ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯୦ ପ୍ରତିଶତରୁ ଅଧିକ ବିଧାୟକଙ୍କ ସମ୍ପତ୍ତି ବିଗତ ୫ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି। ଅର୍ଥାତ୍ ନିର୍ବାଚନ ଲଢୁଥିବା ବିଧାୟକ ପୂର୍ବାପେକ୍ଷା ଅଧିକ ଧନୀ ହୋଇଛନ୍ତି। ନିର୍ବାଚନ ଉପରେ ନଜର ରଖୁଥିବା ଏକ ବେସରକାରୀ ସଙ୍ଗଠନ ରିପୋର୍ଟ ଅନୁଯାୟୀ ଗତ ୨୦୧୭ ବର୍ଷରୁ ବିଜେପି ପ୍ରାର୍ଥୀଙ୍କ ସମ୍ପତ୍ତିରେ ସର୍ବାଧିକ ବୃଦ୍ଧି ଘଟିଛି।


COMMERCIAL BREAK
SCROLL TO CONTINUE READING

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (Association for Democratic Reform) ଏଡି଼ଆର (ADR) ଏବଂ ଉତ୍ତର ପ୍ରଦେଶ ଇଲେକସନ ୱାଚ (Uttar Pradesh Election Watch) ୟୁପିଇଡବଲ୍ୟୁ (UPEW) ସଂସ୍ଥାର ସଦ୍ୟତମ ରିପୋର୍ଟ ଜରିଆରେ ଏହି ସୂଚନା ଦିଆଯାଇଛି। ଏନେଇ କୁହାଯାଇଛି ଯେ ୨୦୧୭ ବର୍ଷରେ ଏପରି ୩୦୧ ଜଣ ବିଧାୟକଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୫.୬୮ କୋଟି ଟଙ୍କା ରହିଥିଲା। ହେଲେ ୨୦୨୨ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ବିଧାୟକଙ୍କ ସେମାନେ ଦାଖଲ କରିଥିବା ସତ୍ୟପାଠରେ (Election Affidavit) ଦର୍ଶାଇଛନ୍ତି ସେମାନଙ୍କର ହାରାହାରି ସମ୍ପତ୍ତି ମୂଲ୍ୟ ୮.୮୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି।


ବିଧାନସଭା ନିର୍ବାଚନରେ ​​ପୁନର୍ବାର ଲଢୁ ବିଧାୟକଙ୍କ ମଧ୍ୟରୁ ୨୮୪ ବିଧାୟକଙ୍କ ସମ୍ପତ୍ତି ଶୂନରୁ ୨୨୦୫୭ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ୧୭% ବିଧାୟକଙ୍କ ସମ୍ପତ୍ତି ୧ ପ୍ରତିଶତରୁ ୩୬% ପର୍ଯ୍ୟନ୍ତ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଯେଉଁ ୫ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ସର୍ବାଧିକ ବୃଦ୍ଧି ପାଇଛି ସେମାନଙ୍କ ମଧ୍ୟରେ ରାଏବରେଲି ଆସନର ବିଜେପି ବିଧାୟକ ପ୍ରାର୍ଥୀ ଆଦିତି ସିଂହ ମଧ୍ୟ ଅଛନ୍ତି। ରିପୋର୍ଟ ଅନୁଯାୟୀ ତାଙ୍କ ସମ୍ପତ୍ତି ୫ ବର୍ଷ ମଧ୍ୟରେ ୩୦ କୋଟି ଟଙ୍କା ବୃଦ୍ଧି ପାଇଛି। ଗତ ୨୦୧୭ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ସମ୍ପତ୍ତିର ପରିମାଣ ୧୩.୯୮ ଲକ୍ଷ ଟଙ୍କା ବୋଲି ଦର୍ଶାଇଥିଲେ ଅଦିତି ସିଂହ।  ହେଲେ ୨୦୨୨ ପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତିରେ ୨୨୦୫୭% ବୃଦ୍ଧି ପାଇ ୩୦.୯୮ କୋଟିରେ ପହଞ୍ଚିଛି।


Also Read: Assembly Election 2022: ବଦଳିଲା ରାଜନୈତିକ ଦଳର ପଞ୍ଜୀକରଣ ନିୟମ


ସେହିପରି ମୁବାରକପୁର ଆସନରୁ ଏଆଇଏମଆଇଏମ ପ୍ରାର୍ଥୀ ଶାହ ଆଲାମ ଓରଫ୍ ଗୁଡ୍ଡୁ ଜମାଲିଙ୍କ ସମ୍ପତ୍ତି ବିଗତ ୫ ବର୍ଷ ମଧ୍ୟରେ ୭୭.୦୯ କୋଟି ଟଙ୍କା ବୃଦ୍ଧି ପାଇଛି। ଚଳିତ ୨୦୨୨ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ଜମାଲି ତାଙ୍କ ସମ୍ପତ୍ତିର ପରିମାଣ ୧୯୫.୮୫ କୋଟି ଟଙ୍କା ଘୋଷଣା କରିଛନ୍ତି। ଗତ ୨୦୧୭ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ସେ ତାଙ୍କ ସମ୍ପତ୍ତିର ପରିମାଣ ୧୧୮.୭୬ କୋଟି ଟଙ୍କା ଘୋଷଣା କରିଥିଲେ। 


ଧନୀ ପ୍ରାର୍ଥୀଙ୍କ ତାଲିକାରେ ଏଆଇଏମଆଇଏମ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଛପରୌଲି ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ସହେନ୍ଦ୍ର ସିଂହ ରମାଲା। ଯାହାଙ୍କ ସମ୍ପତ୍ତି ୪୬.୪୫ କୋଟି ଟଙ୍କା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଗତ ୨୦୧୭ ନିର୍ବାଚନରେ ରମାଲାଙ୍କ ସମ୍ପତ୍ତି ୩୮.୦୪ କୋଟି ରହିଥିଲା। ଯାହା ୨୦୨୨ ନିର୍ବାଚନରେ ୮୪.୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଫୁଲପୁର ଆସନର ବିଜେପି ପ୍ରାର୍ଥୀ ପ୍ରବୀଣ ପଟେଲଙ୍କ ସମ୍ପତ୍ତି ୫ ବର୍ଷରେ ୩୧.୯୯ କୋଟି ଟଙ୍କା ବୃଦ୍ଧି ପାଇଛି। ଗତ ୨୦୧୭ ନିର୍ବାଚନରେ ପଟେଲଙ୍କ ସମ୍ପତ୍ତି ୮.୨୬ କୋଟି ଟଙ୍କା ରହିଥିଲା। ଯାହା ୨୦୨୨ ନିର୍ବାଚନରେ ୪୪.୨୬ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।
 
ବିଭିନ୍ନ ଦଳ ଉପରେ ହୋଇଥିବା ବିଶ୍ଳେଷଣରୁ ADR-UPEW ଜାଣିବାକୁ ପାଇଛି ବିଧାୟକ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀଙ୍କ ସାମୂହିକ ହାରାହାରି ସମ୍ପତ୍ତି ୫ ବର୍ଷରେ ପୁଣିଥରେ ସର୍ବାଧିକ ବୃଦ୍ଧି ପାଇଛି। ଏପରି ୨୨୩ ବିଜେପି ବିଧାୟକ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨୦୧୭ ନିର୍ବାଚନରେ ୫.୨୭ କୋଟି ରହିଥିବା ବେଳେ ୨୦୨୨ ନିର୍ବାଚନରେ ଏହାର ପରିମାଣ ୮.୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମ୍ପତ୍ତିରେ ୫୯.୮୭% ବୃଦ୍ଧି ପାଇଛି।


ଏହି ରିପୋର୍ଟ ଅନୁଯାୟୀ, ବିଜେପି ପରେ ପୁନର୍ବାର ବିଧାୟକ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମାଜବାଦୀ ପାର୍ଟିର ୫୫ ଜଣ ପ୍ରାର୍ଥୀଙ୍କ ମୋଟ ହାରାହାରି ସମ୍ପତ୍ତି ୨୦୧୭ ନିର୍ବାଚନରେ ୪.୬୦ କୋଟି ରହିଥିବା ବେଳେ ୨୦୨୨ ନିର୍ବାଚନରେ ଏହାର ପରିମାଣ ୬.୭୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୨୦୨୨ ବିଧାନସଭା ନିର୍ବାଚନରେ ​ ବିଏସପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୮ ଜଣ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨୦୧୭ ନିର୍ବାଚନରେ ୯.୮୨ କୋଟି ରହିଥିବା ବେଳେ  ୨୦୨୨ ନିର୍ବାଚନରେ ଏହାର ପରିମାଣ ୧୪.୪୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଉଭୟ ସମାଜବାଦୀ ପାର୍ଟି ଏବଂ ବିଏସପି ବିଧାୟକ ପ୍ରାର୍ଥୀଙ୍କ ସମ୍ପତ୍ତିରେ ଯଥାକ୍ରମେ ୬.୭୩% ଏବଂ ୪୭.୪୨% ବୃଦ୍ଧି ହୋଇଛି। 


Also Read: ଦେଶରେ ରାଜନୈତିକ ଦଳ ସଂଖ୍ୟା କେତେ? ଆପଣଙ୍କୁ ଚକିତ କରିଦେବ ADR ରିପୋର୍ଟ


ସେହିପରି ୨୦୨୨ ବିଧାନସଭା ନିର୍ବାଚନ ଲଢୁଥିବା ୪ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୯.୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ଗତ ୨୦୧୭ ନିର୍ବାଚନରେ ୮.୮୪ କୋଟି ଟଙ୍କା ରହିଥିଲା। କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସମ୍ପତ୍ତିରେ ୧୦.୮୮% ବୃଦ୍ଧି ହୋଇଛି।