History of Ashoka Stambh: ଜୁଲାଇ ୧୧ ତାରିଖ ସୋମବାର ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ନିର୍ମିତ ହେଉଥିବା ନୂତନ ସଂସଦ ଭବନ ଛାତ ଉପରେ ନିର୍ମିତ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସଂସଦ ଭବନ ଉପରେ ନିର୍ମିତ ହୋଇଥିବା ଏହି ଜାତୀୟ ପ୍ରତୀକ ପିତ୍ତଳରେ ନିର୍ମିତ। ଯାହାର ଓଜନ ୯୫୦୦ କିଲୋଗ୍ରାମ ଏବଂ ଉଚ୍ଚତା ପ୍ରାୟ ୬.୫ ମିଟର ଅର୍ଥାତ ୨୦ ଫୁଟ। ଏହାର ସ୍ଥାପନ ପାଇଁ ପ୍ରାୟ ୬୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଇସ୍ପାତ ନିର୍ମିତ ସହାୟକ ଢାଞ୍ଚା ନିର୍ମାଣ କରାଯାଇଛି। ନୂତନ ସଂସଦ ଭବନର ଉଦଘାଟନ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ହୋଇପାରେ। ସଂସଦର ଶୀତକାଳୀନ ଅଧିବେଶନ ଦେଶର ନୂତନ ସଂସଦ ଭବନ ପରିସରରେ ଅନୁଷ୍ଠିତ ହେବ। 


COMMERCIAL BREAK
SCROLL TO CONTINUE READING

ନୂତନ ସଂସଦ ଭବନ ଛାତ ଉପରେ ନିର୍ମିତ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭକୁ ପ୍ରଧାନମନ୍ତ୍ରୀ ମୋଦି ଉନ୍ମୋଚନ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅନେକ ଚର୍ଚ୍ଚା। ଏବେ ଲୋକେ ଦେଶର ଜାତୀୟ ପ୍ରତୀକ ଅଶୋକା ସ୍ତମ୍ଭର ଇତିହାସ ଏବଂ ଏହାର ମହତ୍ତ୍ୱ ବାବଦର ଜାଣିବାକୁ ଆଗ୍ରହୀ ହୋଇଉଠିଛନ୍ତି।ଦେଶର ନୂତନ ସଂସଦ ଭବନ ଛାତ ଉପରେ ନିର୍ମିତ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଆଠଟି ପର୍ଯ୍ୟାୟର ପ୍ରକ୍ରିୟା ପରେ ପ୍ରସ୍ତୁତ ହୋଇଛି।


ଅଶୋକ ସ୍ତମ୍ଭ ଖ୍ରୀଷ୍ଟପୂର୍ବ ୨୫୦ ରେ ସାରନାଥ ଠାରେ ମହାନ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ସ୍ତମ୍ଭ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହାକୁ ଅଶୋକ ସ୍ତମ୍ଭ ମଧ୍ୟ କୁହାଯାଏ। ଏହି ସ୍ତମ୍ଭରେ ଚାରି ସିଂହ ପରସ୍ପରର ପିଠି ସହ ଯୋଡ଼ି ହୋଇ ରହିଛନ୍ତି। ଏହି ସ୍ତମ୍ଭ ସାରନାଥ ସଂଗ୍ରହାଳୟରେ ରଖାଯାଇଛି। ଭାରତ ଏହି ସ୍ତମ୍ଭକୁ ଏହାର ଜାତୀୟ ପ୍ରତୀକ ଭାବେ ଗ୍ରହଣ କରିଛି। ଅଶୋକ ସ୍ତମ୍ଭ ତଳେ ରହିଥିବା ଅଶୋକ ଚକ୍ର ଦେଶର ଜାତୀୟ ପତାକା ତ୍ରିରଙ୍ଗାରେ ସ୍ଥାନୀୟ ହୋଇଛି।  


୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧିନ ହୋଇଥିଲା ଭାରତ ବର୍ଷ। ହେଲେ ୧୯୪୯ ମସିହା ଜାନୁଆରୀ ୨୬ ତାରିଖରେ ଦେଶର ଗୃହୀତ ହୋଇଥିବାବେଳେ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ଭାରତୀୟ ସମ୍ବିଧାନ। ଏହି ବିଶେଷ ଦିନରେ ଭାରତ ସରକାର ସାମ୍ବିଧାନିକ ଭାବରେ ଅଶୋକା ସ୍ତମ୍ଭକୁ ଜାତୀୟ ପ୍ରତୀକ ଭାବରେ ଗ୍ରହଣ କରିଥିଲେ। ହେଲେ ଅଶୋକା ସ୍ତମ୍ଭର ଇତିହାସ ସେତିକି ନୁହେଁ। ଅଶୋକା ସ୍ତମ୍ଭ କେଉଁଠୁ ଆସିଲା ଏବଂ ଏହାର ମହତ୍ତ୍ୱ କ'ଣ ଜାଣିବା ପାଇଁ ଆପଣଙ୍କୁ ଶହ ଶହ ବର୍ଷ ପଛକୁ ଫେରିବାକୁ ହେବ। ଖ୍ରୀଷ୍ଟପୂର୍ବ ୨୭୩ ସେତେବେଳେ ମୌର୍ଯ୍ୟ ବଂଶର ତୃତୀୟ ରାଜା ସମ୍ରାଟ ଅଶୋକଙ୍କ ଦ୍ୱାରା ଶାସିତ ହେଉଥିଲା ଐତିହାସିକ ଭାରତ ବର୍ଷ। ଏହି ସମୟରେ ସମ୍ରଟ ଅଶୋକ ଜଣେ ଅତି ନିଷ୍ଠୁର ଶାସକ ଭାବେ ପରିଗଣିତ ହୋଇଥିଲେ। ହେଲେ ଖ୍ରୀଷ୍ଟପୂର୍ବ ୨୬୧ ରେ ହୋଇଥିବା କଳିଙ୍ଗା ଯୁଦ୍ଧ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ଏହି ଯୁଦ୍ଧରେ ହୋଇଥିବା ହତ୍ୟାକାଣ୍ଡ ଦେଖି ସମ୍ରାଟ ଅଶୋକଙ୍କୁ ଏକ ଝଟକା ଦେଇଥିଲା। ସେ ରାଜପ୍ରାସାଦ ଛାଡି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଏଠାରୁ ଜନ୍ମ ହୋଇଥିଲା ଅଶୋକ ସ୍ତମ୍ଭ।  ବାସ୍ତବରେ ସମ୍ରାଟ ଅଶୋକ ବୌଦ୍ଧ ଧର୍ମାବଲମ୍ବୀ ହେବା ପରେ ସେ ନିଜେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାରକୁ ପ୍ରୋତ୍ସାହନ ଦେଇଥିଲେ। ବୌଦ୍ଧ ଧର୍ମର ପ୍ରଚାର କରିବାକୁ ଯାଇ ସେ ଚାରୋଟି ସିଂହର ଆକୃତି ସହିତ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ଏହି ସିଂହ ଚାରି ଦିଗରେ ଗର୍ଜନ କରିବା ଭଳି ଦେଖାଯାଉଥିଲା। 


ଏବେ ପ୍ରଶ୍ନ ଉଠିଛି ଯେ ଅଶୋକ ସ୍ତମ୍ଭରେ କାହିଁକି ସିଂହ ରହିଛି? ହେଲେ ଏହା ପଛରେ ଅନେକ କାରଣ ଅଛି। ବୌଦ୍ଧ ଧର୍ମର ପ୍ରତିଷ୍ଠାତା ତଥା ଏସିଆର ଆଲୋକ ଭାବେ ଜଣାଶୁଣା ଭଗବାନ ବୁଦ୍ଧଙ୍କୁ ସିଂହ ସହିତ ସମକକ୍ଷ ଭାବେ ବିବେଚନା କରାଯାଏ। ବୁଦ୍ଧଙ୍କ ଶହେ ନାମ ମଧ୍ୟରେ ଶକ୍ୟ ସିଂହ ଏବଂ ନର ସିଂହ ନାମ ମଧ୍ୟ ରହିଛି। ଏହା ବ୍ୟତୀତ ସାରନାଥ ଠାରେ ଭଗବାନ ବୁଦ୍ଧ ଯେଉଁ ଧର୍ମ ଉପଦେଶ ଦେଇଥିଲେ ତାହା ଧର୍ମ ସିଂହ ବଜ୍ର ନାମରେ ଜଣାଶୁଣା। ଏହି କାରଣରୁ ବୌଦ୍ଧ ଧର୍ମର ପ୍ରଚାର ପାଇଁ ସିଂହ ଚିତ୍ରକୁ ଗୁରୁତ୍ୱ ଦିଆଯାଇଥିଲା। କେବଳ ଏତିକି ନୁହେଁ ସମ୍ରାଟ ଅଶୋକ ସାରନାଥ ଠାରେ ଏକ ସମାନ ସ୍ତମ୍ଭ ନିର୍ମାଣ କରିଥିଲେ। ଯାହା ଅଶୋକା ସ୍ତମ୍ଭ ନାମରେ ଜଣାଶୁଣା। ଅଶୋକ ସ୍ତମ୍ଭରେ ଚାରୋଟି ସିଂହ ଅଛନ୍ତି ହେଲେ ଏହାର ଗୋଲାକାର ଆକୃତି ହେତୁ କେବଳ ତିନୋଟି ସିଂହ ଦୃଶ୍ୟମାନ ହୋଇଥାନ୍ତି। ଅଶୋକ ସ୍ତମ୍ଭ ତଳେ ଏକ ଷଣ୍ଢ ଏବଂ ଅନ୍ୟ ଘୋଡା ଚିତ୍ର ଦୃଶ୍ୟମାନ ହୋଇଥାଏ। ଏହି ଦୁଇଟି ମଧ୍ୟରେ ଦେଖାଯାଉଥିବା ଚକ୍ର ହେଉଛି ଅଶୋକ ଚକ୍ର। ଯାହା ଜାତୀୟ ପତାକା ତ୍ରୀରଙ୍ଗାର ଜାତୀୟ ପ୍ରତୀକ।


ଦେଶର ରାଷ୍ଟ୍ରୀୟ ଚିହ୍ନ ଅଶୋକ ଅଶୋକ ସ୍ତମ୍ଭର ବ୍ୟବହାର କରିବାକୁ ନେଇ ଅନେକ ଆଇନ ରହିଛି। ଅଶୋକ ସ୍ତମ୍ଭର ବ୍ୟବହାର କେବଳ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି କରିପାରିବ। ସେମାନେ ହେଉଛନ୍ତି ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ଉପରାଜ୍ୟପାଳ, ନ୍ୟାୟପାଳିକା ଏବଂ ସରକାରୀ ଅନୁଷ୍ଠାନର ଉଚ୍ଚ ପଦସ୍ଥ ଅଧିକାରୀ। ହେଲେ ଅବସର ପରେ କୌଣସି ପୂର୍ବତନ ଅଧିକାରୀ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ କିମ୍ବା ବିଧାୟକ ଏହି ଜାତୀୟ ପ୍ରତୀକ ବିନା ଅନୁମତିରେ ବ୍ୟବହାର କରିପାରିବ ନାହିଁ | ଏହି ନିୟମ ଅନୁଯାୟୀ, ଯଦି ଜଣେ ସାଧାରଣ ନାଗରିକ ଅଶୋକ ସ୍ତମ୍ଭକୁ ବିନା ଅନୁମତିରେ ବ୍ୟବହାର କରନ୍ତି ତାହେଲେ ତାଙ୍କୁ ୨ ବର୍ଷ କାରାଦଣ୍ଡ କିମ୍ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। 


Also Read: New Parliament Building: ନୂତନ ସଂସଦ ଭବନରେ ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ବ ଅନାବରଣକୁ ନେଇ ଉଠିଲା ପ୍ରଶ୍ନ 


Also Read: New Parliament Building: ପ୍ରଧାନମନ୍ତ୍ରୀଙ୍କ ଲାଗି ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ସଂସଦ ଭବନ କାରିଗର