Manipur: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ.ବୀରେନ ସିଂହ
ଲଗାତାର ଭାବେ ଦ୍ୱିତୀୟ ଥର ଲାଗି ରାଜ୍ୟରେ ବିଜେପି ସରକାର ଗଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ଏନ୍.ବୀରେନ ସିଂହ।
ନୂଆଦିଲ୍ଲୀ: କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏନ୍.ବୀରେନ ସିଂହ। ୨୧ ମାର୍ଚ୍ଚ ସୋମବାର ରାଜଧାନୀ ଇମ୍ପାଲ ଠାରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ମଣିପୁର ରାଜ୍ୟପାଳ ଏଲ.ଗଣେଶନ୍ ତାଙ୍କୁ ଶପଥପାଠ କରାଇଥିଲେ।
ମାର୍ଚ୍ଚ ୨୦ ତାରିଖ ରବିବାର ତାଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ଲଗାତାର ଭାବେ ଦ୍ୱିତୀୟ ଥର ଲାଗି ରାଜ୍ୟରେ ବିଜେପି ସରକାର ଗଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ଏନ୍.ବୀରେନ ସିଂହ।
ମୋଟ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନରେ ଏଥର ବିଜେପି ଏକାକୀ ୩୨ ସିଟ୍ ପାଇଛି। ଏହି ରାଜ୍ୟରେ ସରକାର ଗଠନ ଲାଗି କୌଣସି ଦଳକୁ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ସରକାର ଗଠନ କରିବା ଲାଗି ଆବଶ୍ୟକୀୟ ବହୁମତ ଠାରୁ ବିଜେପି ପାଖରେ ଅଧିକ ଜଣେ ବିଧାୟକ ଅଛନ୍ତି।
Also Read: Manipur Election 2022 Result: ପୂର୍ଣ୍ଣ ବହୁମତର ସହ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବ BJP
୨୦୨୨ ମଣିପୁର ବିଧାନସଭା ନିର୍ବାଚନ: କେଉଁ ଦଳ ପାଇଲେ କେତେ ଆସନ
ମୋଟ ଆସନ:୬୦
ବିଜେପି:୩୨
କଂଗ୍ରେସ:୫
ଜନତା ଦଳ ୟୁନାଇଟେଡ:୬
କୁକି ପିପୁଲ୍ସ ଆଲାଏନ୍ସ:୨
ନାଗା ପିପୁଲ୍ସ ଫ୍ରଣ୍ଟ:୫
ନେସନାଲ ପିପୁଲ୍ସ ପାର୍ଟି:୭
ସ୍ୱାଧିନ:୩
ଗତ ରବିବାର ଆୟୋଜିତ ହୋଇଥିବା ବିଜେପି ବିଧାୟକ ଦଳ ନେତା ନିର୍ବାଚନ ବୈଠକରେ ଯୋଗ ଦେଇଥିଲେ ମଣିପୁର ପ୍ରଭାରୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳୀ ସୀତାରମଣ ଏବଂ ସହ ପ୍ରଭାରୀ ତଥା କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ। ସର୍ବସମ୍ମତି କ୍ରମେ ଏନ୍.ବୀରେନ ସିଂହଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା।
ମଣିପୁର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ୨ ବିଜେପି ନେତା ଏନ୍.ବୀରେନ ସିଂହ ଏବଂ ଏବଂ ବିଶ୍ୱଜିତ ସିଂହଙ୍କୁ ଦିଲ୍ଲୀ ଡକାଯାଇଥିଲା। ଖବର ଆସିଥିଲା ଯେ ବିଜେପି ଏନ.ବୀରେନ ସିଂହଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିସାରିଛି। ହେଲେ ଉଭୟଙ୍କୁ ଦିଲ୍ଲୀ ଡାକିବା ପରେ ଏନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଲା। ବୀରେନ.ସିଂଗ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଗତ ୧୫ ମାର୍ଚ୍ଚରେ ବୀରେନ ସିଂହ, ବିଶ୍ୱଜିତ ସିଂହ ଏବଂ ଶାରଦା ଦେବୀ ଦିଲ୍ଲୀ ଆସିଥିଲେ। ସେବେଠାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଥିବା ପ୍ରତିଯୋଗୀତା ବେଶ ଆକର୍ଷଣୀୟ ହୋଇପଡିଥିଲା। ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ବିଜେପି ସଂସଦୀୟ ବୋର୍ଡ ଦ୍ୱାରା ନିଆଯାଇଥିଲା।
ଗତ ୨୦୧୭ ମଣିପୁର ବିଧାନସଭା ନିର୍ବାଚନରେ କମ ଆସନ ଏବଂ ଆବଶ୍ୟକୀୟ ବହୁମତ ନଥାଇ ମଧ୍ୟ ସରକାର ଗଠନ କରିଥିଲା ବିଜେପି। ଦଳ ଗତ ଥର ନାଗା ପିପୁଲ୍ସ ଫ୍ରଣ୍ଟ, ନେସନାଲ ପିପୁଲ୍ସ ପାର୍ଟି ଏବଂ ଲୋକ ଜନଶକ୍ତି ପାର୍ଟି ସମର୍ଥନ ବଳରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପଟେ ଗତ ଥର ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ୨୮ ଆସନ ପାଇ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିବା କଂଗ୍ରେସ ଏଥର ମାତ୍ର ୫ ଆସନ ପାଇଛି।