେ ଇଶ୍ୱରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯିବ। ସେପଟେ ଧାରଣାରତ କଂଗ୍ରେସ କହିଛି ଯେ, କେ.ଏସ୍ ଇଶ୍ୱରପ୍ପା କେବଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେବନାହିଁ, ତାଙ୍କୁ ହତ୍ୟା ଓ ଦୁର୍ନୀତି ମାମଲାରେ ଗିରଫ କରାଯିବା ଉଚିତ୍।