Congress President Election: ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆସନ୍ତା ମାସ ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇ ଗଲାଣି। ତେବେ ଅଧ୍ୟକ୍ଷ ରେସରେ ଥିବା ଅଶୋକ ଗେହଲୋତଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି ଓ୍ୱାୟନାଡ଼ ସାଂସଦ ରାହୁଲ ଗାନ୍ଧୀ। ପରୋକ୍ଷରେ ରାହୁଲ ଗାନ୍ଧୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପାଇଁ ଗେହଲୋତଙ୍କୁ ଇଙ୍ଗିତ ପ୍ରଦାନ କରିଛନ୍ତି। ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ନ ଛାଡ଼ିବାକୁ ଜିଦ ଧରିଛନ୍ତି ଅଶୋକ ଗେହଲୋତ। ଉଭୟ ପଦରେ ରହିବା ପାଇଁ ଗେହଲୋତ ଇଚ୍ଛା ପ୍ରକାଶ କରିଛନ୍ତି। ରାହୁଲ ଆଜି ସାମ୍ବାଦିକ ସମ୍ମିଳନୀ କରି 'ଏକ ବ୍ୟକ୍ତି ଏକ ପଦ' ନିଷ୍ପତ୍ତିକୁ ମନେ ପକାଇ ଦେଇଛନ୍ତି। ରାହୁଲଙ୍କ ଏଭଳି ଇଙ୍ଗିତରେ ସଚିନ ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ମଧ୍ୟ ସଫା ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ଭାରତ ଯୋଡ଼ୋ ଯାତ୍ରାରେ ଥିବା ରାହୁଲ କୋଚିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି କିଛି କହିଛନ୍ତି ଯାହାକୁ ଅଶୋକ ଗେହଲୋତଙ୍କ ପାଇଁ ଝଟକା ଭଳି ଆଲୋଚନା ହେଉଛି। ରାହୁଲ ଗାନ୍ଧୀ କହିଛନ୍ତି କି ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିପାରିବେ। ଏହାକୁ ଦଳର ସମସ୍ତ ନେତା ମାନିବେ ବୋଲି ଆଶା କରାଯାଉଛି। ରାହୁଲ ଆହୁରି ମଧ୍ୟ କହିଥିଲେ କି ଆମେ ଉଦୟପୁରରେ ଯାହା ନିଷ୍ପତ୍ତି ନେଇଛୁ, ଆଶା କରିଛୁ କି ଏହି ପ୍ରତିବଦ୍ଧତା ସମସ୍ତେ ବଜାୟ ରଖିବେ। 


ତେବେ ରାହୁଲ ଗାନ୍ଧୀଙ୍କ ଏହି ନିଷ୍ପତ୍ତି ଅଶୋକ ଗେହଲୋତଙ୍କ ପାଇଁ ବଡ଼ ଝଟକା ଭାବେ ଦେଖା ଯାଉଛି। ଗେହଲୋତ ଖୋଲାଖୋଲି ଭାବେ କହିଛନ୍ତି କି ସେ ଯଦି କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି ତେବେ ମଧ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଗେହଲୋତ ବୁଧବାର ଦିଲ୍ଲୀ ଆସି ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ସୋନିଆଙ୍କୁ କହିଥିଲେ କି ଦଳ ଯଦି ଚାହିଁବ ତେବେ ସେ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମନା କରିବେ ନାହିଁ। ଅଧ୍ୟକ୍ଷ ଭାବେ ଯଦି ନିର୍ବାଚିତ ହେଉଛନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ଉଦାହରଣ ଦେଇ ଗେହଲୋତ ଆହୁରି ମଧ୍ୟ କହିଥିଲେ କି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ପ୍ରାର୍ଥୀ ହେଲେ ମଧ୍ୟ ମନ୍ତ୍ରୀ ପଦରେ ରହିପାରିବେ। 


ରାହୁଲ ଗାନ୍ଧୀଙ୍କ ପୁଣି ଥରେ ସ୍ପଷ୍ଟ କରିଛନ୍ତି କି ସେ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରାର୍ଥି ହେବେ ନାହିଁ। ଏଭଳି ସ୍ଥିତିରେ ଯେଉଁମାନଙ୍କୁ ଦାବିଦାର ଭାବେ ବିବେଚନା କରାଯାଉଛି ସେମାନଙ୍କ ମଧ୍ୟରେ ଅଶୋକ ଗେହଲୋତ ମଜବୁତ ପ୍ରାର୍ଥୀ ରହିଛନ୍ତି। ସେହିପରି ରାଜନୈତିକ ରଣନିତିକାରମାନେ କହିଛନ୍ତି କି ଥରୁରଙ୍କ ଉପରେ ଗେହଲୋତ ଭାରୀ ପଡ଼ିପାରନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷ ହେବା ପୂର୍ବରୁ ରାଜସ୍ଥାନରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଗେହଲୋତ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଫଳରେ ଅପେକ୍ଷାର ମିଠା ହୋଇଥିବା ନ୍ୟାୟରେ ସଚିନ ପାଇଲଟଙ୍କୁ ଏହି ମିଠା ମିଳିବାକୁ ଯାଉଛି।