Odisha Election 2024: ଖୋରଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ । ଶୃଙ୍ଖଳିତ ନିର୍ବାଚନ ଉପରେ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ। ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ଯା ୬ଟା ପର୍ଯ୍ୟନ୍ତ ଚାଲିବ।   ଗତକାଲି ଠୁ ପୋଲିଂ ପାର୍ଟି ମାନେ ବୁଥ କୁ ଯାତ୍ରା କରିଛନ୍ତି।   ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଜଟଣୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ବେଗୁନିଆ ଓ ଖୋରଧା ନିମନ୍ତେ ଜିଲ୍ଲା ପଣ୍ୟାଗାରରେ ଷ୍ଟ୍ରଙ୍ଗରୁମ୍‌ର ବ୍ୟବସ୍ଥା କରାଯାଇଛି । ଏଠାରୁ ପୁଲିଂ ପାର୍ଟିମାନେ ସଂପୃକ୍ତ ବୁଥ୍‌ ନିମନ୍ତେ ଯାତ୍ରା କରି ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ଉକ୍ତ ସ୍ଥାନରେ ଦାଖଲ କରିବେ । 


COMMERCIAL BREAK
SCROLL TO CONTINUE READING

ଚଳିତ ନିର୍ବାଚନ ନିମନ୍ତେ ମୋଟ ୯୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜୟଦେବ ନିର୍ବାଚନ ମଣ୍ଡଳୀରେ ୮ ଜଣ, ଭୁବନେଶ୍ୱର (ମଧ୍ୟ)ରେ ୧୩ ଜଣ, ଭୁବନେଶ୍ୱର (ଉତ୍ତର)ରେ ୧୨ ଜଣ, ଏକାମ୍ରରେ ୧୨ ଜଣ, ଜଟଣୀରେ ୯ ଜଣ, ବେଗୁନିଆରେ ୧୧ ଜଣ, ଚିଲିକାରେ ୧୦ ଜଣ, ଖୋରଧାରେ ୮ ଜଣ ଏବଂ ଭୁବନେଶ୍ୱର ଲୋକସଭା ପାଇଁ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜିଲ୍ଲାର ମୋଟ ୧୯ ଲକ୍ଷ ୬ ହଜାର ୫୧୮ ଜଣ ଭୋଟରଙ୍କ ମଧ୍ୟରେ ୯ ଲକ୍ଷ ୯୦ ହଜାର ୭୩୪ ଜଣ ପୁରୁଷ, ୯ ଲକ୍ଷ ୧୫ ହଜାର ୨୦୫ ଜଣ ମହିଳା ଏବଂ ୫୭୯ ଜଣ ତୃତୀୟ ଲିଙ୍ଗୀ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେମାନଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସର ୪୨ ହଜାର ୧୦୦ ଯୁବ ଭୋଟର ଥିବାବେଳେ ୩୨ ହଜାର ୫୭ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । 


ନିର୍ବାଚନରେ ନିୟୋଜିତ ଜିଲ୍ଲାର ୫୩୩୧ ଜଣ କର୍ମଚାରୀ ପୋଷ୍ଟାଲ ବାଲାଟ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ପ୍ରାୟ ୧୫୦୦ରୁ ଅଧିକ ୮୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି ମତଦାନ କରିଛନ୍ତି । ଜିଲ୍ଲାର ୧୯୨୩ଟି ବୁଥ୍‌ ମଧ୍ୟରୁ ୫୨୫ଟି ସଖୀ ବୁଥ କେବଳ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହେବ। ସେଥିରୁ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ସମସ୍ତ ୨୦୦ଟି ମତଦାନ କେନ୍ଦ୍ର କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ ।ପ୍ରତ୍ୟେକ ସଖି ବୁଥ୍‌ରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ ।  ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ୮ଟି ଏବଂ ଯୁବ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ୪୦ଟି ବୁଥ୍‌ ରହିଛି । 


୧୯୨୩ ବୁଥ ମଧ୍ଯରୁ ୧୧୪୪ଟି ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ । ୨୭ଟି ସମ୍ବେଦନଶୀଳ ଓ ୩୦୬ଟି ଅତିସମ୍ବେଦନଶୀଳ ବୁଥ୍‌ ରହିଛି । ଏଥି ସହ ୭ଟି ଇକୋ-ଫ୍ରେଣ୍ଡଲି ଏବଂ ୩୮୪ଟି ଆଦର୍ଶ ମତଦାନ କେନ୍ଦ୍ର ରହିଛି । ଉକ୍ତଦିନ ଗୁଡ଼ିକରେ ପୁଲିଂ ପାର୍ଟିମାନଙ୍କ ସହାୟତା ନିମନ୍ତେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ଯଥା-ଜଟଣୀ, ପିପିଲି, ଖୋରଧା, ବାଳକାଟି, ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନ ରୁଟ୍‌ରେ ବସ୍‌ମାନ ଚଳପ୍ରଚଳ କରିବ । ଏହି ବସ୍‌ଗୁଡ଼ିକ ୨୫ ତାରିଖ ସନ୍ଧ୍ୟା ୭ ଘଟିକାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଚଳପ୍ରଚଳ କରିବ । 


ପ୍ରାୟ ୧୫ ହଜାର ପୁଲିଂ ଅଧିକାରୀ ଏହି ମତାଦନ ପ୍ରକ୍ରିୟା ନିମନ୍ତେ ନିୟୋଜିତ ହୋଇଛନ୍ତି । ଏଥି ନିମନ୍ତେ ୧୦ ପ୍ଲାଟୁନ ସିଏପିଫ ଯବାନଙ୍କ ସମେତ ପ୍ରାୟ ୨୨ ପ୍ଲାଟୁନ ସୁରକ୍ଷା କର୍ମଚାରୀ ମୁତୟନ କରାଯାଇଛି । ଆଜି ତାରିଖରେ ଜିଲ୍ଲାରେ ସକାଳ ୭ ଘଟିକାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏଥି ସହ ଆବଶ୍ୟକ ସ୍ଥଳେ ସହାୟତା କରିବାକୁ ୨୪ ଜଣ ଇସିଆଇଏଲ୍‌ ଯନ୍ତ୍ରୀ ନିୟୋଜିତ  ଅଛନ୍ତି।  ମତଦାନ ପ୍ରକ୍ରିୟାରେ ସହଯୋଗ କରିବାକୁ ୫୫ ଜଣ ସହଯୋଗୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । 


 ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ ସୂଚନା କେନ୍ଦ୍ର ଖୋଲାଯାଇ ନିର୍ବାଚନ ସଂପର୍କିତ ସମସ୍ତ ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥି ସହ ୧୯୫୦କୁ କଲ୍‌ କରି ନାଗରିକମାନେ ବିଭିନ୍ନ ଅଭିଯୋଗ କରିପାରୁଛନ୍ତି । ଏତଦ୍‌ବ୍ୟତୀତ ସମସ୍ତ ବୁଥ୍‌ରେ ବିଦୁ୍ୟତ, ଆଲୋକୀକରଣ, ଖାଦ୍ୟ ଓ ପାନୀୟ ଜଳ, ଶୌଚାଳୟ, ପ୍ରତୀକ୍ଷା ଗୃହ, ସୂଚନା ଫଳକ, ସହାୟତା କେନ୍ଦ୍ର, କ୍ରେଚ୍‌, ସେଲ୍‌ଫି ସେଣ୍ଟର, ଡାକ୍ତରୀ ଟିମ୍‌ର ସୁବିଧା କରାଯାଇଛି । ପ୍ରତ୍ୟେକ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ହ୍ୱିଲ୍‌ ଚେୟାର ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । 


ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଭ୍ରାମ୍ୟମାଣ ଡାକ୍ତରୀ ଟିମ୍‌ ମୁତୟନ ହୋଇଛନ୍ତି । ପ୍ରତ୍ୟେକ ବୁଥ୍‌ରେ ସହାୟତା ନିମନ୍ତେ ତାଲିମପ୍ରାପ୍ତ ସେ୍ୱଚ୍ଛାସେବୀ ନିଯୁକ୍ତ କରାଯାଇଛି । 
ଭୋଟରମାନେ ସେମାନଙ୍କର ମତଦାନ କେନ୍ଦ୍ର ଜାଣିବା ନିମନ୍ତେ ଭୋଟର ସୂଚନା ପତ୍ର ଦିଆଯାଇଛି । ଭୋଟରମାନେ ‘ଭୋଟର ହେଲପ୍‌ ଆପ୍‌’ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ‘ମୋ ବୁଥ୍‌’ ଆପ୍‌ ସହାୟତାରେ ସେମାନଙ୍କର ମତଦାନ କେନ୍ଦ୍ର ଏବଂ ଅବସ୍ଥିତି ସଂପର୍କରେ ବିଶଦ ଭାବେ ଜାଣିପାରିବେ ।  ଜିଲ୍ଲାରେ ତିନିଜଣ ସାଧାରଣ ପର୍ଯ୍ୟବେକ୍ଷକ, ଜଣେ ପୋଲିସ୍‌ ପର୍ଯ୍ୟବେକ୍ଷକ ଏବଂ ୪ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଜିଲ୍ଲାପାଳ  ରାଣା ସୂଚନା ଦେଇଛନ୍ତି ।