New Maharashtra CM: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ଘଟଣାକ୍ରମ ମଧ୍ୟରେ ଆସିଛି ଏକ ବଡ଼ ଖବର। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ରାଜ୍ୟରେ ସରକାର ଗଠନ କରିବା ପ୍ରସଙ୍ଗରେ ଦାବି ଉପସ୍ଥାପନ କରିବା ଲାଗି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଦେବେନ୍ଦ୍ର ଫଡନାଭିସ ଏବଂ ଏକନାଥ ସିନ୍ଦେ। 


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ ଘୋଷଣା କରିଥିଲେ ଯେ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ। ସରକାର ଗଠନ କରିବା ପୂର୍ବରୁ ବିଦ୍ରୋହୀ ଶିବସେନା ବିଧାୟଙ୍କ ନେତା ଏକନାଥ ସିନ୍ଦେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଜୁନ ୩୦ ତାରିଖ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏକନାଥ ସିନ୍ଦେ। 


ରାଜଭବନ ଠାରେ ପହଞ୍ଚିବା ପରେ ଦେବେନ୍ଦ୍ର ଫଡନାଭୀସ କହିଛନ୍ତି ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଶିବସେନା ବାଲାସାହେବ ଗୋଷ୍ଠୀ ଏବଂ ବିଜେପି ବିଧାୟକଙ୍କ ସମର୍ଥନ ପତ୍ର  ରାଜ୍ୟପାଳଙ୍କୁ  ପ୍ରଦାନ କରିଛୁ। ଶିବସେନା ବାଲାସାହେବ ଗୋଷ୍ଠୀର ନେତା ଏକନାଥ ସିନ୍ଦେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଏହାକୁ ସମର୍ଥନ କରୁଛି। ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଦଳ ପକ୍ଷରୁ ଏକନାଥ ସିନ୍ଦେଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


ରାଜ୍ୟପାଳଙ୍କୁ ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦେବେନ୍ଦ୍ର ଫଡନାଭୀସ କହିଛନ୍ତି ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ବିଜେପି ସହ ମେଣ୍ଟ କରି ଲଢିଥିଲା ଏବଂ ମୋ ନାଁ ମୁଖ୍ୟମନ୍ତ୍ରୀ ପାଇଁ ସ୍ଥିର ହୋଇଥିଲା। ହେଲେ  ନିର୍ବାଚନ ଫଳାଫଳ ଆସିବା ପରେ ଶିବସେନା ହିନ୍ଦୁତ୍ୱ ଏବଂ ବୀର ସାବରକର ବିରୋଧୀ ଦଳର ମିଳିତ ସହଯୋଗରେ ସରକାର ଗଠନ କରିଥିଲେ। ଗତ ୨୦୧୯ ନିର୍ବାଚନରେ ​​ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ହେଲେ ମୁଖ୍ୟମନ୍ତ୍ରୀ ଗାଦି ପାଇଁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ କଂଗ୍ରେସ-ଏନସିପି ସମର୍ଥନ ନେଇଥିଲେ। ଅଣ୍ଡରୱାର୍ଲ୍ଡ ମାଫିଆ ଦାଉଦ ଇବ୍ରାହିମ ସମର୍ଥକଙ୍କ ସହ ଶିବସେନା ସରକାର ଗଠନ କରିଥିଲା। ଉଦ୍ଧବ ଠାକେରଙ୍କ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି।  ସିନ୍ଦେ ଗୋଷ୍ଠୀର ଅପେକ୍ଷା ଶିବେସନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର କଂଗ୍ରେସ-ଏନସିପି ବିଧାୟକଙ୍କୁ ଅଧିକ ଗୁରୁତ୍ୱ ଦେଇଥିଲା।
 
ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାରୁ ବିଜେପି ଉଦ୍ଦେଶ୍ୟରେ ପ୍ରଂଶସା କରି ଶିବସେନା ବାଲାସାହେବ ଗୋଷ୍ଠୀର ନେତା ଏକନାଥ ସିନ୍ଦେ କହିଛନ୍ତି ମୋତେ ମୁଖ୍ୟମନ୍ତ୍ରୀ କରି ବିଜେପି ଏହାର ବଡପଣିଆ ଦେଖାଇଛି। ଲୋକ ବିରୋଧି ଦଳରେ ଶାସକ ଦଳ ପାଖକୁ ଯାଇଥାନ୍ତି। ହେଲେ ଆ ଆମେ କ୍ଷମତାରେ ଥାଇ ମଧ୍ୟ ବିଚାରଧାରାର ଲଢେଇ ପାଇଁ ଶାସକ ଦଳରୁ ଦୂରେଇ ଯାଇଥିଲୁ। ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲୋଭୀ ନଥିଲି ହେଲେ ବିଜେପି ସହିତ ଆମର ଏକ ସ୍ୱାଭାବିକ ସହଯୋଗ ରହିଛି। ଆମେ ପୁନର୍ବାର ସେହି ସମାନ ଦିଗରେ ଅଗ୍ରସର ହେଉଛୁ।


ଶିବସେନା ସଂସ୍ଥାପକ ତଥା ହିନ୍ଦୁ ହୃଦୟ ସମ୍ରାଟ ବାଲା ସାହେବ ଠାକେରଙ୍କ ବିଚାରଧାରା ଏବଂ ହିନ୍ଦୁତ୍ୱର ଏଜେଣ୍ଡା ଅନୁସରଣ କରିବା ପାଇଁ ଆମେ ମହାବିକାଶ ଅଘାଡ଼ି ମେଣ୍ଟ ଛାଡିବାକୁ ନିଷ୍ପତ୍ତି ନେଇଛୁ। ବର୍ତ୍ତମାନ ରାଜ୍ୟର ବିକାଶ କାର୍ଯ୍ୟକୁ ଆଗେଇ ନିଆଯିବ। ମୋତେ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ମହାରାଷ୍ଟ୍ର ବିରୋଧି ଦଳ ଦେବେନ୍ଦ୍ର ଫଡନାଭୀସଙ୍କୁ ଧନ୍ୟବାଦ ଜଣାଉଛି। ଆମେ ମହାରାଷ୍ଟ୍ରର ବିକାଶ ପାଇଁ ଏକାଠି ହୋଇଛୁ। ସଂଖ୍ୟାବଳ ଆଧାରରେ ବିଜେପି ଚାହିଁଥିଲେ  ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରି ପାରିଥାନ୍ତା ମାତ୍ର ସେମାନେ (ବିଜେପି) ମୋତେ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରି ସେମାନଙ୍କ ବଡ ପଣିଆ ଦେଖାଇଛନ୍ତି।


Also Read: Maharashtra Politics: ଗୁରୁବାର ସନ୍ଧ୍ୟାରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ-ଏକନାଥ ସିନ୍ଦେ


Also Read: Maharashtra Politics: ଗୁରୁବାର ରାଜ୍ୟପାଳଙ୍କୁ ଭେଟିବେ ଦେବେନ୍ଦ୍ର ଫଡନାଭୀସ-ଏକନାଥ ସିନ୍ଦେ