ଭତ୍ତା ବୃଦ୍ଧି ନେଇ ରାଜନୀତି: ଅଗଷ୍ଟ ୧୬ରୁ ବିଜେଡିର ଜନଜାଗରଣ
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସରକାରୀ ଦଳକୁ ସମାଲୋଚନା କରି ନବୀନ କହିଛନ୍ତି ‘୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ। ଏହାର ଅର୍ଥ ବିଜେପିର ପ୍ରତିଶୃତି ପାଣିର ଗାର’।
ଭୁବନେଶ୍ୱର: ବିଜେପି ନିଜର ନିର୍ବାଚନ ପ୍ରତିଶୃତି ପାଳନ କରୁନାହିଁ। ଯେଉଁ ଆଶା ଓ ଆକାଂକ୍ଷା ନେଇ ଜନସାଧାରଣ ବିଜେପିକୁ ରାଜ୍ୟରେ ସରକାର ଗଠନ ଲାଗି ବହୁମତ ଦେଇଛନ୍ତି ତାହାକୁ ସମ୍ମାନ ଜଣାଉ ନାହିଁ ସରକାରୀ ଦଳ। ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଏନେଇ ସେ ସାରା ରାଜ୍ୟରେ ଜନ ସଚେତନତା ବୃଦ୍ଧି କରିବେ ବୋଲି କହିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସରକାରୀ ଦଳକୁ ସମାଲୋଚନା କରି ନବୀନ କହିଛନ୍ତି ‘୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ। ଏହାର ଅର୍ଥ ବିଜେପିର ପ୍ରତିଶୃତି ପାଣିର ଗାର’।
ନବୀନ କହିଛନ୍ତି, ‘ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଉଛି ଯେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ।’ ଏହାଦ୍ୱାରା ପ୍ରତିଶୃତି ପାଣିରେ ଗାର ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ବିରୋଧୀଦଳ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି। ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି‘।
ଏନେଇ ୧୬ ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ। ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ।
‘ମୁଁ ଆଶା କରୁଛି, ବିଜେପି ଓଡ଼ିଶାର ଲୋକଙ୍କୁ ଭୁଆଁ ନ ବୁଲେଇ, ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରିବ। ବିଜେପି ନିଜ ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ବିଜେଡି ସର୍ବଦା ନିଜର ଅଭିଯାନ ଜାରି ରଖିବ’ ବୋଲି ସେ କହିଛନ୍ତି।
ଏହି ଜନଜାଗରଣ ସମାବେଶରେ ବିଭିନ୍ନ ଜିଲ୍ଲା ବୁଲିବେ ପୂର୍ବତନ ମୁଖ୍ୟମନ୍ତ୍ରୀ। ବିଜେପି ବିରୁଦ୍ଧରେ ଜନମତକୁ ବଢ଼ାଇବା ତଥା ନିଜର ଲୋକପ୍ରିୟତାକୁ ପୁଣିଥରେ ଫେରି ପାଇବା ଲାଗି ଏହା ପ୍ରୟାସ ହେବ। ନିର୍ବରଚନ ପରେ ପ୍ରଥମଥର ପାଇଁ ଏପରି ଏକ ରାଜନୀତିକ ସମାବେଶ ବିଜେଡି ଆ୍ରୟୋଜନ କରିବାକୁ ଯାଉଛି।
Also Read- ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ
Also Read- ବିନେଶଙ୍କ ପାଇଁ ବାହାରିଲା ଖାପ ପଞ୍ଚାୟତ, ଭାରତ ରତ୍ନ ସହିତ ଏହି ୭ଟି ବଡ଼ ଦାବି କଲା