Haryana Congress MLA: ଖାଲି ହେବାକୁ ଯାଉଥିବା ରାଜ୍ୟସଭାର ୫୭ ଆସନ ଲାଗି ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ଏହି ନିର୍ବାଚନରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେଉଥିବା ବିଧାୟକ ମତଦାନ କରିଥାନ୍ତି। ଏହାକୁ ନଜରରେ ରଖି ଦଳୀୟ ବିଧାୟକଙ୍କ ଉପରେ ବର୍ତ୍ତମାନ ସତର୍କ ନଜର ରଖିଛନ୍ତି ବିଭିନ୍ନ ଦଳ। ସଦ୍ୟ ହରିୟାଣା ରାଜନୀତିରେ ଦେଖିବାକୁ ମିଳିଛି ଏହାର ଉଦାହରଣ।


COMMERCIAL BREAK
SCROLL TO CONTINUE READING

ହରିୟାଣାର ୨ ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସଂଖ୍ୟାବଳ ଆଧାରରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କୃଷ୍ଣଲାଲ ପୱାର ରାଜ୍ୟସଭାକୁ ନିର୍ବାଚିତ ହେବା ସୁନିଶ୍ଚିତ। କହିବାକୁ ଗଲେ ୨ ଆସନ ମଧ୍ୟରୁ ଗୋଟିଏ ସିଟ୍ ବିଜେପି  ସହଜରେ ଦଖଲ କରିନେବ। ମାତ୍ର ସଂଖ୍ୟା ଖେଳ ଲାଗି ଫସିଯାଇଛି ଦ୍ୱିତୀୟ ଆସନ। 


ଦ୍ୱିତୀୟ ଆସନ ଲାଗି କଂଗ୍ରେସ ପକ୍ଷରୁ ଗାନ୍ଧୀ ପରିବାରର ବିଶ୍ୱସ୍ତ ଅଜୟ ମାକେନ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିନୋଦ ଶର୍ମା ପୁଅ କାର୍ତ୍ତିକେୟ ଶର୍ମାଙ୍କୁ ଛିଡା଼ କରିଛନ୍ତି। ଯାହା ଫଳରେ ଦ୍ୱିତୀୟ ଆସନରେ ରୋଚକପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି। 


ଅଜୟ ମାକେନଙ୍କ ପାଇଁ ସମସ୍ୟା ଏଥିପାଇଁ ବଢିଯାଇଛି  କାରଣ ହରିୟାଣା ବିଧାନସଭାର ପୂର୍ବତନ ବାଚସ୍ପତି ତଥା କଂଗ୍ରେସ ନେତା କୁଲଦୀପ ଶର୍ମା ମଧ୍ୟ ତାଙ୍କ ଜ୍ୱାଇଁ କାର୍ତ୍ତିକେୟ ଶର୍ମାଙ୍କୁ ସମର୍ଥନ କରୁଛନ୍ତି। ଜନନାୟକ ଜନତା ପାର୍ଟି ଦଳ ୮ ଏବଂ ଜଣେ ସ୍ୱାଧୀନ ବିଧାୟକ କାର୍ତ୍ତିକେୟ ଶର୍ମାଙ୍କୁ ଖୋଲା ସମର୍ଥନ ଦେଇଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟସଭା ନିର୍ବାଚନରେ ଅନ୍ତଃର୍ଘାତ କାର୍ଯ୍ୟ ହେବାର ଭୟ କଂଗ୍ରେସକୁ ଘାରୁଛି। କଂଗ୍ରେସ ନେତା ସନ୍ଦେହ କରୁଛନ୍ତି ଯଦି କାର୍ତ୍ତିକେୟଙ୍କ ସମର୍ଥନରେ ଦଳର ମୋଟ ୩୦ ଜଣ ବିଧାୟକଙ୍କ ମଧ୍ୟରୁ ଯଦି ୧୦-୧୫ ଜଣଙ୍କ ସମର୍ଥନ କାର୍ତ୍ତିକେୟ ଶର୍ମାଙ୍କ ମିଳିଯାଏ ତାହେଲେ ଦଳୀୟ ପ୍ରାର୍ଥୀ ଅଜୟ ମାକେନଙ୍କ ବିଜୟ ଅସମ୍ଭବ ହୋଇପଡ଼ିବ। 


ଏହାକୁ ନଜରରେ ରଖି ଦଳୀୟ ବିଧାୟକଙ୍କୁ ରୋକିବା ଲାଗି ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ। ହରିୟାଣା କଂଗ୍ରେସ ପ୍ରଭାରୀ  ବିବେକ ବନସଲଙ୍କ ସମେତ ଦଳର ସମସ୍ତ ବିଧାୟକଙ୍କୁ ଛତିଶଗଡ ରାଜଧାନୀ ରାୟପୁର ଅଭିମୁଖେ ନିଆଯିବ। ଏନେଇ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଉଛି। ଯାହା ମାଧ୍ୟମରେ ହରିୟାଣା କଂଗ୍ରେସ ବିଧାୟକଙ୍କୁ ରାୟପୁର ନିଆଯିବ।  


ରାଜ୍ୟସଭା ନିର୍ବାଚନ ପ୍ରତ୍ୟେକ ରାଜ୍ୟର ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଥାଏ। ଏହି ନିର୍ବାଚନରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମତଦାନ କରିଥାନ୍ତି। କଂଗ୍ରେସ ବିଧାୟକଙ୍କୁ ୯ ଜୁନ ପର୍ଯ୍ୟନ୍ତ ରାୟପୁର ଠାରେ ରଖାଯିବ। ଦଳୀୟ ବିଧାୟକଙ୍କ ଠାରୁ ଫୋନ୍ ନିଆଯିବ କିମ୍ବା ତାଙ୍କ ପାଖକୁ ଆସୁଥିବା ଫୋନ କଲ ଉପରେ ନଜର ରଖାଯିବ। ମୋଟ ଉପରେ ରାଜ୍ୟସଭା ନିର୍ବାଚନ ହରିୟାଣା ରାଜନୀତିକୁ ପୁଣି ଥରେ ସରଗରମ କରିଛି। 


Also Read: Rajya Sabha Election:ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଗଲା ଟ୍ୱିଟର ୱାର୍