ଲକ୍ଷ୍ନୌ: ରାଜ୍ୟର ଗାଜିଆବାଦ ଜିଲ୍ଲାରେ ୭ ଜଣ ଗୋରୁ ଚାଲାଣକାରୀଙ୍କୁ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ଜିଲ୍ଲାର ଲୋନି ବିଧାନସଭା ଆସନର ବିଧାୟକ ନନ୍ଦକିଶୋର ଗୁର୍ଜର ପ୍ରଥମରୁ ଏହି ଏନକାଉଣ୍ଟର ସପକ୍ଷରେ ଛିଡା ହୋଇଥିବା ବେଳେ ଏ ଘଟଣାରେ ଜେଲ ଯାଇଥିବା ଅଭିଯୁକ୍ତଙ୍କ ସମର୍ଥନରେ ବାହାରିଛନ୍ତି ହାପୁଡ଼ ଜିଲ୍ଲାର ଧୌଲନା ଆସନର ସମାଜବାଦୀ ପାର୍ଟି ବିଧାୟକ ଅସଲମ ଚୌଧୁରୀ। 


COMMERCIAL BREAK
SCROLL TO CONTINUE READING

ଏ ଘଟଣାରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଧୌଲନା ବିଧାୟକ ଅସଲମ ଚୌଧୁରୀ ଲୋନି ବିଧାୟକ ନନ୍ଦକିଶୋର ଗୁର୍ଜରଙ୍କୁ ଧମକ ଦେଇ କହିଛନ୍ତି ଏହି ଏନକାଉଣ୍ଟରର ପ୍ରତିଶୋଧ ମୁଁ ତୁମ ବାପାଙ୍କ ଠାରୁ ନେଇ ଦେଖାଇବି। ଏଭଳି ଧମକ ପୂର୍ଣ୍ଣ ବୟାନ ଦେବା ପରେ ସମାଜବାଦୀ ପାର୍ଟି ବିଧାୟକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି।



ଭାଇରାଲ ଭିଡିଓରେ ବିଧାୟକ ଅସଲାମ ଚୌଧୁରୀ କହୁଛନ୍ତି ଯେ ଆମର ମୁସଲମାନ ଭାଇଙ୍କୁ ସେଠାରେ କାମ କରିବାକୁ ଅନୁମତି କିମ୍ବା ସେମାନେ ଦୋକାନ ଖୋଲିବାକୁ ଅନୁମତି ଦେଉନାହାଁନ୍ତି। ଏବେ ସେମାନେ ସକାମ କରିବାକୁ ଯାଉଛନ୍ତି ଏବଂ ଏକ ଦୋକାନ ମଧ୍ୟ ଖୋଲୁଛନ୍ତି। 



Also Read: ଆଜମଗଡ଼ ବନାମ ଆର୍ଯ୍ୟମଗଡ଼: ଦଳ ସରକାର ଗଢିଲେ କରିବ ଜିଲ୍ଲାର ନାମ ପରିବର୍ତ୍ତନ


ମୁଁ ପୁଣି ବିଧାୟକଙ୍କ ଉଦ୍ଦେଶ୍ୟରେ କହୁଛି ଯେଉଁ ୭ ଜଣଙ୍କୁ ଏନକାଉଣ୍ଟର କରାଯାଇଛି ଏହାର ପ୍ରତିଶୋଧ ମୁଁ ତାଙ୍କ ବାପାଙ୍କ ଠାରୁ ନେଇ ଦେଖାଇବି। ଏବେ ବହୁତ ହିସାବ କିତାବ କରିବା ବାକି ରହିଛି। ଯଦି ତୁମେ ତୁମର ହିସାବ ନେବାକୁ ଚାହୁଁଛ, ତାହେଲେ ତୁମ ପୁଅକୁ ପ୍ରସ୍ତୁତ ରଖିବାକୁ ହେବ। ସେମାନଙ୍କୁ ଜବାବ ଦେବାକୁ ହେବ। ସମାଜବାଦୀ ପାର୍ଟି ବିଧାୟକଙ୍କ ଏହି ଭିଡିଓ ଡାସନା ଅଞ୍ଚଳରେ ଆୟୋଜିତ ହୋଇଥିବା ଏକ ସ୍ୱାଗତ ସମାରୋହରେ ଭାଷଣ ଦେବା ବେଳର ବୋଲି କୁହାଯାଇଛି। 


କ'ଣ ଥିଲା ଏହି ଏନକାଉଣ୍ଟର ଘଟଣା? 
ଗତ ନଭେମ୍ବର ୧୧ ତାରିଖରେ ଲୋନି ବର୍ଡର ଥାନା ଇନସ୍ପେକ୍ଟର ରାଜେନ୍ଦ୍ର ତ୍ୟାଗୀ ହାଜିପୁରସ୍ଥିତ ବେହେଟା ଗ୍ରାମରେ ଅବସ୍ଥିତ ଏକ ଗୋଦାମ ଉପରେ ଚଢାଉ କରିଥିଲେ। ଏହି ସମୟରେ ହୋଇଥିବା ଏନକାଉଣ୍ଟରରେ ୭ ଜଣ ଗୋରୁ ଚାଲାଣକାରୀଙ୍କୁ ଗୁଳି କରାଯାଇଥିଲା। ଏନକାଉଣ୍ଟର କରାଯାଇଥିବା ସମସ୍ତ ଯୁବକଙ୍କୁ ଗୋଡରେ ଏକ ସମାନ ସ୍ଥାନରେ ଗୁଳି ବାଜିଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏ ଘଟଣାରେ ନଭେମ୍ବର ୧୩ ତାରିଖରେ  ଏସଏସପି ଇନ୍ସପେକ୍ଟରଙ୍କୁ ତାଙ୍କ ଦାୟିତ୍ୱରୁ ହଟାଇ ଦେଇଥିଲେ। ଏନେଇ ଇନ୍ସପେକ୍ଟର ପୋଲିସ ଷ୍ଟେସନ ଡାଏରୀରେ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ କହିଥିଲେ ତାଙ୍କୁ ଦାୟିତ୍ୱ ହଟାଇବା ଦ୍ୱାରା ସେ ଆହତ ହୋଇଛନ୍ତି। ସେ ଆଉ କାମ କରିବାକୁ ଚାହୁଁନାହାଁନ୍ତି।



ଏହି ଚିଠି ସୋସିଆଲ ମିଡିଆ ଜରିଆରେ ଭାଇରାଲ ହୋଇଲା। ଏହା ଉପରେ ଏସଏସପି ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଥିଲେ। ଲୋନି ଅଞ୍ଚଳର ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜର ଏ ପ୍ରସଙ୍ଗରେ ଇନ୍ସପେକ୍ଟରଙ୍କ ସପକ୍ଷରେ ଖୋଲାଖୋଲି ଭାବେ ବାହାରିଛନ୍ତି। ସେ ଏସଏସପି ଏବଂ ଏସପି ଗ୍ରାମାଞ୍ଚଳଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଅନ୍ୟପଟେ ଏନକାଉଣ୍ଟର ହୋଇଥିବା ଗୋରୁ ଚାଲାଣକାରୀଙ୍କ ସମର୍ଥନରେ ବାହାରିଛନ୍ତି ସମାଜବାଦୀ ପାର୍ଟି ବିଧାୟକ ଅସଲମ ଚୌଧୁରୀ।